ବାରିପଦା: ରାସନ୍ ଚାଉଳ ଭାଗବଣ୍ଟାକୁ କେନ୍ଦ୍ର କରି ଝଗଡ଼ା ହେବାରୁ ମାଆକୁ ହାଣି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି ପୁଅ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଶରତଚନ୍ଦ୍ରପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ଘଟଣା ଅନୁସାରେ, ଏହି ଗ୍ରାମର ରୋହିଦାସ ସିଂ(୪୨) ଓ ମାଆ ରଇବାରୀ (୬୩)ଙ୍କ ମଧ୍ୟରେ ରାସନ ଚାଉଳ ଭାଗବଣ୍ଟାକୁ ନେଇ ଝଗଡ଼ା ହୋଇଥିଲା। ରଇବାରୀ ନିଜ ଭାଗର ଚାଉଳ ଦେବାକୁ ମନା କରିଦେବାରୁ ରାଗରେ ଜର୍ଜରିତ ପୁଅ ମାଆକୁ କୋଦାଳରେ ହାଣି ପକାଇଥିଲା।
ମାଆ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ ପୁଅ ରୋହିଦାସ ମଧ୍ୟ ମାନସିକ ଭାରସାମ୍ୟ ହରାଇ ନିଜ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ଖବର ପାଇ ଭାଇ ଲକ୍ଷ୍ମୀକାନ୍ତ ସିଂ ପହଞ୍ଚି ରଇବାରୀ ଓ ରୋହିଦାସଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେତେବେଳକୁ ମାଆର ମୃତ୍ୟୁ ହୋଇ ସାରିଥିଲା। ଏନେଇ ବାରିପଦା ସଦର ଥାନାରେ ଅଭିଯୋଗ ହେବାପରେ ପୁଲିସ ଅଭିଯୁକ୍ତ ରୋହିଦାସକୁ ଗିରଫ କରିଛି। ଅଭିଯୁକ୍ତ ଏବେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛି। ଗଳା କଟି ଯାଇଥିବାରୁ ଅଭିଯୁକ୍ତର ବୟାନ ରେକର୍ଡ ହୋଇପାରିନି।
Follow Us