The New Indian Express
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଉପର ତଳ ହେଉଛି। କେଉଁଦିନ ବଢ଼ୁଛି ତ ଆଉ କେଉଁଦିନ ସାମାନ୍ୟ କମୁଛି। ମାତ୍ର କିଛି ରାଜ୍ୟରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଓଡ଼ିଶାରେ ମଧ୍ୟ ଆଗକୁ ସଂକ୍ରମଣ ବଢ଼ିବାର ଆଶଙ୍କା ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଂକ୍ରମଣ ଉପରେ କଡ଼ା ନଜର ରଖିବା ଲାଗି ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି।
ସେହିପରି ଆଗକୁ ରଜ ଆସୁଛି। ଭୋଜିଭାତ ଓ ଉତ୍ସବ ପାଇଁ ଲୋକମାନେ ଏକାଠି ହେବେ। ଏହାସହ ଦୁଇଦିନ ପରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଖେଳାଯିବ। ହଜାର ହଜାର ଦର୍ଶକ ଷ୍ଟାଡିୟମ୍ରେ ଏକାଠି ହେବେ। ତେଣୁ ଆଗକୁ ରାଜ୍ୟରେ ସଂକ୍ରମଣ ବଢ଼ିବାର ବିପଦ ରହିଛି। ତେଣୁ ମ୍ୟାଚ୍ ଦେଖିବା ସମୟରେ ଦର୍ଶକମାନେ ମାସ୍କ ପରିଧାନ କରିବା ଲାଗି ସରକାର ପରାମର୍ଶ ଦେଇଛନ୍ତି। ଏହାସହ ଗତକାଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୈନିକ କୋଭିଡ ଟେଷ୍ଟିଂ ବଢ଼ାଇବାକୁ ନିଆଯାଇଛି। ରାଜ୍ୟରେ ଏବେ ଦୈନିକ ୧୦ହଜାର କୋଭିଡ ନମୁନା ପରୀକ୍ଷା କରାଯାଉଛି। ତେଣୁ ଏହି ନମୁନା ସଂଖ୍ୟା ଦୈନିକ ୧୫ହଜାରକୁ ବୃଦ୍ଧି ହୋଇପାରେ ବୋଲି ସୂଚନା ମିଳିଛି।
ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ବୈଠକରେ ସବୁ ଜିଲ୍ଲା ସିଡିଏମ୍ଓଙ୍କ ସହିତ କୋଭିଡ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବା ଉପରେ ଆଲୋଚନା ହୋଇଛି। ପଜିଟିଭ୍ ନମୁନାର ଜିନୋମ ସିକ୍ବେନ୍ସିଂ କରାଯିବ। ଏହାସହ ଯେଉଁମାନେ କରୋନା ଟିକା ନେଇ ନାହାନ୍ତି ସେମାନେ ତୁରନ୍ତ ଟିକା ନେବା ଜରୁରୀ। ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଟେଷ୍ଟ କରିବା ସହିତ ଭିଡ଼କୁ ନ ଯିବାକୁ ଡା.ମହାପାତ୍ର ପରାମର୍ଶ ଦେଇଛନ୍ତି।
sfchronicle.comଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଟିକା ନେଇ ନ ଥିବା ଲୋକଙ୍କୁ ଟିକା ନେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ନିବେଦନ କରୁଛନ୍ତି। ରାଜ୍ୟରେ ଦ୍ବିତୀୟ ଡୋଜ୍ ଟିକାକରଣ ଚିନ୍ତାଜନକ ସ୍ଥିତିରେ ରହିଛି। ଏବେ ବି ୩୦ଲକ୍ଷ ନିଜର ଦ୍ବିତୀୟ ଡୋଜ୍ ନେଇ ନାହାନ୍ତି। ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ଚଳିତମାସରୁ ହର ଘର ଦସ୍ତକ ୨.୦ ଅଭିଯାନ ଆରମ୍ଭ କରିଛନ୍ତି। ଘରକୁ ଘର ବୁଲି ସ୍ବାସ୍ଥ୍ୟକର୍ମୀମାନେ ଟିକା ନେଇ ନ ଥିବା ଲୋକଙ୍କୁ ଚିହ୍ନଟ କରିବା ସହିତ ଟିକା ନେବାକୁ ପରାମର୍ଶ ଦେଉଛନ୍ତି। ମାତ୍ର ଏହି ଅଭିଯାନରେ ରାଜ୍ୟକୁ ସଫଳତା ମିଳିବ କି ନାହିଁ ତାହା ସନ୍ଦେହରେ ରହିଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୫ଟି ଜିଲ୍ଲାରୁ ୨୦ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୧, ବାଲେଶ୍ବର, ସୁନ୍ଦରଗଡ଼ରୁ ୨ ଲେଖାଏ, କଳାହାଣ୍ଡି, କେନ୍ଦୁଝରରୁ ଜଣେ ଲେଖାଏ ଓ ଷ୍ଟେଟ୍ ପୁଲରୁ ୩ଜଣଙ୍କୁ ଚିହ୍ନଟ କରାଯାଇଛି। କୌଣସି ନୂଆ କୋଭିଡ ମୃତ୍ୟୁ ଘୋଷଣା ହୋଇନାହିଁ। ଏହାସହ ଆଜି ୧୧ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଆକ୍ରାନ୍ତଙ୍କୁ ତୁଳନାରେ କମ୍ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ପୁଣିଥରେ ଶହେ ଟପିଛି। ରାଜ୍ୟରେ ଏବେ ୧୨୫ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
Follow Us