Advertisment

ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ

Advertisment
ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ପରଦା ପଛରେ ରହି ଚଳଚ୍ଚିତ୍ରରେ ଚମକ ଭରୁଥିବା ଦେବେନ ମିଶ୍ର ଆଉ ନାହାନ୍ତି। ୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସମ୍ପାଦନା ଭାର ନିଭାଇଥିବା ଶ୍ରୀ ମିଶ୍ର ୧୫ ତାରିଖ ରାତିରେ ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ ୬୨ ବର୍ଷ ହୋଇଥିଲା। ଗତକାଲି ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସମ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ରାତି ସାଢ଼େ ୮ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୁମ୍ବାଇରୁ ସେ ଚଳଚ୍ଚିତ୍ର ସମ୍ପାଦନା ଶିକ୍ଷା ଲାଭ କରିବା ପରେ ଓଡ଼ିଶା ଫେରିଆସି ଓଡ଼ିଆ ଚଳଚ୍ଚିତ୍ରରେ କାମ କଲେ। ‘ପୁଅ ମୋର କଳାଠାକୁର’ ଚଳଚ୍ଚିତ୍ରରେ ସମ୍ପାଦନା ସହ ଫିଲ୍ମ ଜୀବନ ଆରମ୍ଭ କରିଥିଲେ। ପ୍ରଥମ ଫିଲ୍ମରେ ନିଖୁଣ ସମ୍ପାଦନା ତାଙ୍କୁ ଖ୍ୟାତି ଆଣିଦେଲା। ଉଦଣ୍ଡୀ ସୀତା, ଭାଗ୍ୟ ହାତେ ଡୋରି, ଅଣ୍ଟିଛୁରି ତଣ୍ଟି କାଟେ, ଗଢ଼ି ଜାଣିଲେ ଘର ସୁନ୍ଦର, ଶ୍ରଦ୍ଧାଞ୍ଜଳି, କଳ୍‌କୀ ଅବତାର, ଲକ୍ଷେ ଶିବ ପୂଜି ପାଇଛି ପୁଅ, ରଣଭୂମି, ମା’ ଯାହାର ସାହା, ପଞ୍ଜୁରୀ ଭିତରେ ଶାରୀ, ଯଶୋଦା, କପାଳ ଲିଖନ, କଳାମାଣିକ, ଗଙ୍ଗା ଯମୁନା, କିଏ କାହାର, ସୁହାଗ ସିନ୍ଦୁର, ସାବିତ୍ରୀ, ପରଦେଶୀ ବାବୁ, କାଶିଆ କପିଳା, ତୁଳସୀ ଅପା ଭଳି ହିଟ୍‌ ଫିଲ୍ମରେ ସମ୍ପାଦନା କରିଥିବା ‌େବ‌ଳେ କିଛି ଧାରାବାହିକ ଓ ଟେକ୍ନୋ ଆର୍ଟର ୱେବ୍‌ ସିରିଜ୍‌ ୱେଲ୍‌କମ୍‌ ଟୁ ଦି ଫ୍ୟାମିଲି, କିଡ୍‌ନାପ୍‌ କମ୍ପାନି, ଗ୍ରେନ୍‌ସ, ପଞ୍ଚତନ୍ତ୍ରର ସମ୍ପାଦନା କରିଛନ୍ତି।

ପରଦେଶୀ ଚଢ଼େଇ ଓ କାଶିଆ କପିଳା ଚଳଚ୍ଚିତ୍ରରେ ସମ୍ପାଦନା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ତାଙ୍କ ଦ୍ବାରା ସଦ୍ୟ ସମ୍ପାଦିତ ‘ଗାଁ’ର ନାଁ ଗାଲୁଆପୁର’ ଓ ‘ତୁ ମୋ’ ଶଙ୍ଖା ତୁ ମୋ ସିନ୍ଦୂର’ ଓ କିଛି ୱେବ୍‌ସିରିଜ୍‌ ମୁକ୍ତିଲାଭ ଅପେକ୍ଷାରେ ରହିଛି। ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଭୁବନେଶ୍ବର ଆଇଗିଣିଆସ୍ଥିତ ଆଳୁଗଦି ନିକଟ ବାସଭବନକୁ ଅଣାଯାଇଥିଲା। ସ୍ବର୍ଗତ ମିଶ୍ରଙ୍କ ମରଶରୀର ନିକଟରେ ଧର୍ମପତ୍ନୀ ଉର୍ମିଳା ମିଶ୍ର, ପୁଅ ପ୍ରତୀକ ଓ ଝିଅ ସ୍ବୟଂସିଦ୍ଧା ଉପସ୍ଥିତ ଥିଲେ। ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe