ସରିଲା ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ: କେଲୋ ବ୍ୟାରେଜ ଦେଖି ଦିଲ୍ଲୀ ଫେରିଲେ ଟ୍ରିବ୍ୟୁନାଲ

Advertisment
ମହାନଦୀ ଜଳ ବିବାଦ ମାମଲା: ପିଛା ଛାଡ଼ୁନାହାନ୍ତି ଛତିଶଗଡ଼, ଆନ୍ଧ୍ର

ଝାରସୁଗୁଡ଼ା : ମହାନଦୀ ଜଳ ବିବାଦ ମାମଲା ନେଇ ଛତିଶଗଡ଼ରେ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ବୁଧବାର ଶେଷ ହୋଇଛି। ସକାଳୁ ଟ୍ରିବ୍ୟୁନାଲ ସଦସ୍ୟ ରାୟଗଡ଼ର କେଲୋ ବ୍ୟାରେଜ୍ ପରିଦର୍ଶନ କରିଥିଲେ। ଏହି ସମୟରେ କେଲୋ ପ୍ରକଳ୍ପରେ କେତେ ପାଣି ଗଚ୍ଛିତ ରହୁଛି, କେଉଁ ସମୟରେ ପାଣି ଛଡ଼ାଯାଉଛି ଆଦି ପ୍ରସଙ୍ଗରେ ଟିମ୍‌ର ସଦସ୍ୟ ପଚାରି ବୁଝିଥିଲେ। କେଲୋ ପରିଦର୍ଶନ ପରେ ଏହି ଟିମ୍ ଝାରସୁଗୁଡ଼ା ଆସି ସେଠାରୁ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଝାରସୁଗୁଡ଼ା- ଦିଲ୍ଲୀ ବିମାନ ୫ ଘଣ୍ଟା ବିଳମ୍ବ ଥିବାରୁ କେଲୋ ପରିଦର୍ଶନ ପରେ ଟ୍ରିବ୍ୟୁନାଲ ସଦସ୍ୟ ରାୟପୁର ଯାଇ ସେଠାରୁ ଦିଲ୍ଲୀ ଅଭିମୁଖେ ବାହାରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ବୁଧବାର ସକାଳୁ ପ୍ରାୟ ସାଢ଼େ ୯ଟା ବେଳେ ଟ୍ରିବ୍ୟୁନାଲ ସଦସ୍ୟ କେଲୋ ନଦୀ ଉପରେ ହୋଇଥିବା ବ୍ୟାରେଜ୍‌ରେ ପହଞ୍ଚି ଥିଲେ। ପ୍ରାୟ ୨୦ ମିନିଟ୍ ଧରି ଏହି ପ୍ରକଳ୍ପ ବୁଲି ଦେଖିଥିଲେ ଟିମ୍। ଏହି ସମୟରେ ବ୍ୟାରେଜର ୮ଟିରୁ ଗୋଟିଏ ଗେଟ୍ ଦେଇ ନଦୀକୁ ଜଳ ନିଷ୍କାସନ ହେଉଥିବା ଦେଖିଥିଲେ। ତେବେ ଛତିଶଗଡ଼ର ଅନ୍ୟ ପ୍ରକଳ୍ପ ଭଳି କେଲୋରେ ବି ଅନୁରୂପ ଚିତ୍ର ଦେଖିବାକୁ ମିଳିଥିଲା। ବ୍ୟାରେଜ୍‌ରେ ପର୍ଯ୍ୟାପ୍ତ ପରିମାଣର ପାଣି ଗଚ୍ଛିତ ଥିବାବେଳେ ଏହାର ତଳ ମୁଣ୍ଡକୁ ଆଖିଦୃଶିଆ ପାଣି ନିଷ୍କାସନ ହେଉନଥିବା ଅଭିଯୋଗ ହୋଇଥିଲା। ମୁଖ୍ୟତଃ ଜଳସେଚନ ଏହି ପ୍ରକଳ୍ପର ଉଦ୍ଦେଶ୍ୟ ରହିଥିବା ବେଳେ ବ୍ୟାରେଜର ତଳମୁଣ୍ଡରେ ଥିବା ଚାଷୀ ସେତେଟା ଲାଭ ପାଇପାରୁ ନଥିବା କୁହାଯାଉଛି। ଆଜି କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଅନୁପସ୍ଥିତ ଥିବା ବେଳେ ଅନ୍ୟ ଦୁଇ ବିଚାରପତି ସଦସ୍ୟ, ରେଜିଷ୍ଟ୍ରାର, ଦୁଇ ଆସେସର୍, ପକ୍ଷଭୁକ୍ତ ରାଜ୍ୟର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ ସାମିଲ ହୋଇଥିଲେ। ଆସନ୍ତା ୧୦ରୁ ଓଡ଼ିଶାକୁ ଟ୍ରିବ୍ୟୁନାଲ ସଦସ୍ୟ ୨ ଟି ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe