ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଏବେ ଗାଁ ଗାଁରେ କରୋନା କହର। ଖପ୍ରାଖୋଲ ଅଞ୍ଚଳ ବିଭିନ୍ନ ଗାଁରେ ଅଧିକାଂଶ ଲୋକଙ୍କୁ ଜ୍ୱର। ସଇନ୍ତଲା ବ୍ଲକ୍ ଟିକ୍ରାପଡ଼ା ପଞ୍ଚାୟତ କଦଳୀମୁଣ୍ଡା ଗାଁର ସବୁ ଘରେ ଘରେ ଜ୍ୱର ଖବର ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗାଁକୁ ପହଞ୍ଚି ସ୍ୱାବ୍ ସଂଗ୍ରହ କରିଛି। କଦଳୀମୁଣ୍ଡା ଗାଁର ଅଧିକାଂଶ ଲୋକଙ୍କୁ ଏବେ ଥଣ୍ଡା ଜ୍ୱର। ଦିନ ଦିନ ଧରି ଜ୍ୱର ଛାଡୁନି। ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ କ୍ୱାକ୍ମାନଙ୍କ ପାଖରୁ ଔଷଧ ନେଇ ଲୋକେ ଖାଉଥିଲେ। କୌଣସି ଟେଷ୍ଟର ବ୍ୟବସ୍ଥା ନଥିଲା। ଏ ନେଇ ଖବର ପ୍ରକାଶନ ପରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ଗାଁକୁ ଯାଇ ପରୀକ୍ଷା କରିଛି। ନମୁନା ବି ସଂଗ୍ରହ କରିଛି।
କିନ୍ତୁ କେବଳ କଦଳୀମୁଣ୍ଡା ଗାଁ ନୁହେଁ, ଟିକ୍ରାପଡ଼ା ପଞ୍ଚାୟତର ଆଉ ଏକ ଗାଁ ଦେଓଗାଁରେ ବି ସମାନ ଅବସ୍ଥା। ଏଣୁ ସେଠାରୁ ବି ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ସ୍ୱାବ୍ ସଂଗ୍ରହ କରିଛନ୍ତି। ଦେଓଗାଁରେ ବି ଅଧିକାଂଶ ଲୋକଙ୍କୁ ଜ୍ୱର। ଏଣୁ ଉଭୟ ଗାଁରୁ ପାଖାପାଖି ୧୦୦ ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇଛି। ସିଡିଏମ୍ଓ ଡା. ଭୀମ ସାହୁ କହିଛନ୍ତି, ଗାଁକୁ ଏକ ଟିମ୍ ପଠାଯାଇଥିଲା। ସେମାନେ ରିପୋର୍ଟ ଦେଇ ନାହାନ୍ତି। ସମସ୍ତଙ୍କୁ ଔଷଧପତ୍ର ସବୁ ଦିଆଯାଇଛି। ମଙ୍ଗଳବାର ସବିଶେଷ ରିପୋର୍ଟ ପାଇବା ପରେ ଗାଁର ସ୍ଥିତି ଉପରେ ସୂଚନା ଦେଇପାରିବେ ବୋଲି କହିଥିଲେ।
Follow Us