ଲୋନ୍‌ ଶୁଝିନଥିଲା; ରାସ୍ତା ମଝିରୁ ପିସିଆର୍‌ ଭ୍ୟାନ୍‌କୁ ଭିଡ଼ି ନେଲା ଫାଇନାନ୍ସର, ପୁଲିସ ହଟହଟା

Advertisment
ଲୋନ୍‌ ଶୁଝିନଥିଲା; ରାସ୍ତା ମଝିରୁ ପିସିଆର୍‌ ଭ୍ୟାନ୍‌କୁ ଭିଡ଼ି ନେଲା ଫାଇନାନ୍ସର, ପୁଲିସ ହଟହଟା

ଭୁବନେଶ୍ବର : ଭଡ଼ାରେ ଗାଡ଼ି ଆଣି ପିସିଆର୍‌ ଭ୍ୟାନ୍‌ କରିଥିଲା ପୁଲିସ। ହଳଦିଆ ବତୀ ଲଗାଇ ଭୁବନେଶ୍ବକୁ ଚଢ଼ଉରେ ଆସିଥିଲା। ଅଧାବାଟରେ ଜଗିଥିଲେ ଫାଇନାନ୍ସ ସଂସ୍ଥାର କର୍ମଚାରୀ। ଦୀର୍ଘ ଦିନ ଧରି ଇଏମ୍‌ଆଇ ଜମା ହେଉନଥିବାରୁ ଗାଡ଼ିକୁ ଜବତ କଲେ। କାନମୁଣ୍ଡା ଆଉଁସି ପୁଲିସ ଅଧିକାରୀ ଗାଡ଼ିରୁ ଓହ୍ଲାଇଲେ। ଫାଇନାନ୍ସ ସଂସ୍ଥା ଗାଡ଼ି ନେଇ ଚାଲିଗଲା। ଏଭଳି ହଟହଟା ହୋଇଛି ବାଲେଶ୍ବର ଜିଲ୍ଲା ସହଦେବ ଖୁଣ୍ଟା ଥାନା ପୁଲିସ। ବୁଧବାର ଅପରାହ୍ନରେ ପାତ୍ରପଡ଼ା ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଫାଇନାନ୍ସ ସଂସ୍ଥା ଏହି ଭ୍ୟାନ୍‌କୁ ଖଣ୍ଡଗିରି ଥାନା ଜିମା ଦେଇଛି। ଖଣ୍ଡଗିରି ଥାନା ପୁଲିସ ଗାଡ଼ି ଓ ସମ୍ପୃକ୍ତ ଫାଇନାନ୍ସ ସଂସ୍ଥାର କାଗଜପତ୍ର ଯାଞ୍ଚ କରୁଛି। ଗାଡ଼ିର ଇଏମ୍‌ଆଇ ବାକି ପଡ଼ିଥିବାରୁ ପୁଲିସ ଆଉ ଗାଡ଼ିକୁ ନେଇ ପାରିନାହିଁ। ଶେଷରେ ଏଠା‌ରୁ ଏକ ଭଡ଼ା ଗାଡ଼ି କରି ବାଲେଶ୍ବର ଫେରିଛି।

ସୂଚନା ମୁତାବକ, ଖଣ୍ଡଗିରି ଅଞ୍ଚଳରେ ଜଣେ ଅଭିଯୁକ୍ତ ଲୁଚିଥିବା ଖବର ପାଇ ଆଜି ସହଦେବଖୁଣ୍ଟା ଥାନା ପୁଲିସ ଭୁବନେଶ୍ବରରେ ପହଞ୍ଚିଥିଲା। ପ୍ରାୟ ସାଢ଼େ ୪ଟା ବେଳେ ଭୁବନେଶ୍ବରରେ ପହଞ୍ଚିବା ପରେ ପାତ୍ରପଡ଼ା ଛକରେ ଫାଇନାନ୍ସର ସଂସ୍ଥାର କର୍ମଚାରୀ ଗାଡ଼ିକୁ ଧରିଥିଲେ। ଗାଡ଼ିଟି ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଡ଼ାରେ ଲାଗିଥିଲା। ଜିଲ୍ଲାପାଳଙ୍କ ଅନୁମତିକ୍ରମେ ଏହାକୁ ସହଦେବଖୁଣ୍ଟା ପୁଲିସ ବ୍ୟବହାର କରୁଥିଲା। ଏହାକୁ ମାଲିକ ବ୍ୟାଙ୍କ୍‌ ଲୋନ୍‌ରେ କିଣିଥିଲେ। ମାସିକ ୩୦ ହଜାର ଟଙ୍କା ଶୁଝିବାକୁ ଥିଲା। ଗାଡ଼ି ମାଲିକ ଏହି ଋଣ ମାସକୁ ମାସ ସୁଝିବା କଥା। ହେଲେ କୋଭିଡ୍‌ ବାହାନା କରି ପୁଲିସ ଗାଡ଼ି ଭଡ଼ା ବାବଦକୁ ଟଙ୍କା ଦେଇନଥିବା ମାଲିକ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ମାସକୁ ମାସ ଭଡ଼ା ଦେଇ ଦେଉଥିବା କହିଛି। ତେବେ ପୁଲିସ ଭଡ଼ା ବାକି ରଖିଲା ନା ମାଲିକ ଋଣ ସୁଝୁନଥିଲା ସେ ନେଇ ସ୍ପଷ୍ଟ ହୋଇ ପାରି ନାହିଁ। ଦିନ ଦ୍ବିପ୍ରହରରେ ଏଭଳି ଭାଣ୍ଡିଆ ହେବା ଘଟଣା ପୁଲିସକୁ ବଦନାମ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe