ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଜେଡିର ସଂକଳ୍ପ, କେନ୍ଦ୍ର ବିରୋଧରେ ଲଢ଼େଇ ଜୋରଦାର ହେବ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ପୁଣି ତେଜିଲା, ବୈଠକରେ ୯ଟି ପ୍ରସ୍ତାବ ଗୃହୀତ

କ୍ୟାବିନେଟ୍ ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଚିଠି

ଭୁବନେଶ୍ବର: ଦୁଇ ଦିନ ତଳେ ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ବିରୋଧରେ କଠୋର ଆଭିମୁଖ୍ୟ ଦେଖାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସେହି ସ୍ବରକୁ ଆହୁରି ଟାଣ କରା‌ଯାଇଛି। କେନ୍ଦ୍ର ବିରୋଧରେ ବିଜେଡି ତା’ର ଲଢ଼େଇ ଜୋର୍‌ଦାର୍ କରିବାକୁ ହୁଙ୍କାର ଦେଇଛି। ସ୍ବତନ୍ତ୍ର ପାହ୍ୟା ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ବିଜେପିକୁ ଅଡ଼ୁଆରେ ପକାଇବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି। କାର୍ଯ୍ୟକାରିଣୀରେ ନେତାମାନେ ସିଧା ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରର ଅବହେଳା, ଅଣଦେଖା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟର ବିକାଶ ପଥରେ ବାଧକ ସାଜୁଛି। ସ୍ବତନ୍ତ୍ର ପାହ୍ୟାର ମାନ୍ୟତା ପାଇଁ ପ୍ରତିଶ୍ରୁତି ଦେଇ ଜାତୀୟ ଦଳ ପ୍ରତାରଣା କରୁଛି। କେନ୍ଦ୍ରର ଓଡ଼ିଶା ପ୍ରତି ଐତିହାସିକ ଅବିଚାର ବିରୋଧରେ ନବୀନଙ୍କ ନେତୃତ୍ବରେ ନିରନ୍ତର ସଂଗ୍ରାମ ଜାରି ରହିବ ‌ବୋଲି ଦଳ ପକ୍ଷରୁ କୁହାଯାଇଛି।

ଦଳର ସମ୍ବିଧାନରେ ସଂଶୋଧନ, ଆଜି ବିଜେଡିର ରାଜ୍ୟ ପରିଷଦ ବୈଠକ

ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀରେ ଆଜି ୯ଟି ପ୍ରସ୍ତାବ ଗୃହୀତ ହୋଇଥିଲା। ରାଜନୈତିକ ପ୍ରସ୍ତାବରେ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପାଇଁ ସଂଗ୍ରାମ ଜୋରଦାର କରିବାର ସଂକଳ୍ପ ନିଆଯାଇଛି। ଦଳ ଯୁକ୍ତି ବାଢ଼ିଛି ଯେ କ୍ରମାଗତ ଭାବେ କେନ୍ଦ୍ର ସରକାର ଆମର ଏହି ନ୍ୟାଯ୍ୟ ଦାବିକୁ ଅଗ୍ରାହ୍ୟ କରି ଆସିଛନ୍ତି। ବିଜେଡି ସଭାପତିଙ୍କ ନେତୃତ୍ବରେ ଦଳ ରାଜଧାନୀ ଦିଲ୍ଲୀରେ ଏହି ଐତିହାସିକ ଅବହେଳା ବିରୋଧରେ ଦୃଢ଼ ସ୍ବର ଉତ୍ତୋଳନ କରିସାରିଛି। ଅନ୍ୟ କୌଣସି କାରଣ ପାଇଁ ହେଉ କି ନ ହେଉ ବନ୍ୟା, ବାତ୍ୟା ଓ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର କ୍ରମାଗତ ଭାବେ ସାମ୍ନା କରି ଆସୁଥିବା ଆମ ରାଜ୍ୟ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ସହିତ ସ୍ବତନ୍ତ୍ର ସହାୟତା ପାଇଁ ମଧ୍ୟ ହକ୍‌ଦାର। ଜାତୀୟ ଦଳ ବିଜେପି ଓ କଂଗ୍ରେସ ନିଜ ନିର୍ବାଚନ ଇସ୍ତାହାରରେ ରାଜ୍ୟବାସୀଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରେ ପ୍ରତାରଣା କରିବା ଦୁର୍ଭାଗ୍ୟଜନକ। କେନ୍ଦ୍ରର ଏହି ଅବହେଳା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିକାଶର ଯାତ୍ରା ନିରନ୍ତର ଚାଲିଛି।

ବୈଠକରେ ଦଳର ସମ୍ବିଧାନ ସଂଶୋଧନ ପ୍ରସ୍ତାବକୁ ସ୍ବୀକୃତି ମିଳିଥିଲା। ଶେଷ ଥର ପାଇଁ ୨୦୧୦ ମସିହାରେ ବିଜେଡିର ସମ୍ବିଧାନ ସଂଶୋଧନ କରାଯାଇଥିଲା। ସଂ‌େଶାଧିତ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ କାର୍ଯ୍ୟକାରିଣୀ‌ର ୮୦ ଜଣ ସଦସ୍ୟଙ୍କ ମଧ୍ୟରୁ ବରିଷ୍ଠ ଉପସଭାପତି, ଉପସଭାପତି, ସାଂଗଠନିକ ସମ୍ପାଦକ, ସାଧାରଣ ସମ୍ପାଦକ(ମୁଖ୍ୟାଳୟ), ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବିରେ ସଭାପତି ଆବଶ୍ୟକ ନିଯୁକ୍ତି ଦେଇପାରିବେ। ଜିଲ୍ଲା କାଉନ୍‌ସିଲ୍‌ ଦ୍ବାରା ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଜଣେ ସଦସ୍ୟ ରାଜ୍ୟ ପରିଷଦକୁ ନିର୍ବାଚିତ ହେବେ। ଜିଲ୍ଲାସ୍ତରରେ ଜଣେ କୋଷାଧ୍ୟକ୍ଷଙ୍କ ସହିତ କାର୍ଯ୍ୟକାରୀ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକମାନେ ନିଯୁକ୍ତି ହେବେ। ଦଳର ପ୍ରାଥମିକ ସଦସ୍ୟ ସଂଖ୍ୟା ୧ କୋଟି ଅତିକ୍ରମ କରିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଓଡ଼ିଶା ବାହାରେ ରହୁଥିବା

ଓଡ଼ିଆମାନଙ୍କ ପାଇଁ ଅନ୍‌ଲାଇନ୍ ସଦସ୍ୟ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ବରିଷ୍ଠ ନେତାମାନେ ବୈଠକରେ ଏ କଥା‌ ଜଣାଇ ଦେଇଥିଲେ ଯେ ଷ‌ଷ୍ଠ ଥର ପାଇଁ ବିଜେଡି ଯେପରି ଶାସନରେ ରହିବ ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ, ସେଥିପାଇଁ ଏବେ ଠାରୁ ପ୍ରକ୍ରିୟା ଆରମ୍ଭ କରାଯିବ। ଆସନ୍ତା‌ ୫୦/୧୦୦ ବର୍ଷ ପର୍ଯ୍ୟନ୍ତ ଦଳ ଯେପରି କାର୍ଯ୍ୟ କରିବ, ତାହାକୁ ନଜରରେ ରଖି ସଂଗଠନକୁ ମଜବୁତ୍‌ କରାଯିବ। ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସଭାପତିତ୍ବ କରିଥିଲେ। ବିଜେଡି ହେଉଛି ଲୋକଙ୍କ ଦଳ। ଲୋକଙ୍କ ସେବାରେ ଦଳ ସମର୍ପିତ। ପ୍ରତିଦିନ ଲୋକଙ୍କ କାମ କରିବାକୁ କର୍ମକର୍ତ୍ତାମାନଙ୍କୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ଏଥିରେ ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସଭାପତିଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତିକୁ କେବେ ବି ମଳିନ କରିବାକୁ ଦିଆଯିବ ନାହିଁ। ରାଜ୍ୟରେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଘରେ ଘରେ ପହଞ୍ଚାଇବାକୁ ଶ୍ରୀ ଦାସ କହିଥିଲେ।

ସ୍ୱାମୀନାଥନ କମିଟି ସୁପାରିସ୍‌ ଅନୁସାରେ ଏମ୍ଏସ୍‌ପି ବୃଦ୍ଧି, ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ, ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା, ଓଡ଼ିଶାରେ ବରପୁତ୍ରଙ୍କ ଗାଁକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରିବା, ବରପୁତ୍ରମାନଙ୍କ ଜୀବନୀକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବା, ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପୂର୍ଣ୍ଣ ସଶକ୍ତୀକରଣ ଆଦି ପ୍ରସ୍ତାବ ପାରିତ ହୋଇଥିଲା। କୋଭିଡ୍‌ ପରିଚାଳନା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ଗରିବଙ୍କ ପାଇଁ ପକ୍କା ଘର ଏବଂ ଉପନିର୍ବାଚନରେ ବିପୁଳ ବିଜୟ ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ବରିଷ୍ଠ ନେତା ଉଷା ଦେବୀ, ପ୍ରଫୁଲ୍ଲ ସାମଲ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା, ଦେବୀ ପ୍ରସାଦ ମିଶ୍ର, ଅରୁଣ କୁମାର ସାହୁ, ଅତନୁ ସବ୍ୟସାଚ୍ଚୀ ନାୟକ ଓ ସମୀର ରଞ୍ଜନ ଦାଶ ପ୍ରମୁଖ ପ୍ରସ୍ତାବ ଆଗତ କରିଥିଲେ। ବୈଠକ ପରେ ପାରିତ ହୋଇଥିବା ପ୍ରସ୍ତାବ ସମ୍ପର୍କରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସଞ୍ଜୟ ଦାସବର୍ମା ଗଣମାଧ୍ୟମକୁ ସୂଚନା ଦେଇଥିଲେ। କାର୍ଯ୍ୟକାରିଣୀ ବୈଠକରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ପ୍ରମିଳା ମଲ୍ଲିକ, କିଶୋର କୁମାର ମହାନ୍ତି, କଳିକେଶ ନାରାୟଣ ସିଂହଦେଓ, ରମେଶ ଚନ୍ଦ୍ର ମାଝୀ, ଚନ୍ଦ୍ର‌େଶଖର ସାହୁ, ସାଧାରଣ ସମ୍ପାଦକ(ଗଣମାଧ୍ୟମ ଓ ଯୋଗାଯୋଗ) ମାନସ ରଞ୍ଜନ ମଙ୍ଗରାଜ ଓ ସସ୍ମିତ ପାତ୍ର ଉପସ୍ଥିତ ଥିଲେ। ଆସନ୍ତାକାଲି ବିଜେଡିର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe