ଡିଜିପି ସୁନିଲ ବଂଶଲଙ୍କ ମାଲକାନଗିରି ଗସ୍ତ: ଆତ୍ମସମର୍ପଣ କଲେ ୫୦ ନକ୍ସଲ ମିଲିସିଆ

Advertisment
ଡିଜିପି ସୁନିଲ ବଂଶଲଙ୍କ ମାଲକାନଗିରି ଗସ୍ତ: ଆତ୍ମସମର୍ପଣ କଲେ ୫୦ ନକ୍ସଲ ମିଲିସିଆ

ମାଲକାନଗିରି/ଚିତ୍ରକୋଣ୍ଡା : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନିଲ ବଂଶଲ ଗୁରୁବାର ଦିନ ଦିନିକିଆ ମାଲକାନଗିରି ଗସ୍ତରେ ଆସି ନକ୍ସଲ ସ୍ଥିତିର ସମୀକ୍ଷା କରିଛନ୍ତି। ଏନେଇ ସେ ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀଙ୍କ ସହ ଅ‌ାଲୋଚନା କରୁଥିବାବେଳେ ୫୦ଜଣ ମିଲିସିଆ ନକ୍ସଲ ସେଠାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି।

ଗୁରୁବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଡିଜି ଶ୍ରୀବଂଶଲ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପରେ ପହଞ୍ଚିଥିଲେ। ମାଲକାନଗିରି ଜିଲ୍ଲାର ଏହି ସୀମାନ୍ତ ଅଞ୍ଚଳ ଆନ୍ଧ୍ର ସୀମାକୁ ଲାଗି ରହିଛି। ପୂର୍ବରୁ ଏହି ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ରହିଥିବାବେଳେ ଗତ ମାର୍ଚ୍ଚମାସରେ ଏଠାରେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ଡିଜି ସେଠାକାର ବାସ୍ତବ ସ୍ଥିତି ପରଖିଥିଲେ। ଏହି ସମୟରେ ଦୁଇ ମହିଳାଙ୍କ ସମେତ ୫୦ଜଣ ନକ୍ସଲ ମିଲିସିଆ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଗକୁ ନକ୍ସଲଙ୍କୁ ସହାୟତା ନ କରିବାକୁ ପରାମର୍ଶ ଦେଇ ବିକାଶ ଧାରାକୁ ଆଗେଇ ନେବାକୁ ଡିଜି ଶ୍ରୀବଂଶଲ ପରାମର୍ଶ ଦେଇଥିଲେ।

ସେଠାରୁ ଫେରି ଡିଜିପି ମାଥିଲି ଥାନାର ନୂତନ କୋଠାକୁ ଉଦ୍‌ଘାଟନ କରିଥିଲେ। ଡିଜିପିଙ୍କ ସହ ଏଡିଜି ସଂଜୀବ ପଣ୍ଡା, ଆଇଜି ଅପରେସନ ଅମିତାଭ ଠାକୁର, ଏଡିଜି ଆର.କେ ଶର୍ମା, ବିଏସ୍‌ଏଫ୍‌ ଆଇଜି ଏସ୍‌.କେ ସିହ୍ନା, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଏସ୍‌ଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ, ଏସ୍‌ପି ନିତେଶ ଵାଧଵାନୀ, ଏସ୍‌ଡିପିଓ ଶୁଭେନ୍ଦୁ ପାତ୍ର ଓ ଅଂଶୁମାନ ଦ୍ବିବେଦୀ, ଓଆଇସି ସୂର୍ଯ୍ୟ ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ବର୍ଷା ଆରମ୍ଭ ହେବା ପୂର୍ବରୁ ଡିଜିପିଙ୍କ ଗସ୍ତ ବହୁ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଆଗକୁ ନକ୍ସଲଙ୍କ ସହିଦ ସପ୍ତାହ ରହିଥିବାବେଳେ ଏହାପୂର୍ବରୁ ରଣନୀତି ପାଇଁ ସେ ପହଞ୍ଚିଥିବା ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe