ଗେମିଂ ଆପ୍ଲିକେସନ୍‌ରେ ଆର୍ଥିକ ହେରଫେର: ଧରାପଡ଼ିଲା କାର୍ପଟଦାର୍, ଠକେଇ ଟଙ୍କାରେ ଜାମସେଦପୁରରେ କିଣିଛି ଘର

ଗେମିଂ ଆପ୍ଲିକେସନ୍‌ ମାଧ୍ୟମରେ ଟଙ୍କା ନିବେଶ କାରବାରରେ କଟକ ଲିଙ୍କ୍ ସାମନାକୁ ଆସିଛି। ବାଦାମବାଡ଼ି ପୁରୁଣା ବସଷ୍ଟାଣ୍ଡ ନିକଟ ‘କଟକ’ ହୋଟେଲରେ ଆଡ୍ଡା ଜମାଇଥିବା ଝାଡ଼ଖଣ୍ଡର ଲୋକନାଥ ନାଗକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।

sfsxcxcx

କଟକ: ଗେମିଂ ଆପ୍ଲିକେସନ୍‌ ମାଧ୍ୟମରେ ଟଙ୍କା ନିବେଶ କାରବାରରେ କଟକ ଲିଙ୍କ୍ ସାମନାକୁ ଆସିଛି। ବାଦାମବାଡ଼ି ପୁରୁଣା ବସଷ୍ଟାଣ୍ଡ ନିକଟ ‘କଟକ’ ହୋଟେଲରେ ଆଡ୍ଡା ଜମାଇଥିବା ଝାଡ଼ଖଣ୍ଡର ଲୋକନାଥ ନାଗକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଲୋକନାଥ ଏହି ହୋଟେଲରେ ରହି ଗେମିଂ ଆପ୍ଲିକେସନ୍ ଖେଳିବାକୁ ୮ ଜଣ ଲୋକଙ୍କୁ ଡାକିଥିଲା। ଏଠାରେ ସେମାନଙ୍କୁ ଫୁସୁଲାଇ ପାଲରେ ପକାଇବାକୁ ଯୋଜନା କରିବା ବେଳେ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛି।

ସୂଚନା ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ଥାନା ବାଲିସାହିର ଜଣେ ମହିଳା ୨୦୨୪ ଫେବ୍ରୁଆରିରୁ ୨୦୨୫ ଫେବ୍ରୁଆରି ଭିତରେ ଏକାଧିକ ଗେମିଂ ପ୍ଲାଟ୍‌ଫର୍ମରେ ୧ କୋଟି ୫୬ ଲକ୍ଷ ଟଙ୍କା ନିବେଶ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର କାମଦେବ ରାଉତ, ବିକ୍ରମ କୁମାର ଜେଠୀ ଓ ତାଙ୍କ ସହଯୋଗୀମାନେ ମମତାଙ୍କ ନିକଟରୁ ୫୭ ଲକ୍ଷ ୩୯ ହଜାର ୪୭୧ ଟଙ୍କା ଓ ପରେ ୯୮ ଲକ୍ଷ ୬୦ ହଜାର ୫୨୯ ଟଙ୍କା ନେଇଥିଲେ। ଏହି ଘଟଣାର ସଂପୃକ୍ତ ଠକ ଝାଡ଼ଖଣ୍ଡ ପୂର୍ବ ସିଂହଭୂମ ଜିଲ୍ଲା ସୋନାରି ଥାନା ଅଞ୍ଚଳର ବାସିନ୍ଦା ଲୋକନାଥ ନାଗ(୪୫)କୁ ଗିରଫ କରାଯାଇଛି। ସାଲେପୁର ଅଞ୍ଚଳର ମହିଳାଙ୍କ ନିକଟରୁ ଠକେଇ ହୋଇଥିବା ଟଙ୍କାରୁ ଲୋକନାଥର ବ୍ୟାଙ୍କ ଆକାଉଣ୍ଟକୁ ୮ ଲକ୍ଷ ୬୦ ହଜାର ୩୯୦ ଟଙ୍କା ଯାଇଛି। ଲୋକନାଥ ଅବଶିଷ୍ଟ ୧୬ ଲକ୍ଷ ୪୦ ହଜାର ଟଙ୍କା ନିଜ ସହଯୋଗୀ, ସମ୍ପର୍କୀୟ ଓ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଛି। ମୋଟ ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଛି। ୧୪ ବର୍ଷ ତଳେ ଲୋକନାଥ ସମ୍ବଲପୁର ଜିଲ୍ଲାରେ ରହୁଥିଲା। ପରେ ସେ ଝାଡ଼ଖଣ୍ଡରେ ଥିବା ନିଜ ଗାଁକୁ ଚାଲିଯାଇଥିଲା। ମାଟ୍ରିକ୍ ଫେଲ୍ ଲୋକନାଥ ସାଇବର୍ ଠକଙ୍କ ସଂସ୍ପର୍ଶରେ ଆସି ପରେ କାମଦେବ ଓ ବିକ୍ରମ ଯୋଗାଯୋଗରେ ଆସିଥିଲା। ଏମାନେ ଓଡ଼ିଶାରେ ଗେମିଂ ଆପ୍ଲିକେସନ୍ ମାଧ୍ୟମରେ ଅନ୍‌ଲାଇନ୍ ନିବେଶ କରି ଲୋକଙ୍କୁ ଠକିବା ଆରମ୍ଭ କରିଥିଲେ। 

ମାଟ୍ରିକ୍ ଫେଲ୍ ଲୋକନାଥ କମ୍ପ୍ୟୁଟରରେ ମାଷ୍ଟର 
ଠକେଇ ଟଙ୍କାରେ ଜାମସେଦପୁରରେ କିଣିଛି ଘର

୨୦୨୪ରୁ ବାଦାମବାଡ଼ିର କଟକ ହୋଟେଲ୍ ଓ ଭୁବନେଶ୍ବର କଳ୍ପନା ଛକରେ ଥିବା ପୁଷ୍ପକ ହୋଟେଲରେ ଏମାନେ ବିଭିନ୍ନ ସମୟରେ ରୁମ୍ ବୁକିଂ କରି ରହୁଥିଲେ। ସେଠାରେ ଅନଲାଇନ୍ ଗେମ୍ ନାଁରେ ନିବେଶ କରି ଟଙ୍କା ଲୁଟିବାକୁ ଲୋକଙ୍କୁ ଟାର୍ଗେଟ୍ କରୁଥିଲେ। ଏହି ହୋଟେଲକୁ ସାଧାରଣ ଲୋକଙ୍କୁ ଡାକି ଗେମ୍ ଖେଳିବା ପାଇଁ ମାନସିକ ସ୍ତରରେ ବୁଝାଉଥିଲେ। ତେବେ ଲୋକନାଥ ଶେଷଥର ଗଲା ୧୬ ତାରିଖରେ ଜାମସେଦପୁରରୁ ବସ୍ ଯୋଗେ ଆସି ବାଦାମବାଡ଼ିରେ ପହଞ୍ଚିଥିଲା। କଟକ ହୋଟେଲର ରୁମ୍ ନମ୍ବର ୩୦୫ରେ ସେ ରହିଥିଲା। ଠକେଇ ଟଙ୍କାରେ ଲୋକନାଥ ଜାମସେଦପୁରରେ ଘର ବି କିଣିଛି। ମାଟ୍ରିକ୍‌ ଫେଲ୍ ଲୋକନାଥ କିନ୍ତୁ କମ୍ପ୍ୟୁଟର ଓ ଆଣ୍ଡ୍ରଏଡ୍‌ ମୋବାଇଲ ବ୍ୟବହାରରେ ଅତ୍ୟନ୍ତ ନିପୁଣ। ସାଇବର୍ ଅପରାଧ ଘଟାଇବାରେ ବି ତାର ଦକ୍ଷତା କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଚକିତ କରିଛି। ଲୋକନାଥକୁ ଗିରଫ କରାଯାଇଥିବା ବେଳେ ଆହୁରି ୫ ଜଣ ସହଯୋଗୀ ଏହି ଗ୍ୟାଙ୍ଗ୍‌ରେ ଅଛନ୍ତି। ସେମାନଙ୍କୁ ଗିରଫ କରିବାକୁ ପୁଲିସ ଯୋଜନା ଚଳାଇଛି। କ୍ରାଇମବ୍ରାଞ୍ଚ ଇନ୍‌ସ୍ପେକ୍ଟର ଦେବୀପ୍ରସାଦ ଦାଶଙ୍କ ନେତୃତ୍ବରେ ଏକ ଟିମ୍ ବାଦାମବାଡ଼ିର କଟକ ହୋଟେଲରେ ଚଢ଼ଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe