ଅଜଣା ରୋଗରେ ଆକ୍ରାନ୍ତ ସୁଶୀଳା; ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା

Advertisment
ଅଜଣା ରୋଗରେ ଆକ୍ରାନ୍ତ ସୁଶୀଳା; ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା

ବୈପାରିଗୁଡା: ଗତ ୪ବର୍ଷ ଧରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ି ରହିଛନ୍ତି ସୁଶୀଳା। ଅର୍ଥାଭାବରୁ ଚିକିତ୍ସା କରାଯାଇ ପାରୁନଥିବା ପ୍ରକାଶ କରିଛନ୍ତି ପରିବାର ଲୋକେ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର ଚିକିମା କୁରକୁଟି ଗ୍ରାମର ଲାଲମଣୀ ଟାକ୍ରିଙ୍କ ଝିଅ ସୁଶୀଳା ଯାଦବ (୩୫) ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏକପ୍ରକାର ଅଚଳ ଅବସ୍ଥାରେ ପଡ଼ି ରହିଛନ୍ତି।

ଗତ ୫ ବର୍ଷ ତଳେ ସୁଶୀଳା ଛତିଶଗଡ଼ର ବୈଲାଡିଲା ବାସିନ୍ଦା ବିଷ୍ଣୁ ଯାଦବଙ୍କୁ ବିବାହ କରିଥିଲେ। ବିବାହର ଗୋଟିଏ ବର୍ଷ ପରେ ସୁଶୀଳାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିଲା। ତେବେ ସ୍ବାମୀ ବିଷ୍ଣୁ ଏଥିପ୍ରତି କୈାଣସି ଗୁରୁତ୍ଵ ଦେଲେ ନାହିଁ। ଏପରିକି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାକୁ ମଧ୍ୟ ନେଇ ନଥିଲେ। ସୁଶୀଳା ଭୀଷଣ ଭାବେ ଅସୁସ୍ଥ ହୋଇ ପଡିବାରୁ ଚିକିମା କୁରକୁଟି ଆଣି ବାପ ଘରେ ଛାଡ଼ି ଦେଇ ଚାଲିଗଲେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ବାପା ଲାଲମଣୀ ଜଣେ ଦିନ ମଜୁରିଆ। କାମ କଲେ ପେଟକୁ ଦାନା ଯାଏ। ଦିନକୁ ଦିନ ସୁଶୀଳାଙ୍କର ସ୍ବାସ୍ଥ୍ୟରେ ଘୋର ଅବନତି ଦେଖାଦେବା ସହ ଚଳପ୍ରଚଳ କରିବା ଶକ୍ତି ହରାଇବା ଦେଖି ଜୟପୁର ଡାକ୍ତରଖାନା ଏବଂ ପରେ କୋରାପୁଟ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ।

ତେବେ ତାଙ୍କୁ ବାହାରକୁ ଚିକିତ୍ସା ପାଇଁ ପରାମର୍ଶ ଦିଆଯିବାରୁ ଅର୍ଥ ଅଭାବରୁ ବାହାରକୁ ନେଇ ଚିକିତ୍ସା କରାଇବା ସମ୍ଭବ ହୋଇପାରି ନଥିବା ପ୍ରକାଶ କରିଛନ୍ତି ବାପା ଲାଲମଣି। ୪ ଝିଅଙ୍କ ମଧ୍ୟରୁ ତିନି ଝିଅ ବାହା ହୋଇ ବାହାରେ ରହୁଥିବାରୁ ମାଆ ଡାଳିମ୍ବ ଝିଅର ଯତ୍ନ ନେଉଛନ୍ତି। ତେବେ ସୁଶୀଳାଙ୍କର ଚିକିତ୍ସା ପାଇଁ ସରକାରଙ୍କ ସାହାଯ୍ୟ ନିମନ୍ତେ ପରିବାର ଲୋକେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe