ସସ୍ମିତା ସାହୁ
ଭୁବନେଶ୍ବର: କୋଣାର୍କର ବିଶ୍ବପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍ଆଇ) ପକ୍ଷରୁ ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଛି। ବାଲି କଢ଼ାଗଲେ ମନ୍ଦିର ସୁରକ୍ଷିତ ରହିବ ନା ବିପଦ ବଢ଼ିବ, ସେସବୁକୁ ଆଶଙ୍କା ସୃଷ୍ଟି ହୋଇଛି। ଏଏସ୍ଆଇର ବିଶେଷଜ୍ଞ ଟିମ୍ ବେଶ୍ ସତର୍କତାର ସହ ଏହି କାମରେ ଲାଗିଛନ୍ତି। ବାଲି କାଢ଼ିବାର ଆବଶ୍ୟକତା କାହିଁକି ପଡ଼ିଲା, ତାହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଭିତରୁ ସଂଗୃହୀତ ବାଲି ଓ ପଥରକୁ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସକୁ ପଠାଯାଇଛି। ପରୀକ୍ଷା ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। କୋଣାର୍କକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ଏବେ ମନ୍ଦିରର ବାହାର କାରୁକାର୍ଯ୍ୟ ପରିଦର୍ଶନ କରୁଛନ୍ତି। ବାଲି ନିଷ୍କାସନ କାର୍ଯ୍ୟ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର ସବୁଦିନ ନିମନ୍ତେ ଖୋଲି ଦିଆଯିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ପର୍ଯ୍ୟଟକ ଓ ଗବେଷକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି।
Road Infrastructure: ୧୪ଟି ରାସ୍ତା ପାଇଁ ୮୨ କୋଟିର ବ୍ୟୟ ବରାଦ
ଜଗମୋହନ ଦ୍ବାର ଖୋଲିଦେଲେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବନି ତ ବୋଲି ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି। ୧୯୦୩ ମସିହା ଆଡ଼କୁ ମନ୍ଦିରର ପଥର ଧୀରେଧୀରେ ଖସିବା ଆରମ୍ଭ କରିଥିଲା। ୧୯୦୯ ମସିହା ବେଳକୁ ବ୍ରିଟିସ୍ ସରକାରଙ୍କ ପ୍ରତ୍ନତତ୍ତ୍ବ ବିଭାଗର ମୁଖ୍ୟ ନିର୍ବାହୀ ବିସେନ୍ ସ୍ବରୂପ ମନ୍ଦିରର ସଂରକ୍ଷଣ ଓ ସୁରକ୍ଷା ଦୃଷ୍ଟିରୁ ଏଥିରେ ବାଲି ଭର୍ତ୍ତି କରିବାର ନିଷ୍ପତ୍ତି ନେଇଥିଲେ। ସେବେଠାରୁ ଏହି ବିଶ୍ବ ଐତିହ୍ୟକୁ କେବଳ ବାହାରୁ ହିଁ ଦେଖନ୍ତି ପର୍ଯ୍ୟଟକ। ବିଶିଷ୍ଟ ଐତିହାସିକ ଅନୀଲ ଧୀର କହିଛନ୍ତି, ମନ୍ଦିରରୁ ବାଲି କାଢ଼ିବା କୌଣସି ଅଚାନକ ନିଷ୍ପତ୍ତି ନୁହେଁ। ୧୯୦୯ ମସିହା ବେଳକୁ ବୈଷୟିକ ଟିମ୍ ଜଗମୋହନର ଉପରେ କଣା କରି ମନ୍ଦିର ଭିତରେ ବାଲିଭର୍ତ୍ତି କରିଥିଲେ। ଗର୍ଭଗୃହରେ ବାଲି ଭର୍ତ୍ତି କରିବାକୁ ସେତେବେଳର ବୈଷୟିକ ଟିମ୍କୁ ୧ ବର୍ଷ ସମୟ ଲାଗିଯାଇଥିଲା। ସେମାନେ ଯେଉଁ ବାଲି ମନ୍ଦିର ଛାତ ଯାଏ ଭର୍ତ୍ତି କରିଥିଲେ, ତାହା ବର୍ତ୍ତମାନ ସାଢ଼େ ୪ ମିଟର ତଳକୁ ଖସିଯାଇଛି। କାଳକ୍ରମେ ବାଲି ପ୍ରାକୃତିକ ପ୍ରକ୍ରିୟାରେ ଚାପରେ ଏକାଠି ହୋଇ ଶକ୍ତ ହୋଇଯିବା ଫଳରେ ଏହା ଆଉ ଛାତକୁ ସାହାରା ଦେଇପାରୁନାହିଁ। ଓଲଟା ବାଲିର ଶକ୍ତ ହୋଇଯିବା ଯୋଗୁଁ ଏହା ମନ୍ଦିରର କାନ୍ଥଗୁଡ଼ିକ ଉପରେ ଚାପ ପକାଉଛି। ମନ୍ଦିର କାନ୍ଥରେ ଥିବା ଫାଟ ଜରିଆରେ ମନ୍ଦିର ଭିତକରୁ ପାଣି ଯିବା ଫଳରେ ବାଲି ଧୀରେଧୀରେ ଦବି ଯାଇଛି।
ବହୁ ବର୍ଷ ଧରି ଏହି ପ୍ରକ୍ରିୟା ଚାଲିଥିବା ବେଳେ ୨୦୦୦ ମସିହା ଆଡ଼କୁ ଏଏସ୍ଆଇ ଏନେଇ ସତର୍କ ହୋଇଥିଲା। ସେ ସମୟରେ ଇଟ୍ଲୀ ଜଣେ ବିଶେଷଜ୍ଞ କ୍ରକ୍ସକି ସୂର୍ଯ୍ୟମନ୍ଦିର ପରିଦର୍ଶନ ପରେ ଅନୁଧ୍ୟାନ କରି ମନ୍ଦିର ଭିତରୁ ବାଲି ତୁରନ୍ତ କାଢ଼ିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଆଇଆଇଟି ଚେନ୍ନାଇ ଓ ରୁର୍କିସ୍ଥିତ ସିବିଆର୍ଆଇର ବିଶେଷଜ୍ଞମାନେ ବିଭିନ୍ନ ସମୟରେ ମନ୍ଦିରର ଅନୁଧ୍ୟାନ କରି ବାଲି କାଢ଼ିବାକୁ ପରାମର୍ଶ ଦେଇଥିଲେ। ହେଲେ ମନ୍ଦିର ଭୁଶୁଡ଼ିଯିବାର ଆଶଙ୍କା ରହିଥିବାରୁ ଏଏସ୍ଆଇ କର୍ତ୍ତୃପକ୍ଷ ବାଲି କାଢ଼ିବାକୁ ଡରିଥିଲେ। ଏବେ କିନ୍ତୁ ମନ୍ଦିରର ବାଲି କାଢ଼ିବା ନିତ୍ୟାନ୍ତ ଜରୁରି। ତେବେ ବାଲି କଢ଼ାଗଲେ ବି ମନ୍ଦିର ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ କେବେ ବି ସମ୍ଭବ ହେବ ନାହିଁ। କାରଣ ଗର୍ଭଗୃହକୁ ଲୁହାର ଶକ୍ତ ସାହାରାରେ ରଖିବାକୁ ପଡ଼ିବ। ଅନ୍ୟପଟେ ସୂର୍ଯ୍ୟମନ୍ଦିରର ସମସ୍ତ କାରୁକାର୍ଯ୍ୟ ବାହାରେ ହିଁ ଦେଖିବାକୁ ମିଳେ। ଭିତର କାନ୍ଥ ସାଧାସିଧା ଥିବାରୁ ସେଥିରେ ସେମିତି କିଛି ଦେଖିବାକୁ ନାହିଁ ବୋଲି ଶ୍ରୀ ଧୀର କହିଛନ୍ତି।
Robbery: ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୁଲିସ
ଏଏସ୍ଆଇର ବୈଷୟିକ କୋର୍ କମିଟିର ସଦସ୍ୟ ତଥା ପ୍ରତ୍ନତତ୍ତ୍ବବିତ୍ ସୁନୀଲ୍ ପଟ୍ଟନାୟକ କହିଛନ୍ତି, ମନ୍ଦିରର ସଂରକ୍ଷଣ ପାଇଁ ୧୦୦ ବର୍ଷ ପୂର୍ବରୁ ବାଲି ଭର୍ତ୍ତି କରାଯାଇଥିଲା। ବାଲି ତଳକୁ ଦବିଯିବା ଫଳରେ ମନ୍ଦିରରେ କ’ଣ ପ୍ରଭାବ ପଡ଼ୁଛି, ବାଲିର ସ୍ଥିତି କ’ଣ ରହଛି, ବାଲି ଚାରିପଟ କାନ୍ଥ ଉପରେ ଚାପ ପକାଉଛି କି? ସେ ସବୁର ଅନୁଧ୍ୟାନ ପାଇଁ ଗତକାଲି ମନ୍ଦିରରୁ ବାହାରିଥିବା ବାଲିକୁ ମାଡ୍ରାସ୍ ଲ୍ୟାବ୍କୁ ପଠାଯାଇଛି। ତା’ର ରିପୋର୍ଟ ଆସିବା ପରେ ବାଲି କଢ଼ାଯିବ କି ନାହିଁ, ବାଲିର କେତେ ଆବଶ୍ୟକତା ଅଛି, ବାଲି କାଢ଼ି ଅତ୍ୟାଧୁନିକ ଜ୍ଞାନକୌଶଳରେ ମନ୍ଦିରକୁ ସଂରକ୍ଷଣ କରାଯାଇପାରିବ କି ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/19/konark-2025-11-19-08-20-51.jpg)