୨୪ ପାଇଁ କ୍ଷେତ୍ର ପ୍ରସ୍ତୁତି: ଅନୁଗୁଳରୁ ଲଢ଼ିବେ କି ଧର୍ମେନ୍ଦ୍ର!

Advertisment

୪ ମାସରେ ୫ ଥର ଗସ୍ତ

୪ ମାସରେ ୫ ଥର ଗସ୍ତ

ନିରପେକ୍ଷ କହିଲେ ହେବନାହିଁ, କାମରେ ଦେଖାଇବାକୁ ହେବ : ଧର୍ମେନ୍ଦ୍ର

The Indian Express

ଅନୁଗୁଳ : ୨୦୦୯ ବିଧାନସଭା ନିର୍ବାଚନରେ ପାଳଲହଡ଼ା ଆସନରୁ ହାରିବାପରେ ଆଉ ଓଡ଼ିଶାରୁ ନିର୍ବାଚନ ଲଢ଼ିନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବାହାରୁ ରାଜ୍ୟସଭାକୁ ଯାଇ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି। ତେବେ ଦୀର୍ଘବର୍ଷ ବ୍ୟବଧାନରେ ଓଡ଼ିଶାକୁ ପୁଣିଥ‌ରେ ଧର୍ମେନ୍ଦ୍ର ପ୍ରଧାନ ଫେରୁଥିବା ନେଇ ଆଲୋଚନା ଆରମ୍ଭ ହୋଇଛି। ଆଉ ଏଥିପାଇଁ ସେ ଅନୁଗୁଳ ଓ ଢେଙ୍କାନାଳକୁ ବାଛିଥିବା କୁହାଯାଉଛି। ଗତ ୪ ମାସ ଭିତରେ ଏଠାକୁ ୫ ଥର ଗସ୍ତରେ ଆସିବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ଦୀର୍ଘଦିନ ହେଲା ଅନୁଗୁଳ ବିଜେଡିର ଗଡ଼ ହୋଇରହିଛି। ଜିଲ୍ଲାର ୫ଟି ଯାକ ଆସନରେ ବିଜେଡିର ବିଧାୟକ ରହିଥିଲାବେଳେ ଢେଙ୍କାନାଳ ଲୋକସଭା ଆସନ ବିଜେଡି ହାତରେ ରହିଛି। ଏହି ଧାରାକୁ ବଦଳାଇବା ପାଇଁ ଏଥର ପାଗ ଭିଡ଼ିଛି ବିଜେପି। ଏଥିପାଇଁ ଆଗକୁ ଆଣିଛି ଦଳର ପାୱାର ସେଣ୍ଟର କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ। ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତି କରିବା ଆରମ୍ଭ କରିଦେଇଛନ୍ତି ପାଳଲହଡ଼ାର ଏହି ପୂର୍ବତନ ବିଧାୟକ ତଥା ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଜେପି ସଂଗଠନକୁ ସିଧାସଳଖ ନିୟନ୍ତ୍ରଣ କରିବା ସହ ତୃଣମୂଳ କର୍ମୀଙ୍କ ସହ ସଂପର୍କ ଯୋଡ଼ୁଛନ୍ତି। ଆଗକୁ ଏଠାରୁ ଲଢ଼ିବା ନେଇ ପରୋକ୍ଷରେ ମଧ୍ୟ ଦଳୀୟ ନେତାଙ୍କୁ ସଙ୍କେତ ଦେଇଥିବା ଦଳୀୟ ମହଲରୁ ଜଣାପଡ଼ିଛି।

publive-image dna india

ଚଳିତବର୍ଷ ପ୍ରଥମ ଭାଗରେ ପଞ୍ଚାୟତ ଓ ପୌର ନିର୍ବାଚନ ହୋଇଥିଲେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଦ ଜନ୍ମମାଟି ଅନୁଗୁଳ ଜିଲ୍ଲାରେ ପଡ଼ି ନ ଥିଲା। କିନ୍ତୁ, ଏହାପରେ ଏପ୍ରିଲ୍‌ରୁ ହଠାତ୍‌ ବଦଳିଗଲା ତାଙ୍କ ରଣନୀତି। ଏପ୍ରିଲ ୧୩ ତାରିଖରେ ସେ ୩ ଦିନିଆ ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଆସିଥିଲେ। ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ସେ ଯୋଗଦେଇ ଫେରିଥିଲେ। ଠିକ୍‌ ମାସକ ପରେ ପୁଣିଥରେ ୩ ଦିନିଆ ଗସ୍ତରେ ଏଠାକୁ ଆସିଥିଲେ ଧର୍ମେନ୍ଦ୍ର। ସେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିଜ ଗାଁକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଜୁନ୍‌ ୧୫ରେ ଧର୍ମେନ୍ଦ୍ର ଦିନିକିଆ ଗସ୍ତରେ ଆସି ବଅଁରପାଳରେ ଇଏସ୍‌ଆଇ ଡାକ୍ତରଖାନା ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ବିଜେପି ପକ୍ଷରୁ ଆୟୋଜିତ ଏକ ଗରିବ କଲ୍ୟାଣ ସମାବେଶ ସମ୍ବୋଧିତ କରି ଫେରିଥିଲେ। ଜୁନ୍‌ ୩୦ରେ ପୁଣିଥରେ ଅନୁଗୁଳ ଗସ୍ତରେ ଆସିଥିଲେ ଧର୍ମେନ୍ଦ୍ର। ତାଳଚେରରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଭୂମିପୂଜା କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଗତ ଜୁଲାଇ ୩୧ରେ ଢେଙ୍କାନାଳ ଜିଲ୍ଲାର ଭୁବନଠାରେ ତ୍ରିରଙ୍ଗା ପଦଯାତ୍ରାରେ ଯୋଗଦେଇ ନୀଳକଣ୍ଠପୁରସ୍ଥିତ ସହିଦ ବାଜି ରାଉତ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ‌ପରେ ଢେଙ୍କାନାଳରେ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ ଶୁଣିଥିଲେ। ଏହାସହିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଯାଇ ଶିକ୍ଷକମାନଙ୍କ ସହ ଜାତୀୟ ଶିକ୍ଷା ନୀତି ନେଇ ଆଲୋଚନା କରିଥିଲେ।

ଗତ ୪ ମାସ ଭିତରେ ୫ ଥର ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଧର୍ମେନ୍ଦ୍ର ଆସିଥିଲାବେଳେ ଏଠାକାର ବିଭିନ୍ନ ପ୍ରସଙ୍ଗ ନେଇ ମଧ୍ୟ ଦିଲ୍ଲୀରେ ସ୍ବର ଉଠାଇଛନ୍ତି। ଜାତୀୟ ରାଜପଥ, ମେଡିକାଲ କଲେଜ, ସାର କାରଖାନା, ଟିଟିପିଏସ୍‌, ବଲଣ୍ଡାର ପତିତ ଜମିର ଉଦ୍ଧାର ସଂପର୍କରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏପଟେ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦଳା ଠାକୁର ପ୍ରଧାନ ଅନୁଗୁଳରେ ବହୁ ସମୟ ଧରି ରହିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଦଳୀୟ ନେତା ଓ କର୍ମୀଙ୍କ ସହ ନିୟମିତ ଆଲୋଚନା କରୁଛନ୍ତି। ସଂଗଠନ ସହ ପରୋକ୍ଷରେ ଜଡ଼ିତ ହୋଇ ରାଜନୀତିର ନାଡ଼ି ପରଖୁଛନ୍ତି।

ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ଆଗରୁ ବିଜେପି ପ୍ରାର୍ଥୀ ହେଉଥିବା ବରିଷ୍ଠ ନେତା ରୁଦ୍ରପାଣି ଆଉ ଲଢ଼ିବେ ନାହିଁ ବୋଲି ପରୋକ୍ଷରେ କହିବା ଓ ଧର୍ମେନ୍ଦ୍ର ସଂଗଠନରେ ସିଧାସଳଖ ମୁଣ୍ଡ ପୂରାଇବା ପରେ ସେ ଏଠାରୁ ଲଢ଼ିବା ସମ୍ଭାବନା ଅଧିକ ବୋଲି ବିଜେପି ମହଲରେ ଆଲୋଚନା ଚାଲିଛି। ଧର୍ମେନ୍ଦ୍ର ଢେଙ୍କାନାଳ ଲୋକସଭା ଆସନରୁ ଲଢ଼ିପାରନ୍ତି ବୋଲି କୁହାଯାଉଛି। ଏପଟେ ପାଳଲହଡ଼ା କିମ୍ବା ତାଳଚେରରୁ ବିଧାନସଭା ପାଇଁ ପ୍ରାର୍ଥୀ ହେବାର ବି ସମ୍ଭାବନା ରହିଛି।

ପୂର୍ବରୁ ଏକ କାର୍ଯ୍ୟକ୍ରମ ଅବସରରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ ରାଜା ସାହେବ ଚାହିଁଲେ ମୁଁ ଏଠାରୁ ପ୍ରାର୍ଥୀ ହେବି।’ ସେ ଅତ୍ୟନ୍ତ ହାଲୁକା ଭାବେ ଏହା କହିଥିଲେ ବି କିଛିଦିନ ଧରି ଏହାକୁ ନେଇ ଚର୍ଚ୍ଚା ହୋଇଥିଲା। ତେବେ, ଏହାପରଠାରୁ ସେ ସମ୍ବଲପୁର ପ୍ରତି ଦୃଷ୍ଟି ନିବଦ୍ଧ କରିନଥିବାରୁ ଏବେ ସେ ଅନୁଗୁଳରୁ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ଅନ୍ୟପକ୍ଷରେ, କୌଣସି ସ୍ପଷ୍ଟ ସଙ୍କେତ ମିଳି ନ ଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ଲେଉଟାଣି ଆଶାରେ ବିଜେପି ଶିବିର ଉତ୍ସାହିତ ହୋଇ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe