ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିର କଣ୍ଟ ପୂରିଲା: ସାର କାରଖାନା ଆରମ୍ଭ ନୋହିଲା

Advertisment
ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିର କଣ୍ଟ ପୂରିଲା: ସାର କାରଖାନା ଆରମ୍ଭ ନୋହିଲା

TV9 Bharatvarsh

ଅନୁଗୁଳ : ଆଜିକୁ ଠିକ୍ ୩ ବର୍ଷ ତଳେ ତାଳଚେର ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେତେବେଳେ ସେ ଦୃଢୋକ୍ତି କରିଥିଲେ, ଅନ୍ୟ ପ୍ରକଳ୍ପ ପରି ଏହା ଫାଇଲ୍‌ ତଳେ ଚାପି ହୋଇ ରହିଯିବନି। ବରଂ, ୩୬ ମାସ ଭିତରେ ଏଠାରୁ ସାର ଉତ୍ପାଦନ ଆରମ୍ଭ ହୋଇ ସାରିଥିବ। ଆଉ ସେ ନିଜେ ଆସି ଏହାର ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି କଣ୍ଟ ଆଜି ପୂରିଯାଇଛି। ହେଲେ, ତାଳଚେର ସାର କାରଖାନାରୁ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇପାରିଲା ନାହିଁ। ଉତ୍ପାଦନ ଆରମ୍ଭ ହେବା ତ ଦୂରର କଥା, ପ୍ରକଳ୍ପ ନିର୍ମାଣ କାମ ଠିକ୍ ଭାବେ ଆରମ୍ଭ ସୁଦ୍ଧା ହୋଇପାରିନି। ଏଠାରୁ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଆଉ ୩ ବର୍ଷ ସମୟ ମାଗିଛନ୍ତି କର୍ତ୍ତୃପକ୍ଷ।

ତାଳଚେର ସାର କାରଖାନାରେ କୋଇଲା ବାଷ୍ପୀକରଣ (କୋଲ୍ ଗ୍ୟାସିଫିକେସନ) ପ୍ରଯୁକ୍ତିର ଉପଯୋଗ କରାଯିବ। ଏହି ଅଂଚଳରେ ପ୍ରଚୁର ପରିମାଣରେ କୋଇଲା ଉପଲବ୍ଧ ହେଉଥିବାରୁ କୋଇଲାକୁ ଗ୍ୟାସ୍‌ରେ ରୂପାନ୍ତରିତ କରାଯିବ ଏବଂ ସେହି ଗ୍ୟାସ୍‌ରୁ ୟୁରିଆ ସାର ଉତ୍ପାଦନ କରାଯିବ। ଏଥିପାଇଁ ୨୦୧୮ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ଶୁଭ ଦେଇଥିଲେ। ସେତେବେଳେ ଏହା ଶେଷ କରିବା ପାଇଁ ୩ ବର୍ଷ ସମୟ ମାଗିଥିଲେ। ତାଳଚେରରେ ହୋଇଥିବା ଏହି ଭରା ସଭାରେ ସେ କହିଥିଲେ ଯେ ଏହି ସାର କାରଖାନା ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। କେବେ କାମ ଆରମ୍ଭ ହେବ, କେବେ ଶେଷ ହେବ ଓ କେବେଠାରୁ ଏଠାରେ ଉତ୍ପାଦନ ଆରମ୍ଭ ହେବ ଲୋକମାନେ ଜାଣିବାକୁ ଚାହୁଛନ୍ତି। ଏଥିନେଇ ସେ ମଧ୍ୟ ଜାଣିବାକୁ ଚାହିଥିଲେ। ଆଉ ୩୬ ମାସ ଭିତରେ ଏହାର କାମ ଶେଷ ହୋଇ ଏଠାରୁ ଉତ୍ପାଦନ ଆରମ୍ଭ ହେବ ବୋଲି ଅଧିକାରୀମାନେ କଣ୍ଟ ଦେଇଛନ୍ତି। ତେଣୁ ଠିକ୍ ୩ ବର୍ଷ ପରେ ସେ ଆଉ ଥରେ ତାଳଚେର ଆସି ଏହାର ଲୋକାର୍ପଣ କରିବେ।

ପ୍ରଧାନମନ୍ତ୍ରୀଙ୍କ ଏହି ସକାରାତ୍ମକ ସନ୍ଦେଶ ସେତେବେଳେ ଲୋକଙ୍କ ମନରେ ଅନେକ ଆଶା ସଂଚାର କରିଥିଲା। ତାଳଚେରବାସୀ ଭାବିଥିଲେ, ପ୍ରଧାନମନ୍ତ୍ରୀ ଭରା ସଭାରେ କହୁଛନ୍ତି ମାନେ ୩ ବର୍ଷ ଭିତରେ ତାଳଚେର ସାର କାରଖାନା ସରିବା ନିଶ୍ଚିତ। ଆଉ ସାର କାରଖାନା ଖୋଲିବା ପରେ ଅଞ୍ଚଳର ଅର୍ଥନୈତିକ ବିକାଶ ହେବା ନେଇ ଅନେକ ସ୍ବପ୍ନ ଦେଖିଥିଲେ। ହେଲେ ଏହି ସ୍ବପ୍ନ ଏବେ ପାଣିଚିଆ ହେବାକୁ ବସିଛି। ପ୍ରଧାନମନ୍ତ୍ରୀ ଦେଇଥିବା କଣ୍ଟ ପୂରିଥିଲେ ମଧ୍ୟ ଏହି ପ୍ରକଳ୍ପ ଶେଷ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe