ଦଶପଲ୍ଲା ଅଂଚଳରେ ସରକାରୀ ମୂଲ୍ୟଠାରୁ ଚଢ଼ାଦରରେ ବିକ୍ରି ହେଉଛି ସାର, ଶୋଷଣର ଶିକାର ହେଉଛନ୍ତି ଚାଷୀ

Advertisment
ଦଶପଲ୍ଲା ଅଂଚଳରେ ସରକାରୀ ମୂଲ୍ୟଠାରୁ ଚଢ଼ାଦରରେ ବିକ୍ରି ହେଉଛି ସାର, ଶୋଷଣର ଶିକାର ହେଉଛନ୍ତି ଚାଷୀ

farmingfortomorrow.ca

ଦଶପଲ୍ଲା : ରାଜ୍ୟରେ ଚାଷର ବିକାଶ ପାଇଁ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ମାନର କୃଷି ଯନ୍ତ୍ରପାତି ସହ ସାର ଏବଂ ବିହନ ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଯେପରି ବିହନ ଏବଂ ସାର ଠିକ୍ ଭାବେ ଚାଷୀଙ୍କ ନିକଟରେ ପହଞ୍ଚୁଛି ନା ନାହିଁ ତାକୁ ମଧ୍ୟ ଅନୁଧ୍ୟାନ କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସବୁ ସତ୍ତ୍ବେ ଚାଷୀଙ୍କୁ ଠିକ୍ ମୂଲ୍ୟରେ ମିଳୁନି ସାର। ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଚଢ଼ା ଦରରେ ଚାଷୀଙ୍କୁ ସାର ବିକ୍ରି କରାଯାଉଥିବା ଭଳି ଗୁରୁତର ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ ଏବଂ ସୋସାଇଟି ମଧ୍ୟରେ ନିୟନ୍ତ୍ରଣ ରହୁନଥିବା ବେଳେ ଚାଷୀ ଶୋଷଣର ଶିକାର ହୋଇ ଚାଲିଛନ୍ତି। ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ଚାଷୀଙ୍କୁ ସୋସାଇଟି ସବୁରୁ ସାର ମିଳି ପାରୁନଥିବା ବେଳେ ବାଧ୍ୟ ହୋଇ ଚାଷୀ ଚଢ଼ା ଦରରେ ସାର କ୍ରୟ କରୁଥିବା ଅଭିଯୋଗ ହେଉଛି।

publive-image pratisrutiplus.com

ସୂଚନା ଅନୁଯାୟୀ, ଚାଷୀଙ୍କୁ ସାର ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ଡିଲର୍‌ ନିଯୁକ୍ତି ହୋଇଥିବା ବେଳେ ପ୍ରତ୍ୟେକ ସୋସାଇଟି ଜରିଆରେ ଚାଷୀଙ୍କୁ ସାର ଯୋଗାଇ ଦିଆଯାଇଥାଏ। ସୋସାଇଟି ସାର ସଂଗ୍ରହ କରିବା ପରେ ଚାଷୀ ଯେପରି ଠିକ୍ ଭାବେ ସାର ପାଇ ପାରିବେ ସେଥିପାଇଁ ପ୍ରତ୍ୟେକ ସୋସାଇଟିରେ ଏହାର ରେଟ୍ ଚାର୍ଟ ଲଗାଯିବାର ନିୟମ ରହିଛି। ଚାଷୀ ନିଜର ଆଧାର କାର୍ଡର ଜେରକ୍ସ ଦେବା ସହ ପସ୍ ମେସିନ୍‌ରେ ଟିପ ଚିହ୍ନ ଦେଇ ସାର କ୍ରୟ କରିବେ। ଚାଷୀ କେତେ ସାର କ୍ରୟ କଲେ ଏବଂ କେତେ ଟଙ୍କା ଦେଲେ ତାକୁ ନେଇ ସଂପୃକ୍ତ ସୋସାଇଟି ଚାଷୀଙ୍କୁ ବିଲ୍ ମଧ୍ୟ ଦେବେ। ମାତ୍ର ଦଶପଲ୍ଲା ବ୍ଲକ୍‌ର ବିଭିନ୍ନ ସୋସାଇଟିରେ ଏହି ନିୟମରେ ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଭିନ୍ନ ସୋସାଇଟିରେ ଚାଷୀଙ୍କଠାରୁ ଟିପ ଚିହ୍ନ ନିଆଯାଉ ନଥିବା ବେଳେ ବିଲ୍ ମଧ୍ୟ ମିଳୁନଥିବା ଅଭିଯୋଗ ହେଉଛି। ଏହିଭଳି ମଧ୍ୟଖଣ୍ତ ଏବଂ ଡିହଗାଁ ଅଂଚଳର ଅନେକ ଚାଷୀଙ୍କଠାରୁ ସମାନ ଅଭିଯୋଗ ଶୁଣିବାକୁ ମିଳିଛି। ଏପରିକି ସରକାରୀ ମୂଲ୍ୟଠାରୁ ଚଢା ଦରରେ ସାର ବିକ୍ରି କରାଯାଉଥିବା ଭଳି ଗୁରୁତର ଅଭିଯୋଗ ହେଉଛି। ହେଲେ ଏଥିପାଇଁ ବିଭାଗୀୟ ଅଧିକାରୀମାନେ ଆଦୌ ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳିଛି।

ଦଶପଲ୍ଲା ଅଂଚଳରେ ସମୁଦାୟ ୧୪ଟି ସୋସାଇଟି ରହିଥିବା ବେଳେ ହାତ ଗଣତି କିଛି ସୋସାଇଟି ସାର ବିକ୍ରି କରୁଥିବା ବେଳେ ଅଧିକାଂଶ ସୋସାଇଟିରେ ସାର ପହଞ୍ଚି ପାରିନାହିଁ। ଯେଉଁ ସବୁ ସୋସାଇଟି ସାର ବିକ୍ରି କରୁଛି ସେହି ସୋସାଇଟି ପ୍ରତି ମାଫେର୍ଟର କୌଣସି ନିୟନ୍ତ୍ରଣ ରହୁନଥିବା ଦେଖିବାକୁ ମିଳିଛି। ୟୁରିଆ ସାର ପ୍ରତି ସରକାରୀ ମୂଲ୍ୟ ୨ ଶହ ୬୬ ଟଙ୍କା ରହିଥିବା ବେଳେ କେଉଁ ସୋସାଇଟିରେ ୨ ଶହ ୯୦ ଟଙ୍କା ତ ପୁଣି କେଉଁ ସୋସାଇଟିରେ ୩ ଶହ ୨୦ ଟଙ୍କା ଦରରେ ସାର ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏପଟେ ମଧ୍ୟ କିଛି ସୋସାଇଟି ସମ୍ପାଦକଙ୍କ କହିବା ଅନୁଯାୟୀ ସୋସାଇଟିଗୁଡ଼ିକରେ କେତେ ପରିମାଣର ସାର ଆବଶ୍ୟକ ତାକୁ ନେଇ ମାଫେର୍ଟକୁ ତାଲିକା ପଠାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ସାର ପହଞ୍ଚି ପାରିନଥିବା ପ୍ରକାଶ କରିଛନ୍ତି। ଫଳରେ ଦୂରଦୂରାନ୍ତରର ଚାଷୀମାନେ ସାର ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି। ଏହାକୁ ନେଇ ମାଫେର୍ଟର ଗୋଦାମ ମ୍ୟାନେଜର ପ୍ରଶାନ୍ତ କୁମାର ରାଉତଙ୍କ କହିବା ଅନୁଯାୟୀ, କର୍ମଚାରୀ ଅଭାବ ହେତୁ ଏହା ଉପରେ ନଜର ରଖିବା ସମ୍ଭବ ହେଉନାହିଁ। ମାତ୍ର ସୋସାଇଟି ସାର ନେବା ପରେ ସେ କେତେ ମାର୍ଜିନରେ ବିକ୍ରି କରିବ ତାହା ସେମାନେ ସ୍ଥିର କରିବେ ବୋଲି କହିଛନ୍ତି। କିନ୍ତୁ ଏହାକୁ ନେଇ ସହକାରୀ କୃଷି ଅଧିକାରୀ ପ୍ରଜ୍ଞାଦତ୍ତ ପ୍ରିୟଦର୍ଶିନୀ କହିଛନ୍ତି, ସୋସାଇଟିଗୁଡ଼ିକରେ ଏତେ ମୂଲ୍ୟରେ ସାର ବିକ୍ରି କରିବାର ନିୟମ ନାହିଁ; ସେମାନେ ସାର ବିକ୍ରି କରିବା ପରେ ଚାଷୀଙ୍କୁ ବିଲ୍ ଦେବେ; ତେବେ ଏହି ଅଭିଯୋଗ ପ୍ରତି ତୁରନ୍ତ ଦୃଷ୍ଟି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe