Photograph: (Fertilizer machine)
ଭୁବନେଶ୍ବର: ସାର ଅଭାବକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିବା ପରେ ଆଜି କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ୍ ଅଛି। ସାରର କୃତ୍ରିମ ଅଭାବ ଦର୍ଶାଇ ଚାଷୀ ଭାଇଭଉଣୀଙ୍କୁ ଭୟଭୀତ କରାନଯାଉ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ େକ.ଭି ସିଂହଦେଓ, ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସାର ଯୋଗାଣ ସ୍ଥିତିର ନିୟମିତ ସମୀକ୍ଷା କରୁଛନ୍ତି। ଆସନ୍ତା ଦୁଇଦିନ ମଧ୍ୟରେ ପାକ୍ସ ଓ ଲ୍ୟାମ୍ପ୍ସରେ ୧୧୬୯୨ ମେଟ୍ରିକ୍ ଟନ୍ ୟୁରିଆ ପହଞ୍ଚିବ।
ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଇଫ୍କୋ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରାଯାଇଛି ଯେ ନାନୋ ସାର ଭଳି ଅନ୍ୟାନ୍ୟ ଇନ୍ପୁଟ୍ର ଟ୍ୟାଗିଂରୁ ଦୂରେଇ ରହିବେ। ଚାଷୀମାନେ ବିନା ବାଧ୍ୟବାଧକତାରେ ଆବଶ୍ୟକ ଗ୍ରେଡ୍ର ସାର ବାଛି ପାରିବେ। ମାର୍କଫେଡ୍ ଅଧିକାରୀମାନଙ୍କୁ ମଧ୍ୟ ସେହି ଅନୁସାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ବାଦ୍ କଳାବଜାରୀ, ଗଚ୍ଛିତ ନକଲି ସାରର ବିକ୍ରୟ ରୋକିବା ପାଇଁ, କୃଷି, ରାଜସ୍ୱ ଏବଂ ପୁଲିସ ଅଧିକାରୀଙ୍କୁ ନେଇ ଜିଲ୍ଲା ଓ ବ୍ଲକ୍ ସ୍ତରରେ ପ୍ରବର୍ତ୍ତନ ଦଳ ଗଠନ କରାଯାଇଛି। ଯେକୌଣସି ପ୍ରକାରର ବେଆଇନ କାର୍ଯ୍ୟକଳାପ ରୋକିବାକୁ ନିୟମିତ ଭାବେ ସାରର ଖୁଚୁରା ଏବଂ ପାଇକାରୀ ପଏଣ୍ଟଗୁଡ଼ିକରେ ଅଚାନକ ଚଢ଼ାଉ କରାଯାଉଛି।
୩୦ଟି ଦୋକାନରେ ବିକ୍ରି ବନ୍ଦ
୧୨୦୨ ଖୁଚୁରା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍
ନାନୋ ସାର ଟ୍ୟାଗିଂ ନ କରିବାକୁ ଇଫ୍କୋକୁ ତାଗିଦ୍
ଏପର୍ଯ୍ୟନ୍ତ ୪୫୪୬ଟି ଖୁଚୁରା ଦୋକାନ ଯାଞ୍ଚ କରାଯାଇଛି ଏବଂ ୧୨୦୨ଟି ଖୁଚୁରା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେହିପରି ୩୦ଟି ମାମଲାରେ ବ୍ୟବସାୟୀଙ୍କୁ ବିକ୍ରୟ ବନ୍ଦ ନୋଟିସ୍ ଜାରି କରାଯାଇଛି। ସାର ନିୟନ୍ତ୍ରଣ ଆଦେଶ, ୧୯୮୫ ଅନୁଯାୟୀ ଉଲ୍ଲଂଘନ ଅଭିଯୋଗରେ ୬୨ଟି ଡିଲର ଲାଇସେନ୍ସକୁ ନିଲମ୍ବିତ/ବାତିଲ୍ କରାଯାଇଛି। ଏହାବ୍ୟତୀତ ୬ଟି ଡିଲରଙ୍କ କ୍ଷେତ୍ରରେ ଷ୍ଟକ୍ ମଧ୍ୟ ଜବତ କରାଯାଇଛି। ଏହାସହ ବିଭାଗ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଗ୍ରେଡ୍ର ୮.୪୬ ଲକ୍ଷ ମେଟ୍ରିକ ଟନ୍ ସାର ଚାଷୀଙ୍କୁ ବିକ୍ରୟ ସରିଛି ଯେତେବେଳେ କି ଏହି ସମୟ ସୁଦ୍ଧା ଗତବର୍ଷ ୭.୦୩ ଲକ୍ଷ ମେଟ୍ରିକ ଟନ୍ ବିଭିନ୍ନ ଗ୍ରେଡ୍ର ସାର ବିକ୍ରି ହୋଇଥିଲା।
Follow Us