ସାର କଳାବଜାର: ଆବଶ୍ୟକତାଠାରୁ ଅଧିକ ଯୋଗାଣ ସତ୍ତ୍ବେ ଅଭାବ!

ସାର ଅଭାବକୁ ନେଇ ରାଜ୍ୟରେ ଚାଷ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହୋଇଥିବା ବେଳେ ଚାଷୀମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଲାଗି ରହିଛି। ଚଳିତ ବର୍ଷ ଖରିଫ ଫସଲ ପାଇଁ  ସରକାର ଧାର୍ଯ୍ୟ କରିଥିବା ଆବଶ୍ୟକ....

fertilizer

Photograph: (Fertilizer machine)

ଭୁବନେଶ୍ବର: ସାର ଅଭାବକୁ ନେଇ ରାଜ୍ୟରେ ଚାଷ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହୋଇଥିବା ବେଳେ ଚାଷୀମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଲାଗି ରହିଛି। ଚଳିତ ବର୍ଷ ଖରିଫ ଫସଲ ପାଇଁ  ସରକାର ଧାର୍ଯ୍ୟ କରିଥିବା ଆବଶ୍ୟକ ସାର ଠାରୁ ଏଥି ମଧ୍ୟ‌ରେ ଅଧିକ ପରିମାଣରେ ଯୋଗାଣ ହୋଇସାରିଛି। ତାହା ସତ୍ତ୍ବେ ସାର ଅଭାବକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଚାଷ ଓ ଚାଷୀଙ୍କୁ ଉତ୍ସାହିତ କରୁଥିବା ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ(ମାର୍କଫେଡ୍) ଅଧୀନ ୨୭୧୦ଟି ପ୍ୟାକ୍ସ ଓ ଲ୍ୟାମ୍ପ୍‌ସ  ମଧ୍ୟରୁ ପ୍ରାୟ ୭୮୩ଟିକୁ ସାର ଯୋଗାଣ ପ୍ରକ୍ରିୟାରୁ ବାଦ ଦିଆଯାଇଛି। ଅପରପକ୍ଷରେ ଖୋଲା ବଜାରରେ ୬୫ଭାଗ ସାର ଯୋଗାଣରେ ବ୍ୟାପକ କଳାବଜାର ଓ ଦୁର୍ନୀତି ନେଇ ପ୍ରଶ୍ନ ଉଠିଛି।

ଗତ ବର୍ଷଠାରୁ ଧାନର ସହାୟକ ମୂଲ୍ୟ ବୃଦ୍ଧି ସହିତ ଅନୁକୂଳ ବର୍ଷା‌‌ ଯୋଗୁଁ ଚଳିତ ବର୍ଷ ବିଗତ ବର୍ଷ ଅପେକ୍ଷା ଅଧିକ ଧାନ ଚାଷ କରାଯାଇଛି। ଏହାକୁ ଲକ୍ଷ୍ୟ କରି ଚଳିତ ବର୍ଷ ୯ଲକ୍ଷ ୫୫ହଜାର ମେଟ୍ରିକ୍ ଟନ୍ ସାର ଆବଶ୍ୟକତା ଥିବା ବେଳେ ଗତକାଲି ସୁଦ୍ଧା ୧୧ଲକ୍ଷ ୧୫ହଜାର ୩୬୯ ମେଟ୍ରିକ୍ ଟନ୍ ସାର ଯୋଗାଣ ହୋଇଛି। ଆବଶ୍ୟକ ଠାରୁ ପ୍ରାୟ ୧.୬ ମେଟ୍ରିକ୍ ଟନ୍ ଅଧିକ ସାର ଯୋଗାଣ ହୋଇଛି। ଏହା ସତ୍ତ୍ବେ ସାରର ଘୋର ଅଭାବ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଇଛି। ବିଶେଷ କରି ସାର ଯୋଗାଣରେ ଅବ୍ୟବସ୍ଥା ନେଇ ଚାଷୀ, ଚାଷୀ ସଂଘ ଓ ସମବାୟବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

୭୮୩ ପ୍ୟାକ୍ସ ସାର ଯୋଗାଣରୁ ବାଦ୍‌ କାହିଁକି?

ସାର ଯୋଗାଣର ମାତ୍ର ୩୫ ଭାଗ ମାର୍କଫେଡ୍ ଅଧୀନରେ ଥିବା ପ୍ୟାକ୍ସ ଓ ଲ୍ୟାମ୍ପ୍‌ସ ଜରିଆରେ ଚାଷୀମାନଙ୍କୁ ‌ଯୋଗାଣ କରିବାର ଲକ୍ଷ୍ୟ ରହିଥିବା ବେଳେ ଏଥି ମଧ୍ୟରେ ମାତ୍ର ୨୧ ଭାଗ ଅର୍ଥାତ୍ ୧,୬୮,୩୬୩ ମେଟ୍ରିକ୍ ଟନ୍ ସାର ଯୋଗାଣ ହୋଇଛି। ରାଜ୍ୟରେ ମୋଟ ୨୭୧୦ଟି ପ୍ୟାକ୍ସ ଓ ଲ୍ୟାମ୍ପସ ମଧ୍ୟରୁ ୧୯୨୭ଟି  ଚଳିତ ବର୍ଷ ଏହି ସାର ଯୋଗାଣ ପ୍ରକ୍ରିୟାରେ ସାମିଲ କରାଯାଇଥିବା ବେଳେ ୭୮୩ଟି ବାଦ୍‌ ପଡ଼ିଛି। ଅଥଚ ରାଜ୍ୟ କୃଷି ନିଗମକୁ ୧୫ଭାଗ ଓ ଖୋଲା ମାର୍କେଟ୍ କୁ ୫୦ଭାଗ ସାର ଯୋଗାଣ ହୋଇଛି। ଅର୍ଥାତ୍ ମାର୍କଫେଡ୍ ବାଦ୍‌ ୬୫ ଭାଗ ସାର ଦୋକାନୀମାନଙ୍କ ଜରିଆରେ ବିକ୍ରି ହେଉଛି। ଯେଉଁଠାରେ ବ୍ୟାପକ ଦୁର୍ନୀତି‌ ହେଉଥିବାର ଅଭିଯୋଗ ହେଉଛି। ସାର ଯୋଗାଣକାରୀ ସଂସ୍ଥା ଓ ଡିଲରମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁଁ କାଗଜପତ୍ରରେ ସାର ବିକ୍ରି ହେଉଥିବା ଦର୍ଶାଇ ସବ୍‌ସିଡି ବାବଦରେ କୋଟି କୋଟି ଟଙ୍କା ହଡ଼ପ କରାଯାଉଛି ବୋଲି ଗୁରୁତର ଅଭିଯୋଗ ବିଭିନ୍ନ ସମୟରେ ହୋଇଆସିଛି। 

ମାର୍କଫେଡ୍‌ର ପରିଚାଳନା ପରିଷଦର ବରିଷ୍ଠ ନିର୍ଦ୍ଦେଶକ ପ୍ରମୋଦ ସାମଲ ସାର ଅଭାବ ନେଇ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଶତ ପ୍ରତିଶତ ସାର ଯୋଗାଣ ମାର୍କଫେଡ୍ ନିୟନ୍ତ୍ରିତ ପାକ୍ସ ଓ ଲ୍ୟାମ୍ପ୍ସ ଦ୍ବାରା କରାଯାଉଛି। ଓଡ଼ିଶାରେ ମାତ୍ର  ୩୫ ଭାଗ ସାର୍ ମାର୍କଫେଡ୍ ଦ୍ବାରା ଯୋଗାଣ କରାଯାଉଛି। ଏହା ଦ୍ବାରା ଚାଷ ପ୍ରଭାବିତ ହେଉଥିବା ବେଳେ ଚାଷୀମାନେ ଶୋଷିତ ହେଉଛନ୍ତି। ଖୋଲା ବଜାରରେ ସାର ଯୋଗାଣକୁ ଉତ୍ସାହିତ ନକରି ମାର୍କଫେଡ୍ ଦ୍ବାରା ଅଧିକ ସାର ଯୋଗାଣ କରାଗଲେ, ଚାଷୀମାନେ ଶୋଷଣରୁ  ମୁକ୍ତି ପାଇବା ସହିତ ଚାଷ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ। ଓଡ଼ିଶାରେ ୧୯୪୯ରୁ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଗଠନ ହୋଇଥିବା ଏହି ସମବାୟ ସମିତି ବ୍ୟବସ୍ଥା ବିକାଶ ପାଇଁ  ଶ୍ରୀ ସାମଲ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe