ନନ୍ଦନକାନନକୁ ଘାରିଲା ଭୟ: ପୁଣି ଏକ ବାଘ ଛୁଆର ମୃତ୍ୟୁ

Advertisment
ନନ୍ଦନକାନନକୁ ଘାରିଲା ଭୟ: ପୁଣି ଏକ ବାଘ ଛୁଆର ମୃତ୍ୟୁ

AZ Animals

ବାରଙ୍ଗ: ବାଘ ଛୁଆଙ୍କ ମୃତ୍ୟୁକୁ ନେଇ ନନ୍ଦନକାନନକୁ ଭୟ ଘାରିଛି। ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇଟି ବାଘ ଛୁଆଙ୍କ ମୃତ୍ୟୁ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ନିମୋନିଆରେ ୯ ମାସର ଛୁଆ ବାଘ ବିବେକର ମୃତ୍ୟୁ ପରେ ପରେ ଆ‌ଉ ଏକ ମାସକର ବାଘ ଛୁଆ ମରିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ବେଶ୍ ସୁସ୍ଥ ଥିବା ବାଘ ଛୁଆଟି ଆଜି ସକାଳୁ ମରି ପଡ଼ିଥିବା ଦେଖିବାକୁ ମିଳିଛି। ତା ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଓୟୁଏଟିରୁ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

ଗତକାଲି ରାତିରେ ମରିଥିବା ଏହି ମାସକର ବାଘ ଛୁଆଟି ସାଧାରଣ ନାଲି ରଙ୍ଗର ବାଘୁଣୀ ରୁପାଠାରୁ ଗତ ମାର୍ଚ୍ଚ ୧୧ରେ ଜନ୍ମ ନେଇଥିଲା। ଗତକାଲି ସନ୍ଧ୍ୟା ବେଳେ ବାଘ ଛୁଆଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲା। ସେବା ଯତ୍ନ ଦାୟିତ୍ଵରେ ଥିବା ଜନ୍ତୁରକ୍ଷକ ଛୁଆଟିକୁ ବୋତଲ ସାହାଯ୍ୟରେ ତରଳ ଖାଦ୍ୟ ଖୁଆଇଥିଲେ। ଛୁଆଟିଠାରେ କୌଣସି ବିଲକ୍ଷଣ ଦେଖାଯାଇନଥିଲା। ମାତ୍ର ଆଜି ସକାଳେ ଛୁଆଟିକୁ ରଖାଯାଇଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ମରି ପଡ଼ିଥିବା ଜନ୍ତୁରକ୍ଷକ ଦେଖିବାକୁ ପାଇଥିଲେ। ଅଚାନକ କ’ଣ ପାଇଁ ବାଘ ଛୁଆଟି ମଲା, ତାହାକୁ ନେଇ ସମସ୍ତେ ବିସ୍ମିତ ହୋଇପଡ଼ିଛନ୍ତି। ୯ ମାସର ଛୁଆ ବାଘ ବିବେକର ମୃତ୍ୟୁ କଥା ସେମାନଙ୍କ ମନରୁ ନଯାଉଣୁ, ଏହି ଛୁଆର ମୃତ୍ୟୁ ସେମାନଙ୍କୁ ବ୍ୟଥିତ କରିଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୧ରେ ସାଢ଼େ ୩ ବର୍ଷର ଯୁବା ବାଘୁଣୀ ରୁପା ଗର୍ଭରୁ ୩ଟି ଶାବକ ଜନ୍ମ ନେଇଥିଲେ। ଅପ୍ରାପ୍ତ ବୟସରେ ମା’ ହୋଇଥିବାରୁ ରୁପା ଶାବକମାନଙ୍କର ଉପଯୁକ୍ତ ଯତ୍ନ ନେଇନଥିଲା। ତେଣୁ ଜନ୍ମ ଦେବାର ପ୍ରଥମ ଦିନ ହିଁ ଗୋଟିଏ ନବଜାତକ ବାଘଛୁଆର ମୃତ୍ୟୁ ହୋଇଥିଲା। ତେଣୁ ଅନ୍ୟ ଦୁଇ ଛୁଆଙ୍କୁ ରୁପା ନିକଟରୁ ଅଣାଯାଇ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଜନ୍ତୁରକ୍ଷକଙ୍କ ହେପାଜତରେ ରଖାଯାଇଥିଲା। ଏବେ ସେମାନଙ୍କ ମଧ୍ୟରୁ ମାଈ ଛୁଆଟିର ମୃତ୍ୟୁ ହୋଇଯାଇଛି। ବଞ୍ଚିରହିଛି ଧଳା ରଙ୍ଗର ଅଣ୍ଡିରା ଶାବକ। ତେବେ ଏହି ଛୁଆଟି ବି କେତେ ଦିନ ବଞ୍ଚିବ, ତାହାକୁ ନେଇ ସଂଶୟ ରହିଛି। କାରଣ ରୁପା ଓ ରାଜେଶ ଗୋଟିଏ ମା’ ଧଳାବାଘୁଣୀ ବିଜୟାଠାରୁ ଜନ୍ମ ନେଇଥିଲେ। ମହାବଳ ରୋଶନ୍‌ ସହ ମିଳନରୁ ବିଜୟା ରୁପା ଓ ରାଜେଶଙ୍କୁ ଜନ୍ମ ଦେଇଥିଲା।

ସେମାନେ ଏକା ବ୍ରିଡ୍‌ର ହୋଇଥିବାରୁ ସେମାନଙ୍କଠାରୁ ଜନ୍ମ ନେଇଥିବା ଶାବକମାନେ ବଞ୍ଚି ରହିବା ବିରଳ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୨ରେ ଛୁଆ ବାଘ କୁଶର ମୃତ୍ୟୁ ହୋଇଥିଲା। ବାଘୁଣୀ ମେଘା ଓ ମହାବଳ ନନ୍ଦନର ମିଳନରୁ କୁଶ ଜନ୍ମ ନେଇଥିଲା। ତେଣୁ ଗତ ୩ ମାସ ଭିତରେ ନନ୍ଦନକାନନରେ ୩ ବାଘ ଛୁଆଙ୍କ ମୃତ୍ୟୁ ହେଲାଣି। ଏବେ ନନ୍ଦନକାନନରେ ୧୯ଟି ସାଧାରଣ ନାଲି ରଙ୍ଗର ଓ ୬ଟି ଧଳା ରଙ୍ଗର ବାଘ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe