ଦରକାର ବେଳେ ଖୋଜା, କାମ ଶେଷ ପରେ ବିଦା : ଛଟେଇର ପ୍ରତିବାଦ କଲେ ମହିଳା ସ୍ୱାସ୍ଥ୍ୟକର୍ମୀ

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣାରେ ବସିଲେ ୧୬୪ ଜଣ

ଦରକାର ବେଳେ ଖୋଜା, କାମ ଶେଷ ପରେ ବିଦା : ଛଟେଇର ପ୍ରତିବାଦ କଲେ ମହିଳା ସ୍ୱାସ୍ଥ୍ୟକର୍ମୀ

ଫୁଲବାଣୀ : କରୋନା ସଂକ୍ରମଣ ହୁ ହୁ ବଢିଲା। ସ୍ୱାସ୍ଥ୍ୟକର୍ମୀ ଅଭାବରୁ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ତାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶମତେ ପ୍ରତି ଜିଲ୍ଲାରେ ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦିଆଗଲା। ଘଡିସନ୍ଧି ସମୟରେ ନିଯୁକ୍ତି ପାଇ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ସେବା କଲେ। ଏବେ କରୋନା ସଂକ୍ରମଣ କମିବା ପରେ ସେମାନଙ୍କୁ ବିଦା କରାଯାଉଛି। ଏହାକୁ ନେଇ କନ୍ଧମାଳ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଛଟେଇ ପ୍ରତିବାଦ କରି ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରୋନା ସମୟରେ ନିଯୁକ୍ତ ସମସ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ଧାରଣାରେ ଦେଇଛନ୍ତି।

ଜୁନ ମାସରେ କନ୍ଧମାଳରେ ପ୍ରଥମ କରୋନା ସଂକ୍ରମଣ ବାହାରିଥିଲା। ତାପରେ ପରେ ସଂକ୍ରମଣ ବୃଦ୍ଧି ପାଇଥିଲା। ଏହାକୁ ଦୃଷ୍ଟି ରଖି ଅଗଷ୍ଟ ୬ ତାରିଖରେ ଦିନକୁ ୮୫୦ ଟଙ୍କା ହିସାବରେ ତାଲିମପ୍ରାପ୍ତ ୧୬୪ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଥିଲା। ନିଯୁକ୍ତି ପରେ ମହିଳା ସ୍ବାସ୍ଥ୍ୟକର୍ମୀମାନେ ପ୍ରତି ପଞ୍ଚାୟତରେ ଖୋଲା ଯାଇଥିବା କୋଭିଡ କେୟାର ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି କାମ କରିଥିଲେ। ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ସେବା କଲେ। ତାପରେ ଘରଘର ବୁଲି ଲୋକଙ୍କ କୋଭିଡ ଟେଷ୍ଟିଂ ସହ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ନିର୍ଦ୍ଦେଶ ଅନୁଯାୟୀ ପ୍ରତି ପରିବାର ଲୋକଙ୍କୁ ମାସ୍କ ବି ବାଣ୍ଟିଥିଲେ। ସଂପ୍ରତି କନ୍ଧମାଳରେ କରୋନା ଗ୍ରାଫ ବହୁ ତଳକୁ ଖସି ଥିବାରୁ ଏବେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଆଉ ରଖିବାକୁ ଚାହୁଁ ନାହାନ୍ତି। ଯାହା ଫଳରେ ନିଯୁକ୍ତ ୧୬୪ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଆଜିଠାରୁ ଛଟେଇ କରି ଦିଆଯାଇଛି। ଏହାକୁ ନେଇ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସ୍ଥାୟୀ ନିଯୁକ୍ତି ଦାବିରେ ସଶ୍ମିତା ପ୍ରଧାନ,ସୁନିତା ବଗର୍ତ୍ତି,ନିଳିମା ଦିଗାଲ,ଟ୍ବିଙ୍କଲ ସୁବୁଦ୍ଧି,ଆଶାଲତା ପ୍ରଧାନ,ପ୍ରମୋଦା ପ୍ରଧାନ,ଚିନ୍ମୟୀ ବେହେରା ପ୍ରମୁଖଙ୍କ ନେତୃତ୍ବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତେ ଧାରଣାରେ ବସିଛନ୍ତି। ସ୍ଥାୟୀ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ନ ମିଳିଲେ ଧାରଣା ଜାରି ରହିବ ବୋଲି ମହିଳା ସ୍ୱାସ୍ଥ୍ୟକର୍ମୀମାନେ କହିଛନ୍ତି। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ଡା.ରାଜଶ୍ରୀ ପଟ୍ଟନାୟକ କହନ୍ତି ଅସ୍ଥାୟୀ ଭାବେ ପୁନଃ ନିଯୁକ୍ତି ପାଇଁ ସରକାରୀ ନିର୍ଦ୍ଦେଶନାମା ଆସି ନାହିଁ। ତେଣୁ ହୋଇଥିବା ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଆଜି କାର୍ଯ୍ୟ ଅବଧି ଶେଷ ହେଉଛି। ଏ ନେଇ ୧୦ ଦିନ ପୂର୍ବରୁ ସମସ୍ତଙ୍କୁ ନୋଟିସ ଦିଆଯାଇଥିଲା ବୋଲି ସେ କହିଛନ୍ତି। ଶୀତ ଦିନରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ରହିଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂର୍ବରୁ ସତର୍କ କରାଇ ଦେଇଛି। ଯେ ହେତୁ କନ୍ଧମାଳ ଏକ ଶୀତ ପ୍ରବଣ ଜିଲ୍ଲା ତେଣୁ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ ବଦଳରେ ପୁନଃ ନିଯୁକ୍ତି ଦେବାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe