ବଲାଙ୍ଗୀରରେ ମହିଳା ପୌର କର୍ମଚାରୀଙ୍କୁ ହତ୍ୟା

Advertisment
ବଲାଙ୍ଗୀରରେ ମହିଳା ପୌର କର୍ମଚାରୀଙ୍କୁ ହତ୍ୟା

ବଲାଙ୍ଗୀର : ବଲାଙ୍ଗୀର ପୌରପାଳିକାରେ କାର୍ଯ୍ୟରତ ମହିଳା କର୍ମଚାରୀ ଅଷ୍ଟମୀ ବକୁଳ (୩୦ବର୍ଷ)ଙ୍କୁ ହତ୍ୟା କରାଯାଇଛି। ରବିବାର ସକାଳୁ ବିଜାଖମନ-ରାଜୀବନଗର ରାସ୍ତାର ୱେଷ୍ଟ୍‌ ମ୍ୟାନଜମେଣ୍ଟ ସେଣ୍ଟର ନିକଟରୁ ତାଙ୍କ ମୃତଦେହ ମିଳିଛି। ପୌର କାର୍ଯ୍ୟାଳୟର କର୍ମଚାରୀଙ୍କଠାରୁ ଖବର ପାଇ ପୁଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ସହ ଯାଇ ତଦନ୍ତ କରିଛି। ଏହି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇଛି।

ପୁଲିସର ସୂଚନା ଅନୁସାରେ, ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ମାଲପଡ଼ାରେ ମୃତ ଅଷ୍ଟମୀଙ୍କ ଘର। ପୌରସଂସ୍ଥାର ଅଳିଆ ଆବର୍ଜନା ବୋହୁଥିବା ଇ-ଗାଡ଼ିରେ ପ୍ରଥମ ମହିଳା ଡ୍ରାଇଭର ଭାବେ ସେ ଯୋଗଦେଇଥିଲେ। ପୌରସଂସ୍ଥାରେ କାମ କରୁଥିବା ଅନ୍ୟସବୁ ମହିଳା ଡ୍ରାଇଭରଙ୍କୁ ଡ୍ରାଇଭିଂ ଶିଖାଇ ସ୍ୱାବଲମ୍ବୀ କରାଇଥିଲେ। ତାଙ୍କର ଜଣେ ସହକର୍ମୀଙ୍କ କହିବାନୁସାରେ, ଶନିବାର ସନ୍ଧ୍ୟା ୬ ଟାରେ ୱେଷ୍ଟ୍‌ ମ୍ୟାନେଜମେଣ୍ଟ ସେଣ୍ଟରରେ ଗାଡ଼ି ରଖି ୬ଟା ୧୫ ମିନିଟ୍‌ରେ ନିଜ ସାଇକଲ ଧରି ସେ ବାହାରିଥିଲେ। ସନ୍ଧ୍ୟା ସାଢ଼େ ୬ଟାରେ ତାଙ୍କ ଅନ୍ତରଙ୍ଗ ବନ୍ଧୁ ଭାଗ୍ୟବନ୍ତି ମହାନନ୍ଦଙ୍କ ସହିତ ମୋବାଇଲରେ କଥା ହେଉଥିବା ବେଳେ ହଠାତ୍‌ ଅଷ୍ଟମୀ କହିଲେ, ‘ମୋତେ ଛାଡ଼ିଦିଅ। ମୁଁ ଆଉ ସେଭଳି କାମ କରିବି ନାହିଁ। ତା’ପରେ ମୋବାଇଲ ସୁଇଚ୍‌ଅଫ୍‌ ହୋଇଯାଇଥିଲା। ତା’ପରଠୁ ରବିବାର ସକାଳ ଯାଏ ଅଷ୍ଟମୀଙ୍କର ପତ୍ତା ମିଳିନଥିଲା।’

ସବୁ ସହଯୋଗୀ ଖୋଜାଖୋଜି କରିବା ପ‌ରେ ବଲାଙ୍ଗୀର ରାଜୀବ ନଗର-ବିଜାଖମନ ରାସ୍ତାକଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଷ୍ଟମୀଙ୍କ ମୃତଦେହ ମିଳିଥିଲା। ସେ କାମ କରୁଥିବା ୱେଷ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ ସେଣ୍ଟରରୁ ମାତ୍ର ଦୁଇଶହ ମିଟର ଦୂରରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ସହକର୍ମୀମାନେ ପୁଲିସକୁ ଖବର ଦେଇଥିଲେ। ପାଖରେ ଲାଗିଥିବା ଏକ ଇଟା କାରଖାନାର ସିସିଟିଭି କ୍ୟାମେରାରୁ ବି ଏହା ସ୍ପଷ୍ଟ ହୋଇଛି। ମାତ୍ର, ୨୦୦ ମିଟର ଆସିବା ପରେ ନିଛାଟିଆ ଜାଗା ହୋଇଥିବାରୁ ଅଷ୍ଟମୀଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ସନ୍ଦେହ କରୁଛି ପୁଲିସ। ହାତରେ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଟାଉନ ଥାନା ପୁଲିସ ଘଟଣାକୁ ନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବଲାଙ୍ଗୀର ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି, ଏହା ଏକ ହତ୍ୟା ମାମଲା। ଘଟଣାର ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଅପରାଧୀ ଧରାପଡ଼ିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe