ଜ୍ୱରରେ କମ୍ପୁଛି ନଗଡ଼ା, ଘରେ ଘରେ ରୋଗୀ

ଜ୍ୱରରେ କମ୍ପୁଛି ନଗଡ଼ା, ଘରେ ଘରେ ରୋଗୀ

କାଳିଆପାଣି : ଜ୍ବରରେ କମ୍ପୁଛି ନଗଡ଼ା। ପ୍ରାୟ ପ୍ରତ୍ୟେକ ଘରେ ରୋଗୀ। ଅଧିକାଂଶ ରୋଗୀଙ୍କର ମୁଣ୍ଡବିନ୍ଧା, କାଶ ଓ ଘୋଳାବିନ୍ଧା ହେଉଛି। ମଝି ନଗଡ଼ାର ସୁନିଆରି ଓ ବାଲୁ ପ୍ରଧାନଙ୍କ ୩ ଝିଅ କନକ(୫), ଜାନକୀ(୩) ଓ ରିନା(୧୮ ମାସ), ଠୁଳୁ ଓ ସୁନା ପ୍ରଧାନଙ୍କ ୨ ପୁଅ ଦୁଃଖିଆ(୭) ଓ ଲକ୍ଷ୍ମଣ(୩), ଲକ୍ଷ୍ମୀ ଓ ସୁନିଆଁ ପ୍ରଧାନଙ୍କ ଝିଅ ରେବତୀ(୪), ତଳ ନଗଡ଼ାର ଗାଲେ ଓ ମଙ୍ଗୁଳୁ ପ୍ରଧାନଙ୍କ ଝିଅ ଗୋଲାପ(୮), ପୁଅ ଉଦି(୬) ଓ ରଥିଆ(୩), ରୁପାଲି ଓ ଧନିଆ ପ୍ରଧାନଙ୍କ ୨ ପୁଅ ରାଜେଶ(୩) ଓ ସଞ୍ଜୟ(୧), ଲକ୍ଷ୍ମୀ ଓ ଅଷାଢ଼ୁ ପ୍ରଧାନଙ୍କ ପୁଅ ଡାକ୍ତର(୧୦), ଆନ୍ଦାରି ଓ ବିକ୍ରମ ପ୍ରଧାନଙ୍କ ଝିଅ ମାମୀ(୩) ଓ ଜୟନ୍ତୀ(୧୮ ମାସ), ବିନୁ ପ୍ରଧାନଙ୍କ ପତ୍ନୀ ଫୁଲମଣି(୨୦), ଅଗୁଣିଆ ପ୍ରଧାନଙ୍କ ପତ୍ନୀ ବୈଶାଖୀ(୪୧), ଉପର ନଗଡ଼ାର ସୁବା ଓ ଶିଖର ପ୍ରଧାନଙ୍କ ପୁଅ ସୁଧାଂଶୁ(୪) ଓ ଚନ୍ଦନ(୨) ପ୍ରମୁଖ ଜ୍ବରରେ କମ୍ପୁଛନ୍ତି। ତୁମୁଣି ଗାଁ ମୁଖିଆ ମିଟୁ ପ୍ରଧାନ(୬୫), ମାଛୁଆ ପ୍ରଧାନ(୪୬), ଓଡ଼ିଆ ପ୍ରଧାନ(୪୧), ଶିଙ୍ଗ ପ୍ରଧାନ(୫୦) ପ୍ରମୁଖ ଜ୍ବରରେ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ପରିବାରର ଏକାଧିକ ସଦସ୍ୟ ମଧ୍ୟ ଜ୍ବରରେ ପୀଡ଼ିତ ଅଛନ୍ତି।

ସେହିପରି ଗୁହିଆଶାଳ ରାଜସ୍ବ ମୌଜା ଓ ତଳଡିହ ଜୁଆଙ୍ଗ ବସ୍ତିର ୨୦ ରୁ ଅଧିକ ବ୍ୟକ୍ତି ଅଜଣା ଜ୍ବରରେ ପୀଡ଼ିତ ଅଛନ୍ତି। ନଗଡ଼ାରେ ପକ୍କାଘର ଥିଲେ ବି ରୋଗୀମାନେ ମାଟିଘର ମାଟି ଚଟାଣରେ ଶୋଉଛନ୍ତି। ସେହିପରି ବର୍ଷାରେ ନଗଡ଼ା ପିଲାଏ ବର୍ଷା ପାଣିରେ ଭିଜିଭିଜି ଗାଧୋଉଥିଲେ ମଧ୍ୟ କେହି ଆକଟ କରୁନାହାନ୍ତି। ଦାଣ୍ଡ କଂକ୍ରିଟ୍ ଥିଲେ ମଧ୍ୟ ସବୁ ଘର ସମ୍ମୁଖ ଓ ଅଗଣାରେ କାଦୁଅ ପଚରପଚର। ଘରୁ ବାହାରିଲା ମାତ୍ରେ ସନ୍ତସନ୍ତିଆ ପରିବେଶରେ ଚଳିବାକୁ ପଡ଼ୁଛି। ତୁମୁଣି ଓ ଗୁହିଆଶାଳରେ ଭଙ୍ଗା ଦଦରା ଓ ଝାଟିମାଟି ଛଣ ଛପର ଘରର ଅତ୍ୟନ୍ତ ବିପର୍ଯ୍ୟସ୍ତ ପରିବେଶରେ ଲୋକମାନେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି।

publive-image

ଗତ ୩ ମାସ ମଧ୍ୟରେ ନଗଡ଼ାରେ ବିବାହ ଓ ନବଜାତକ ଏକୋଇଶିଆକୁ ନେଇ ଅନୁଷ୍ଠିତ ୧୦ ରୁ ଅଧିକ ଉତ୍ସବରେ ପରିବାର, ଆତ୍ମୀୟ ସ୍ବଜନ, ବନ୍ଧୁବାନ୍ଧବ ଓ ସାହିଭାଇଙ୍କୁ ନେଇ ୨ ଶହରୁ ଅଧିକ ବ୍ୟକ୍ତିଙ୍କ ସମାଗମ ହୋଇଥିବା ବେଳେ କେଉଁଠି ବି ସାମାଜିକ ଦୂରତା ରକ୍ଷା କରାଯାଇନାହିଁ। ମାସେ ମଧ୍ୟରେ ୩୦ ରୁ ଅଧିକ ଲୋକ ଜ୍ବରରେ ଆକ୍ରାନ୍ତ ହୋଇ ପରେ ସୁସ୍ଥ ‌ହୋଇଛନ୍ତି। ଦିନକୁ ଦିନ ଜ୍ବର ବ୍ୟାପୁଥିବା ଗ୍ରାମବାସୀ କହିଛନ୍ତି। ସାପ୍ତାହିକ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଶିବିର ଜରିଆରେ ଡାକ୍ତରୀ ଦଳ ନଗଡ଼ା ଯାଉଥିଲେ ମଧ୍ୟ ଏଠାକାର ରୋଗୀ ଡାକ୍ତର କିମ୍ବା ଔଷଧକୁ ଭରସା କରୁନାହାନ୍ତି। ଏ ସଂପର୍କରେ ସୁକିନ୍ଦା‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ଯୋଗାଯୋଗ କରିବ‌ାରେ ନଗଡ଼ାରେ ଜ୍ବର ବ୍ୟାପିଥିବା ସଂପର୍କରେ ସେ ଅବଗତ ଥିବା କହିଥିଲେ। ସୋମବାର ଏଠାରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ ଓ ରୋଗୀ ଚିହ୍ନଟ ସହ ସହ ସାମୂହିକ ମେଲେରିଆ ପରୀକ୍ଷଣ କରାଯିବ ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe