ଭୟ ଦେଖାଉଛି ସମୁଦ୍ର, ୭ଟି ପଞ୍ଚାୟତର ଏକାଧିକ ଗାଁ ବିପଦ ମୁହଁରେ

Advertisment

୧୦ ଫୁଟର ଜୁଆର ଆସିଲେ ଅଧା ଅଞ୍ଚଳ ବୁଡ଼ିଯିବ

୧୦ ଫୁଟର ଜୁଆର ଆସିଲେ ଅଧା ଅଞ୍ଚଳ ବୁଡ଼ିଯିବ

ଭୟ ଦେଖାଉଛି ସମୁଦ୍ର, ୭ଟି ପଞ୍ଚାୟତର ଏକାଧିକ ଗାଁ ବିପଦ ମୁହଁରେ

ଅସ୍ତରଙ୍ଗ : ଲଘୁଚାପ ଓ ଝଡ଼ବାତ୍ୟା ବେଳେ ଭୟଙ୍କର ହେଉଛି ସମୁଦ୍ର। ସମୁଦ୍ର ସଂଲଗ୍ନ ନଦୀ ଓ ଶାଖାନଦୀ ଦେଇ କେବେ ଜୁଆର ପାଣି ମାଡ଼ିଆସୁଛି ତ ଅନ୍ୟକେବେ ଅଶାନ୍ତ ସମୁଦ୍ର କୂଳ ଲଂଘୁଛି। ଚାଷ ଜମିରେ ଲୁଣା ପାଣି ମାଡ଼ି ଯାଉଥିବାରୁ ପ୍ରତିବର୍ଷ ଚାଷ ପ୍ରଭାବିତ ହେଉଛି। ଯେଉଁଭଳି ଭାବରେ ସମୁଦ୍ର ଉଗ୍ରରୂପ ଧାରଣ କରୁଛି ତାହା ଆଗାମୀ ଦିନରେ ଉପକୂଳ ପାଇଁ ଏକ ବଡ଼ ବିପଦ ସୃଷ୍ଟିକରିବାକୁ ଯାଉଛି ବୋଲି ଲୋକେ ଆଶଙ୍କା କଲେଣି। ବିଶ୍ୱ ତାପନ ଓ ଜଳବାୟୁର ବ୍ୟାପକ ପରିବର୍ତ୍ତନ ଯୋଗୁ ସମୁଦ୍ର ଅଶାନ୍ତ ହେବା ସହ ଜଳପତନ ବୃଦ୍‌ଦି ପାଉଛି। ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସମୁଦ୍ର ଜୁଆର ଯୋଗୁ ଦେବୀ ଓ ଶାଖାନଦୀଗୁଡ଼ିକର ଗତିପଥ ପରିବର୍ତ୍ତନ, ଦେବୀ ମୁହାଣ ନିକଟରେ ଜଙ୍ଗଲ କ୍ଷୟ ହେବା,ଜୁଆର ମାଡ଼ରେ ସମୁଦ୍ର କୂଳରେ ଥିବା ବାଲିବନ୍ତ ଧୋଇ ହୋଇଯିବା ଏକ ବଡ଼ ବିପଦ ଆନକୁ ସଙ୍କେତ ଦେଲାଣି।

ଏହି ଅବସ୍ଥାରେ ଉପକୂଳକୁ ସୁରକ୍ଷା ଦେବାକୁ କୋଟି କୋଟି ଟଙ୍କାରେ ନିର୍ମାଣ ହେଉଥିବା ଲୁଣା ବନ୍ଧ ମଧ୍ୟ ଆଉ ସୁରକ୍ଷା ଯୋଗାଇ ପାରୁନି। ନିକଟରେ କେଉଟଜଙ୍ଗାଠାରେ ସମୁଦ୍ରର ବଡ଼ ବଡ଼ ଢେଉ ଏହି ଲୁଣା ବନ୍ଧରେ ପିଟିହୋଇ ପଥର ପ୍ୟାକିଂ ତଳୁ ମାଟି ଧୋଇନେବା ଚିନ୍ତା ବଢ଼ାଇ ଦେଇଛି। ଅତୀତରେ ଅବଶ୍ୟ ସେହି ସ୍ଥାନରେ ସମୁଦ୍ର କୂଳ ଲଂଘିଛି, କିନ୍ତୁ ଏଭଳି ନୁହେଁ ବୋଲି ସମସ୍ତେ କହୁଛନ୍ତି। ଖରାଦିନରେ କେଳୁଣୀ ମୁହାଣ ବନ୍ଦ ହୋଇଯାଉଥିଲା ବେଳେ ବର୍ଷା ଦିନେ ସମୁଦ୍ର ସଂଲଗ୍ନ ପ୍ରାଚୀ ଓ କାଦୁଆ ନଦୀର ଜଳରାଶି ଫୁଲି ଉଠିଥାଏ। ଚାରିଆଡ ଜଳମଗ୍ନ ହେଲେ ପୂର୍ବରୁ ପୋତି ହୋଇଥିବା ମୁହାଣ ଖୋଲିବାରେ ଯାଇ ଜଳ ନିଷ୍କାସନ ହୋଇଥାଏ। କିନ୍ତୁ ପ୍ରଥମ ଥର ପାଇଁ ବର୍ଷା ଜଳ ନଥାଇ ମଧ୍ୟ ନଦୀ ସମୁଦ୍ରରେ ଉଚ୍ଚ ଜୁଆର ଆସି ଏତେ ଚାପ ସୃଷ୍ଟି କରିଥିଲା ଯେ ଆପେ ଆପେ ମୁହାଣ ଖୋଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁରକ୍ଷା ଦେବାକୁ ଥିବା ଲୁଣା ବନ୍ଧ ତଳେ ଜୁଆର ପାଣି ଏତେ ଭୟଙ୍କର ଥିଲା ଯେ ବିଭିନ୍ନ ସ୍ଥାନରେ ଜୁଆର ପାଣି ବନ୍ଧ ଡେଇଁବା ଆରମ୍ଭ କରିଥିଲା। ଯଦି ଆଗକୁ ଏମିତି ସ୍ଥିତି ଜାରି ରହିଲେ, ସମୁଦ୍ରର ତାଣ୍ଡବ ଆଗରେ ନିର୍ମାଣ ହେଉଥିବା ଲୁଣାବନ୍ଧ ହାର ମାନିବ।

publive-image

ଶିଶୁଅ, ଛୁରିଆନା, ନୂଆଗଡ଼, ଝାଡ଼ଲିଙ୍ଗ, ଆଳସାହି, ପାଟଳଦା, କୋରଣା ପ୍ରମୁଖ ୭ଟି ପଞ୍ଚାୟତର ଅଧିକାଂଶ ଗାଁକୁ ଜୁଆର ଭୟ ଘାରିଛି। ୧୯୯୯ ମହାବାତ୍ୟାରେ ସାମୁଦ୍ରିକ ଜୁଆର ମାଡ଼ିଆସି ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ କ୍ଷତି ପହଞ୍ଚାଇଥିଲା। ସେହିପରି ଫନି, ହୁଡୁହୁଡୁ, ତିତିଲି ବାତ୍ୟା ବେଳେ ସମୁଦ୍ର ଉଗ୍ରରୂପ ଧାରଣ କରି କୂଳ ଲଂଘିବା ଓ ଜୱାଦ ବାତ୍ୟାରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ଫସଲ ହାନୀ ହେବାର ନଜିର ରହିଛି। ଉଦୟକଣି ଓ ତଣ୍ଡାହରର ଯେଉଁଠି ଦିନେ ଜନବସତି ଥିଲା ଆଜି ସେଠି ସମୁଦ୍ର ପାଣି ଲହଡି ମାରୁଛି। ଏଠି ସମୁଦ୍ର ଆଗକୁ ମାଡ଼ି ଆସୁଥିଲା ବେଳେ ଜନବସତି ଦୂରକୁ ଘୁଞ୍ଚିଯାଇଛି । ସମୁଦ୍ର ନିକଟବର୍ତ୍ତୀ ୬ଟି ପଞ୍ଚାୟତର ଅଧିକାଂଶ ଗାଁଗଣ୍ଡା ସମ୍ବେଦନଶୀଳ ଜୋନ୍‌ରେ ରହିଛି। ଭୂମିକମ୍ପ ଓ ସୁନାମୀ ପ୍ରବଣ ଇଲାକାରେ ପ୍ରାୟ ୮୮ଟି ଗାଁ ରହିବା ସରକାରୀ ସର୍ଭେ ରିପର୍ଟ କହୁଛି। ବିପଦ ଆସିବା ପୂର୍ବରୁ ପାକ୍ ସୂଚନା ଦେବାକୁ ବିଭିନ୍ନ ସ୍ଥାନରେ ସାଇରନ୍ ଟାୱାର ଲାଗିଛି। ମକଡ୍ରିଲ୍ କରି ପ୍ରତିବର୍ଷ ସଚେତନତା ସୃଷ୍ଟି କରାଯାଉଛି। ସବୁଠାରୁ ବଡ଼କଥା ହେଲା ବିପଦ ବେଳେ ଏଗୁଡିକ କାମରେ ଆସୁନି। ଏବେ ଅବଶ୍ୟ ଚାରିଆଡେ ବନ୍ଧବାଡ, କୋଠା,ତଳିଆ ଅଞ୍ଚଳରେ ଆଶ୍ରୟସ୍ଥଳୀ ରହିଛି। ବାତ୍ୟା ବେଳେ ଲୋକଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଉଛି।କିନ୍ତୁ ସମୁଦ୍ରରୁ ୧୦ଫୁଟର ଜୁଆର ଉଠିବା ମାତ୍ରେ ଅସ୍ତରଙ୍ଗ ବ୍ଲକ୍‌ର ଅଧା ଅଞ୍ଚଳ ପାଣିରେ ଡୁବିଯିବ ଏପରି ଏକ ଆାଭ୍କା ସୃଷ୍ଟି ହୋଇଛି। ସମ୍ବେଦନଶୀଳ ସ୍ଥାନଗୁଡିକ ପ୍ରତି ପ୍ରଶାସନ ସଜାଗ ରହିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe