ଓଡ଼ିଶା ଉପରୁ ଟଳୁଛି ଝଡ଼ବର୍ଷା ଭୟ: ଆଜି ଲଘୁଚାପ, ୨୪ରେ ଅବପାତ

ଅଶାନ୍ତ ରହିବ ସମୁଦ୍ର, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି

ଓଡ଼ିଶା ଉପରୁ ଟଳୁଛି ଝଡ଼ବର୍ଷା ଭୟ: ଆଜି ଲଘୁଚାପ, ୨୪ରେ ଅବପାତ

Down To Earth

ଭୁବନେଶ୍ବର: ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବା ସହ ଉତ୍ତର-ପୂର୍ବ ଦିଗରେ ଗତି କରିବ। ୨୪ ତାରିଖ ସକାଳ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ତୀବ୍ର ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିବ। ପ୍ରଭାବରେ ୨୨ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୩୫ରୁ ୪୫ କିମି ବେଗରେ ପବନ ହେବ। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟାପ୍ରତି ୫୫ କିମିରେ ପହଞ୍ଚିପାରେ। ୨୩ ତାରିଖ ବେଳକୁ କେନ୍ଦ୍ରୀୟ ଓ ସଂଲଗ୍ନ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ସହ ମଝିରେ ମଝିରେ ୬୦ କିମିରେ ଝଟକା ଦେବ। ୨୪ ତାରିଖ ସକାଳ ବେଳକୁ ଅବପାତଟି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିଲା ବେଳକୁ ପବନର ବେଗ ୭୦ କିମିରେ ପହଞ୍ଚିଥିବ। ଏହି ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନେ ୨୩ ତାରିଖଠାରୁ କେନ୍ଦ୍ରୀୟ ଓ ୨୪ ତାରିଖଠାରୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନେ ଫେରି ଆସିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ ବୁଧବାର ଉପକୂଳ ଓଡ଼ିଶା ସମେତ ଗଜପତି, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଏହାସତ୍ତ୍ବେ ଆସନ୍ତା ୨୫ ତାରିଖ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୨୬ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ବାଲେଶ୍ବରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ସମ୍ଭାବ୍ୟ ଅବପାତ ପ୍ରଭାବରେ ରାଜ୍ୟରେ ପବନ କିମ୍ବା ପ୍ରବଳ ବର୍ଷା ହେବ ନାହିଁ। ବରଂ ୨୫ ତାରିଖ ଉପରବେଳା ଓ ୨୬ ତାରିଖ ସକାଳେ ବାଲେଶ୍ବରରେ ମଧ୍ୟମଧରଣର ବର୍ଷା ହେବାକୁ ଥିବା ବେଳେ ଭଦ୍ରକ ଓ କେନ୍ଦ୍ରାପଡ଼ାରେ ସ୍ବଳ୍ପ ବର୍ଷା ହୋଇପାରେ। ଅନ୍ୟ କୌଣସି ସ୍ଥାନରେ ବର୍ଷାର ପ୍ରଭାବ ରହିବ ନାହିଁ। ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୨ ତାରିଖରେ ଲଘୁଚାପ ରୂପ ନେବା ପରେ ୨୩ରେ ଅବପାତ ଓ ୨୪ରେ ଗଭୀର ଅବପାତରେ ପରିଣତ ହୋଇପାରେ। ୨୫ ତାରିଖରେ ଏକ ଛୋଟଧରଣର ବାତ୍ୟା ହେବାର ସମ୍ଭାବନା ରହିଛି। ନ ହେଲେ ଗଭୀର ଅବପାତ(ଘଣ୍ଟାପ୍ରତି ୬୦ କିମି ବେଗ) ହୋଇ ସମୁଦ୍ରରେ ହିଁ ରହିଯିବ। ୨୬ ତାରିଖ ସକାଳେ ବାଂଲାଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

ସେପଟେ କେନ୍ଦ୍ରୀୟ ଓଡ଼ିଶା, ପଶ୍ଚିମ(ସମ୍ବଲପୁରଠାରୁ ପଶ୍ଚିମକୁ), ଦକ୍ଷିଣ ଉପକୂଳ(ପୁରୀଠାରୁ ଦକ୍ଷିଣକୁ) ଓ ଅଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା କ୍ରମଶଃ ବଢ଼ିବ। ୨୬ ତାରିଖରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରି ରହିବାକୁ ଥିବା ବେଳେ କେତେକ ଅଞ୍ଚଳରେ ୪୫ ଡିଗ୍ରି ଅତିକ୍ରମ କରିପାରେ। ୨୫ ତାରିଖରେ ଭୁବନେଶ୍ବର ତାପମାତ୍ରା ୪୧ ଡିଗ୍ରି ପାଖାପାଖି ରହିବ। ୨୭ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ବଙ୍ଗୋପସାଗର ଛୁଇଁବ। ତେବେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ମୌସୁମୀ ଛୁଇଁବାରେ ବିଳମ୍ବ ହେବ। ଜୁନ୍‌ ୪ ତାରିଖ ବେଳକୁ ଆଉ ଏକ ସିଷ୍ଟମ ମିଆଁମାର ନିକଟରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ତେଣୁ ସ୍ବାଭାବିକଠାରୁ ବିଳମ୍ବରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଅଧିକାଂଶ ସମୟ ଏଲ୍‌ନିନୋ ରହିବା ସହ ଆଇଓଡି ଦୁର୍ବଳ ରହିବା ଯୋଗୁଁ ଜୁନ୍‌ ଓ ଜୁଲାଇ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳନ ପୂର୍ବାନୁମାନ କରିଛନ୍ତି। ଆଜି ନୂଆପଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ସୁନ୍ଦରଗଡ଼ରେ ୪୧.୨, ବୌଦ୍ଧ ଓ ଖୋର୍ଦ୍ଧାରେ ୪୦.୫, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୪୦.୪, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୦ ଡିଗ୍ରି ଲେଖାଏ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe