ରାଉରକେଲା: ଦଶାହ କର୍ମରେ ସମ୍ପର୍କୀୟଙ୍କ ଘରକୁ ଆସି ଜଣେ ଯୁବକ ତୀରମାଡ଼ର ଶିକାର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା କଲୁଙ୍ଗା ଫାଣ୍ଡି ଅଧୀନ ବିରକେରା ଝରିଆଟୋଲା ଅଞ୍ଚଳରେ ଘଟିଛି। ଯୁବକ ଜଣକ ହେଲେ ସମ୍ବଲପୁର ବଡ଼ସିଂହାରୀ ଅଞ୍ଚଳର ନିତ୍ୟାନନ୍ଦ ରଣବିଡ଼ା(୨୫)। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, କୁମୁଦିନୀ ଓ ତାଙ୍କ ସ୍ବାମୀ ନିତ୍ୟାନନ୍ଦ ୨୫ ତାରିଖ ଦିନ କୁମୁଦିନୀଙ୍କ ଭିଣୋଇଙ୍କ ଦଶାହ କର୍ମରେ ଯୋଗଦେବାକୁ ବିରକେରା ଝରିଆଟୋଲା ଆସିଥିଲେ। ଦଶାହ କର୍ମ ସରିବା ପରଦିନ ଅର୍ଥାତ୍ ୨୬ ତାରିଖରେ ବିର୍ସା କୁସୁମା ନାମକ ଜଣେ ଯୁବକ କୁମୁଦିନୀଙ୍କ ଭଉଣୀଘରେ ପହଞ୍ଚିଥିଲେ। ସେ କୁମୁଦିନୀଙ୍କ ବିଧବା ବଡ଼ଭଉଣୀଙ୍କୁ ନିଜସାଙ୍ଗରେ ରଖିବେ ବୋଲି ଘରଲୋକଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଭିଣୋଇଙ୍କ ବିୟୋଗକୁ ମାତ୍ର ୧୦ ଦିନ ବିତିଥିବାରୁ ଆଉ ଏକ ନୂଆ ସମ୍ପର୍କକୁ ଘରଲୋକ କଡ଼ା ବିରୋଧ କରିଥିଲେ। ଏମିତି କି ଭଉଣୀଜ୍ବାଇଁ ନିତ୍ୟାନନ୍ଦ ମଧ୍ୟ ସମ୍ପର୍କକୁ ବିରୋଧ କରିଥିଲେ। ସେଠାରେ ବିର୍ସା ଓ ନିତ୍ୟାନନ୍ଦଙ୍କ ମଧ୍ୟରେ ବଚସା ହେବା ସହ ଉଭୟ ପିଟାମରା ମଧ୍ୟ ହୋଇଥିଲେ। ସମ୍ପର୍କକୁ ବିରୋଧ କରିବା ଓ ପାଟିତୁଣ୍ଡ କରିବାରୁ ବିର୍ସା ରାଗିଯାଇ ସେଠାରୁ ପଳାଇଥିଲେ।
ମଙ୍ଗଳବାର ସକାଳେ ନିତ୍ୟାନନ୍ଦ ଓ ପତ୍ନୀ କୁମୁଦିନୀ ଅଟୋରେ ନିଜଘର ସମ୍ବଲପୁର ଅଭିମୁଖେ ବାହାରିଥିଲେ। ଘରଠୁ କିଛିଦୂରରେ ବାଗଡ଼େଗା ଘାଟି ନିକଟରେ ସେମାନଙ୍କ ଅଟୋ ପହଞ୍ଚିବା ବେଳେ ବିର୍ସା ଆଉ ୨ ଜଣ ବ୍ୟକ୍ତିଙ୍କ ସହ ବାଇକ୍ରେ ସେଠାରେ ପହଞ୍ଚି ନିତ୍ୟାନନ୍ଦଙ୍କୁ ଲକ୍ଷ୍ୟକରି ଏକ ତୀରମାଡ଼ କରି ସେଠାରୁ ଚମ୍ପଟ୍ ମାରିଥିଲେ। କୁମୁଦିନୀ ତୁରନ୍ତ ଭଉଣୀ ଘରଲୋକଙ୍କୁ ଖବରଦେବା ସହ ସ୍ବାମୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ(ଆର୍ଜିଏଚ୍)ରେ ଭର୍ତ୍ତି କରିଥିଲେ। କଲୁଙ୍ଗା ଫାଣ୍ଡି ଅଧିକାରୀ ବିକ୍ରମ ଭୂୟାଁ ସୂଚନା ପାଇବା ପରେ ହସ୍ପିଟାଲ ଆସି ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତକୁ ଖୋଜିଖୋଜି ଆରମ୍ଭ କରିଛନ୍ତି। ଖୁବ୍ଶୀଘ୍ର ଅଭିଯୁକ୍ତ ଧରାପଡ଼ିବ ବୋଲି ସେ କହିଛନ୍ତି। ସେପଟେ ଆର୍ଜିଏଚ୍ରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ବୁର୍ଲାରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ତୀର ବାହାର କରାଯାଇଥିବା ଜଣାପଡ଼ିଛି।
Follow Us