ଭୋଟ୍‌ ବାକ୍ସରେ ପାଣି ପୂରାଇବା ଘଟଣା: ସହଯୋଗୀ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର୍‌, ୨୫ରେ ପୁନଃମତଦାନ

Advertisment
ଭୋଟ୍‌ ବାକ୍ସରେ ପାଣି ପୂରାଇବା ଘଟଣା: ସହଯୋଗୀ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର୍‌, ୨୫ରେ ପୁନଃମତଦାନ

ବାଲିପାଟଣା: ସ୍ଥାନୀୟ ସୋମଣା ଶାସନ ପଞ୍ଚାୟତର ସୋମଣା ପ୍ରଧାନ ବୁଥ୍‌ ନଂ ୩ରେ ମତାଦାନ ଚାଲିଥିବା ବେଳେ ଭୋଟ୍ ବାକ୍ସରେ ପାଣି ପୂରାଇ ଦେବା ମାମଲାରେ ଆଜି ପୁଲିସ ଜଣକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ସୋମଣ ପ୍ରଧାନ ଗାଁର ବସନ୍ତ ପ୍ରଧାନ ଓରଫ୍ ବାସୁ।

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗଦାଧର ପ୍ରଧାନ ଏବେ ବି ଫେରାର୍‌ ରହିଛି। ପୁଲିସ ଗଦାକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ବ୍ଲକ୍ ପ୍ରଶାସନ ପକ୍ଷରୁ ପୁନଃ ମତଦାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ୨୫ ତାରିଖରେ ଏହି ବୁଥ୍‌ରେ ପୁନଃ ମତଦାନ ଅନୁଷ୍ଠିତ ହେବ ଓ ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଏହି ବୁଥ୍‌ରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଭୋଟର ତାଲିକାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଜେପି ପକ୍ଷରୁ ନିୟୋଜିତ ହୋଇଥିବା ଏଜେଣ୍ଟ ଗଦାଧର ପ୍ରଧାନ ଭୋଟବାକ୍ସରେ ପାଣି ପୂରାଇ ଦେଇଥିଲେ। ଏଥିରେ ତାଙ୍କୁ ବସନ୍ତ ପ୍ରଧାନ ସହଯୋଗ କରିଥିଲେ। ଫଳରେ ମତଦାନ ବନ୍ଦ ରହିଥିଲା। ଏହି କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଗଦା ଓ ବାସୁ ସେଠାରୁ ଫେରାର୍ ହୋଇଯାଇଥିଲେ।

ଏନେଇ ବ୍ଲକ୍ ପ୍ରଶାସନ ତରଫରୁ ଦୁଇ ଅଭିଯୁକ୍ତଙ୍କ ନାମରେ ନିର୍ବାଚନ ଅଧିକାରୀ ତଥା ବିଡିଓ ଆଦିକନ୍ଦ ବେହେରା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବାକୁ ଚଢ଼ଉ ଆରମ୍ଭ କରିଥିଲା। ତେବେ ଘଟଣା ପରଠାରୁ ଫେରାର୍ ଥିବା ବସୁ ଆଜି ମଧ୍ୟାହ୍ନରେ ଗାଁରେ ଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା ଓ ତାକୁ ଘରୁ ଉଠାଇ ନେଇଥିଲା। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe