Advertisment

ସରକାରୀ ଶିକ୍ଷାର ବିକଳ ଚିତ୍ର: ସ୍କୁଲରେ ରୋ‌ଷେଇ କରୁଛନ୍ତି ପ୍ରାଥମିକ ଶିକ୍ଷକ

Advertisment

୪୦ଲକ୍ଷ ପିଲାଙ୍କ ପାଠପଢ଼ା ଚୁଲିରେ

୪୦ଲକ୍ଷ ପିଲାଙ୍କ ପାଠପଢ଼ା ଚୁଲିରେ

ସରକାରୀ ଶିକ୍ଷାର ବିକଳ ଚିତ୍ର: ସ୍କୁଲରେ ରୋ‌ଷେଇ କରୁଛନ୍ତି ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର: ଦୁଇ ଦିନ ତଳେ ଚକ୍-ଡଷ୍ଟର ଧରି ପିଲାଙ୍କୁ ପଢ଼ାଉଥିଲେ। ନିୟମିତ କ୍ଲାସ କରୁଥିଲେ। ମାତ୍ର ଏବେ ହାତରେ ହାଣ୍ଡି-ଡେକ୍‌ଚି ଧରି କ୍ୟାମ୍ପସରେ ବୁଲୁଛନ୍ତି। ସକାଳ ହେବା କ୍ଷଣି ପିଲାଙ୍କ ଖାଇବା ଚିନ୍ତାରେ ସେମାନଙ୍କ ସମୟ କଟୁଛି। କ୍ୟାମ୍ପସରେ ପହଞ୍ଚିବା କ୍ଷଣି କିଏ ପରିବା କାଟୁଛନ୍ତି ତ’ ଆଉ କିଏ ଭାତରୁ ପେଜ ଗାଳୁଛନ୍ତି। ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଥିବା ପାଚିକାମାନେ ଦୁଇ ଦିନ ହେଲା ଭୁବନେଶ୍ବରରେ ଆନ୍ଦୋଳନ କରୁଥିବାରୁ ରାଜ୍ୟରେ ଏଭଳି ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ପ୍ରଭାବିତ ହୋଇଛି। ପିଲାଙ୍କ ମଧ୍ୟାହ୍ନଭୋଜନ ବନ୍ଦ ହୋଇଗଲେ ସେମାନେ ସ୍କୁଲ ଆସିବା ନେଇ ଆଶଙ୍କା ରହୁଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ନିଜ କାନ୍ଧରେ ଦାୟିତ୍ବ ନେଇ ପାଠପଢ଼ା ସହ ମଝିରେ ମଝିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଛନ୍ତି। କେବଳ ସେତିକି ନୁହେଁ, କେତେକ ବିଦ୍ୟାଳୟରେ ଗାଁ ଲୋକ ଆସି ମଧ୍ୟାହ୍ନଭୋଜନ ପ୍ରସ୍ତୁତିରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ମଧ୍ୟାହ୍ନଭୋଜନ ସମସ୍ୟା ନେଇ ସ୍କୁଲ କର୍ତ୍ତୃପକ୍ଷ ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି)ଙ୍କୁ ଜଣାଇବା ପରେ ସେମାନେ ସହଯୋଗର ହାତ ବଢ଼ାଉଛନ୍ତି। ପାଚିକାମାନଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା, ମାସିକ ୨୬ ହଜାର ଟଙ୍କା ଦରମା, ବେଆଇନ ଛଟେଇ ବନ୍ଦ, ଛଟେଇ କର୍ମଚାରୀଙ୍କୁ ଥଇଥାନ, ଅବସରକାଳୀନ ବୟସ ସୀମା ୬୫ବର୍ଷକୁ ବୃଦ୍ଧି, ୧୦ ମାସ ବଦଳରେ ୧୨ ମାସର ଦରମା, ଅବସର ପରେ ୧୦ ହଜାର ଟଙ୍କା ପେନସନ୍ ଆଦି ଦାବି ନେଇ ପାଚିକାମାନେ ଆନ୍ଦୋଳନ କରୁଥିବାରୁ ସ୍କୁଲ ପିଲାଙ୍କ ମଧ୍ୟାହ୍ନଭୋଜନ ସହ ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଛି। ଯଦି ଏଭଳି ସ୍ଥିତି ଜାରି ରହିବ, ତେବେ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଭରସାରେ କେତେ ଦିନ ମଧ୍ୟାହ୍ନଭୋଜନ ଚାଲିବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପଟେ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଏବେ ରାଜରାସ୍ତାରେ ରାତି କାଟୁଛନ୍ତି। ୨୬ ଦଫା ଦାବି ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଡାକରାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ତିନି ଦିନ ହେଲା ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଖୋଲା ଆକାଶ ତଳେ ସେମାନଙ୍କ ରାତି କଟୁଛି। ରାଜ୍ୟ ସରକାର ଏହି ଅଭାବନୀୟ ଦୃଶ୍ୟକୁ ଦେଖୁଛନ୍ତି। ତା’ସତ୍ତ୍ବେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି, ବିଧାନସଭାରେ ବିରୋଧୀ ଦଳଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦୁଇ ବର୍ଷ କୋଭିଡ ଥିବା ଯୋଗୁଁ ଲୋକଙ୍କ ଅଭିଯୋଗ ଆପତ୍ତି ଶୁଣାଯାଇ ପାରି ନଥିଲା। ତେଣୁ ମୋ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ଅବଗତ ହୋଇଛି। ସିଏମ୍‌ଓ ଯେଉଁ ସବୁ ସ୍ଥାନରେ ଲୋକଙ୍କ ନିକଟକୁ ଯାଇଛି ସବୁଠି ଓଷ୍ଟା ପକ୍ଷରୁ ଦରଖାସ୍ତ ପ୍ରଦାନ କରାଯାଇଛି। ସେ ଦରଖାସ୍ତଗୁଡ଼ିକ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

publive-image

ପାଚିକାଙ୍କ ଆନ୍ଦୋଳନ ଯୋଗୁଁ ମଧ୍ୟାହ୍ନଭୋଜନ ଠପ୍‌
ରାଜଧାନୀ ରାସ୍ତାରେ ରାତି କାଟୁଛନ୍ତି ମାଧ୍ୟମିକ ଶିକ୍ଷକ
ଆଗକୁ ପରୀକ୍ଷା, ଛାତ୍ରଛାତ୍ରୀ, ଅଭିଭାବକ ଚିନ୍ତାରେ

ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୨୮ ତାରିଖ ଠାରୁ ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନସନ୍ ଯୋଜନାଭୁକ୍ତ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି। ଦୁଇ ଦଫା ଦାବିରେ ଏମାନେ ରାସ୍ତାକୁ ଆସିବା ଫଳରେ ହାଇସ୍କୁଲରେ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇପାରେ।
ଶିକ୍ଷା ବିଶେଷଜ୍ଞଙ୍କ କହିବା କଥା ହେଉଛି, ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଦଶମ ଶ୍ରେଣୀର ପରୀକ୍ଷା ହେବ। ଅନ୍ୟ ଶ୍ରେଣୀ ଛାତ୍ରଛାତ୍ରୀ ମଧ୍ୟ ଆଗପଛ ହୋଇ ପରୀକ୍ଷା ଦେବେ। ହେଲେ ଏବେ ଯେଉଁ ଉତ୍କଟ ସ୍ଥିତି ସୃଷ୍ଟି ହୋଇଛି, ତା ଦ୍ବାରା ରାଜ୍ୟର ପାଖାପାଖି ୪୦ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗଭୀର ଭାବେ ପ୍ରଭାବିତ ହେଉଛି। ଏବେ ଶିକ୍ଷକଙ୍କ ଦାବି ପୂରଣ ପ୍ରସଙ୍ଗଟି ଯେତିକି ଗମ୍ଭୀର, ସରକାର ପିଲାଙ୍କ ପାଠପଢ଼ାକୁ ତା ଠାରୁ ଅଧିକ ଗୁରୁତ୍ବ ଦେଇ ପ୍ରସଙ୍ଗକୁ ବିଚାରକୁ ନେବାକଥା। ସେହିଭଳି ପାଚିକାଙ୍କ ଦାବି ପୂରଣ ପ୍ରତି ମଧ୍ୟ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଯେତେବେଳେ ବି ଆନ୍ଦୋଳନ ହେଉଛି, ସେତେବେଳେ ଛାତ୍ରଛାତ୍ରୀ ହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଏଯାଏ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ଦିଗଟିକୁ ଯେତିକି ଗୁରୁତ୍ବ ଦେବା କଥା, ତାହା ପରିଲକ୍ଷିତ ହେଉନାହିଁ। ପରୀକ୍ଷା ଫଳରେ ଏହାର ପ୍ରଭାବ ମଧ୍ୟ ପଡ଼ୁଛି।

ଉଲ୍ଲେଖଥାଉକି, ବିଧାନସଭା ସମ୍ମୁଖରେ ଧାରଣାରତ ଶିକ୍ଷକମାନଙ୍କୁ ବିଜେପି ବିଧାୟକ ଓ ନେତାମାନେ ଭେଟିଛନ୍ତି। ଦୀର୍ଘବର୍ଷ ଧରି ଆନ୍ଦୋଳନରତ ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବିକୁ ରାଜ୍ୟ ସରକାର ସମାଧାନ କରି ନପାରିବାରୁ ଶିକ୍ଷକମାନେ ସର୍ବନିମ୍ନ ଅଧିକାର ପାଇବାକୁ ଆନ୍ଦୋଳନ କରୁଛନ୍ତି। ଯେଉଁଥିପାଇଁ ୫୦ହଜାର ସ୍କୁଲରେ ପାଠପଢ଼ା ପ୍ରଭାବିତ ହୋଇଛି। ୧ ଲକ୍ଷ ୩୦ହଜାର ଶିକ୍ଷକ ଆଜି ରାଜରାସ୍ତାରେ ଅଧିକାର ପାଇଁ ଲଢୁଛନ୍ତି। ୪୦ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ଶିକ୍ଷକମାନଙ୍କ ଦରମା, ନିଯୁକ୍ତି, ପଦୋନ୍ନତିକୁ ନେଇ ଯେଉଁ ସମସ୍ୟା ଉପୁଜିଛି ସେଥିପାଇଁ ବିଜେଡି ସରକାର ଦାୟୀ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଧ୍ୱସ୍ତବିଧ୍ୱସ୍ଥ ହୋଇପଡିଛି। ୫-ଟି ରୂପାନ୍ତରଣ ନାମରେ ବ୍ୟାପକ ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରାଯାଉଥିବା ବିଜେପି ପକ୍ଷରୁ ଅଭି‌ଯୋଗ କରାଯାଇଛି। ବିଧାୟକ ଶଙ୍କର ଓରାମ, ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ସହ ସଂଯୋଜକ ସୁଜିତ୍ କୁମାର ଦାସ, ସାମାଜିକ ସଙ୍ଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ସାମିଲ ହୋଇ ଶିକ୍ଷକମାନଙ୍କ ଦାବିଗୁଡ଼ିକକୁ ଶୁଣିବା ସହ ତାହା ସମ୍ପୂର୍ଣ୍ଣ ଯଥାର୍ଥ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe