ବିଇଓ, ପୁଲିସ ଏଏସ୍ଆଇ, ଓ୍ୱାର୍ଡ ଅଫିସର ବି ଆଦାୟ କରିବେ ଜରିମାନା

Advertisment
କରୋନା ଯୁଦ୍ଧରେ ରାମ ବାଣ-ମାସ୍କ୍‌

thirdforcenews.org.uk

ଭୁବନେଶ୍ବର : କରୋନା ପ୍ରତିହତ ପାଇଁ ଏଣିକି ମୁହଁରେ ମାସ୍କ ନ ବାନ୍ଧିଲେ ଆର୍ଥିକ ଜରିମାନା ଦେବାକୁ ପଡ଼ିବ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ଥର ମାସ୍କ ନ ପିନ୍ଧି ବାହାରକୁ ଆସିଲେ ୨୦୦ ଟଙ୍କା ଲେଖାଏଁ ଆର୍ଥିକ ତଣ୍ଡ ଗଣିବାକୁ ପଡ଼ିବ। ୩ ଥର ପରେ ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଏ ନେଇ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ୍‌ ୯ ତାରିଖଠାରୁ ସାରା ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ୍‌ ବଦଳରେ ମୁହଁର ପାଟି ଓ ନାକ ଘୋଡ଼ାଇ ହେବାଭଳି ଗାମୁଛା ଓ କପଡ଼ା ତିଆରି ଯେ କୌଣସି ପଟ୍ଟି ବ୍ୟବହାର କରାଯାଇପାରିବ। ଏପରିକି କିଛି ନ ମିଳିଲେ ଜଣେ ବ୍ୟକ୍ତି ତାଙ୍କ ରୁମାଲ୍‌କୁ ବି ଦୁଇ ପରସ୍ତ କରି ବ୍ୟବହାର କରିପାରିବେ। ବ୍ଲକ୍‌ ସ୍ତରରେ ଅନ୍ୟୂନ ବ୍ଲକ୍‌ ସଂପ୍ରସରଣ ଅଧିକାରୀ, ଅତିରିକ୍ତ ତହସିଲଦାର ଓ ପୁଲିସ୍‌ ଏଏସ୍‌ଆଇ ଏବଂ ପୌରାଞ୍ଚଳରେ ଓ୍ବାର୍ଡ଼ ଅଫିସରଠାରୁ ସମସ୍ତ ଉପରିସ୍ଥ ଅଧିକାରୀ ଜନଗହଳି କରୁଥିବା ଲୋକମାନଙ୍କୁ ବାରଣ କରିବା ସହ ବାହାରକୁ ଆସିବାବେଳେ ମାସ୍କ ବ୍ୟବହାର କରିବାକୁ ଆଦେଶ ଦେଇପାରିବେ। ମାସ୍କ ନ ପିନ୍ଧି ନିୟମ ଉଲଂଘନ କରିଥିବା ଲୋକଙ୍କଠାରୁ ଜରିମାନା ଆଦାୟ ପାଇଁ ଏହିସବୁ ବର୍ଗର ଅଧିକାରୀଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

କପଡ଼ାରେ ତିଆରି ହୋଇଥିବା ମାସ୍କକୁ ନିୟମିତ ବ୍ୟବଧାନରେ ସାବୁନ୍‌ରେ କିମ୍ବା ଡିଟରଜେଣ୍ଟ୍‌ରେ ସଫା କରିବା ସହ ଖରାରେ ୫ ଘଣ୍ଟା ଶୁଖାଇ ରଖିବା ପରେ ପୁନଃ ବ୍ୟବହାର କରିହେବ। ଏହାସହିତ ଗୋଟିଏ ଥର ବ୍ୟବହାର ଯୋଗ୍ୟ ମାସ୍କକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଅନୁଯାୟୀ ନଷ୍ଟ କରାଯିବ। ଜଣେ ବ୍ୟକ୍ତି ବ୍ୟବହାର କରିଥିବା ମାସ୍କକୁ ଅନ୍ୟ କେହି ବ୍ୟବହାର କରିବେ ନାହିଁ। ଆବଶ୍ୟକ ପଡ଼ିଲେ, ମହାମାରୀ ନିୟନ୍ତ୍ରଣ ଓ ଚିକିତ୍ସା ପାଇଁ ମେଡିକାଲ ସାମଗ୍ରୀ, ଉପକରଣ ରାଜ୍ୟ ସରକାର ନିଜେ କିଣିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe