ଅନଲାଇନ୍ ପାଠ ପାଇଁ ପାହାଡ଼ ଚଢ଼ି ନେଟୱର୍କ ଖୋଜା

ଅନଲାଇନ୍ ପାଠ ପାଇଁ ପାହାଡ଼ ଚଢ଼ି ନେଟୱର୍କ ଖୋଜା

ଘୁ.ଉଦୟଗିରି: କରୋନା ସଂକ୍ରମଣର ପ୍ରାଦୁର୍ଭାବ ପରଠୁ ସ୍କୁଲ୍ ଓ କଲେଜ ବନ୍ଦ ଥିବା ବେଳେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଅନଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ବିଭିନ୍ନ ଘରୋଇ ଅନୁଷ୍ଠାନଗୁଡ଼ିକରେ ବି ଅନଲାଇନ୍‌ରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ହେଉଛି। ହେଲେ କନ୍ଧମାଳ ଜିଲ୍ଲାରେ ଏହି ଅନଲାଇନ୍ ପାଠପଢ଼ା ଯେମିତି ପ୍ରହସନ ପାଲଟିଛି ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି। କାରଣ ପାହାଡ଼ ଓ ଜଙ୍ଗଲ ଘେରା ଇଲାକାରେ ନେଟ୍‌ୱର୍କ ଅଭାବରୁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ଏହା ସହ ସରକାରୀ କାର୍ଯ୍ୟ ବି ବାଧାପ୍ରାପ୍ତ ହେଉଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଘୁ.ଉଦୟଗିରି ବ୍ଲକ୍ ଅଧୀନ ତଲରୀମାହା ପଞ୍ଚାୟତରେ। ଏଠାରେ କୌଣସି ଟେଲିକମ୍ କମ୍ପାନିର ନେଟ୍‌ୱର୍କ କି ଟାୱାର୍ ନାହିଁ। ଫଳରେ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି। କିଛି ଛାତ୍ରଛାତ୍ରୀ ନିଜ ନିଜ ଗାଁ ପାଖ ଜଙ୍ଗଲକୁ ଯାଇ ପାହାଡ଼ ଓ ପଥର ଉପରେ ବସି ନେଟ୍‌ୱର୍କ ଖୋଜୁଛନ୍ତି। କଷ୍ଟେମଷ୍ଟେ ନେଟ୍‌ୱର୍କ ଆସିଲେ ପାଠପଢ଼ା ସମ୍ଭବ ହେଉଛି। ସେହିପରି ବିଭିନ୍ନ ଚାକିରି ପାଇଁ ଆବେଦନ ଓ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ସ୍ମାର୍ଟଫୋନ୍ ଧରି ଜଙ୍ଗଲକୁ ଯାଉଛନ୍ତି। ହେଲେ ଯେଉଁ ଜଙ୍ଗଲକୁ ଯାଉଛନ୍ତି, ତାହା ଅତି ଭୟଙ୍କର। ପୁଣି ବଡ଼ ବଡ଼ ପଥର ଉପରେ ବସି ବିପଦସଙ୍କୁଳ ଅବସ୍ଥାରେ ପଢ଼ୁଥିବାରୁ କୌଣସି ଅଘଟଣକୁ ଏଡ଼ାଇ ଦିଆଯାଇ ପାରିବନି ବୋଲି କୁହାଯାଇଛି।

ଆଉ ଏଭଳି ପରିସ୍ଥିତିରେ ପିଲାଙ୍କ ଭବିଷ୍ୟତ ଗଠନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ସ୍ଥିତି ବିଷୟରେ ନିଜ ନିଜର ଶ୍ରେଣୀ ପାଠ ବିଷୟ‌ରେ ଅବଗତ ନୁହଁନ୍ତି। ଅନଲାଇନ୍ ପାଠପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର କଣ ବ୍ୟବସ୍ଥା କରିବେ, ବିଦ୍ୟାଳୟ କେବେ ଖୋଲିବ ଓ ଛାତ୍ରଛାତ୍ରୀ କେବେ ବିଦ୍ୟାଳୟ ପିଣ୍ଡା ମାଡ଼ିବେ ଏହାକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ ଏହି ଅଞ୍ଚଳର ବହୁ ଆଦିବାସୀ ଛାତ୍ରଛାତ୍ରୀ ଭୁବନେଶ୍ୱରରେ ରହି ଅନେକ ଭଲ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ବେଳେ ଲକ୍‌ଡାଉନ୍ ପରେ ଗାଁକୁ ଫେରିଛନ୍ତି। କିନ୍ତୁ ନେଟ୍‌ୱର୍କ ନ ଥିବାରୁ ଯୋଗୁଁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗରିବ ଘରର ପିଲାଙ୍କ ପାଖରେ ଆଣ୍ଡ୍ରଏଡ଼୍ ମୋବାଇଲ୍ ନ ଥିବାରୁ ସେମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଥାଉ କି, ତଲରୀମାହା ପଞ୍ଚାୟତ ଜାତୀୟ ରାଜପଥ ନିକଟରେ ଅବସ୍ଥିତ ଥିବାବେଳେ ଏଠାରେ କୌଣସି ନେଟ୍‌ୱର୍କ ସୁବିଧା ନାହିଁ। ଆଉ ଏଭଳି ପରିସ୍ଥିତିରେ ଦୁର୍ଗମ ଅଞ୍ଚଳର ଅବସ୍ଥା କ'ଣ ହେଉଥିବ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଏହି ପଞ୍ଚାୟତରେ ନେଟ୍‌ୱର୍କ ନ ଥିବାରୁ ଡାକଘର କାର୍ଯ୍ୟ ଜଙ୍ଗଲ ଭିତରେ ରାସ୍ତାରେ ଚାଲିଥିବା ସଂକ୍ରାନ୍ତରେ ଏକ ରିପୋର୍ଟ 'ସମ୍ବାଦ'ରେ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe