ସରିଲା ନିଟ୍‌-ୟୁଜି, ଜୁନ୍‌ ୧୪ରେ ଫଳ: ଆଜିଠାରୁ ଓଜେଇଇ

Advertisment
ସରିଲା ନିଟ୍‌-ୟୁଜି, ଜୁନ୍‌ ୧୪ରେ ଫଳ: ଆଜିଠାରୁ ଓଜେଇଇ

ଭୁବନେଶ୍ବର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନିଟ୍‌-ୟୁଜି ସୁରୁଖୁରରେ ଶେଷ ହୋଇଛି। ଚଳିତବର୍ଷ ସାରା ଦେଶରେ ୨୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ଦେଶର ୫୫୭ଟି ସହର ଓ ବିଦେଶର ୧୪ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଓଡ଼ିଶାର ବିଭିନ୍ନ ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ର ପାଇଁ ୫୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିଲେ। ଅପରାହ୍ଣ ୨ଟାରୁ ୫ଟା ୨୦ ମଧ୍ୟରେ ଅନୁଷ୍ଠିତ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରାୟ ୯୦% ହୋଇଥିବା ଜଣାପଡ଼ିଛି। ଓଡ଼ିଶାରେ ୪ଟି ଭାଷା ଯଥା ଇଂରାଜୀ, ହିନ୍ଦୀ, ଓଡ଼ିଆ ସମେତ ଉର୍ଦ୍ଦୁ ଭାଷାରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ଏହି ଗୁରୁତ୍ବପୂର୍ଣ୍ଣ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବଢ଼ାଯାଇଥିଲା। କାଗଜ ଓ କଲମରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଡ୍ରେସ୍‌କୋଡ୍ ଲାଗୁ ହୋଇଥିଲା। ମୋବାଇଲ୍, ଇୟର ଫୋନ୍, ପେନ୍ ଡ୍ରାଇଭ୍, ମାଇକ୍ରୋଫୋନ୍, ଘଣ୍ଟା ସମେତ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ପରୀକ୍ଷା ହଲ୍‌କୁ ନେବାକୁ ଅନୁମତି ନ ଥିଲା। ପାଣି ବୋତଲ ଉପରେ ମଧ୍ୟ କଟକଣା ଲାଗିଥିଲା। ମଧୁମେହ କିମ୍ବା ଅନ୍ୟ କୌଣସି ଜଟିଳ ରୋଗରେ ଥିବା ପରୀକ୍ଷାର୍ଥୀଙ୍କ ଲାଗି ଖାଦ୍ୟ, ଔଷଧ ଓ ଟ୍ରାନ୍ସପେରେଣ୍ଟ ପାଣି ବୋତଲ ନେବାକୁ ଅନୁମତି ଦିଆଯାଇଥିଲା। ପେନ୍-ପେନ୍‌ସିଲ୍, ରବର, କାଗଜ, ସ୍କେଲ୍, କାଲ୍‌କ୍ୟୁଲେଟର, ଜ୍ୟାମିତି ବାକ୍ସ, ଲଗ୍ ଟେବୁଲ୍, ପର୍ସ, ବେଲ୍ଟ, ଚଷମା, ଟୋପି, ଅଳଙ୍କାର, କ୍ୟାମେରା ଆଦି ସାମଗ୍ରୀ ନେବାକୁ ଅନୁମତି ଦିଆଯାଇନଥିଲା। ଯେଉଁମାନେ ଉକ୍ତ ସାମଗ୍ରୀ ଆଣିଥିଲେ, ସେମାନେ ବାହାରେ ରଖି କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ। କପି ରୋକିବାକୁ ଏଆଇ ଟୁଲ୍‌ର ବ୍ୟବହାର ହୋଇଥିଲା। ଜୁନ୍‌ ୧୪ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବର: ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ବି.କାର୍ଟ, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟ-ଟାଇମ୍‌), ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ଲାଟେରାଲ୍‌ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆରମ୍ଭ ହେବାକୁ ଯାଉଛି। ମେ’ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି ସହରରେ ୬୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ଭୁବନେଶ୍ବରରେ ସର୍ବାଧିକ ୧୧ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ କଟକରେ ୬, ବାଲେଶ୍ବର ଓ ବ୍ରହ୍ମପୁର ସହରରେ ୪ଟି ଲେଖାଏ, ବରଗଡ଼, ବାରିପଦା, ଭଦ୍ରକ, ଢେଙ୍କାନାଳ, ଜୟପୁର, ପୁରୀରେ ଦୁଇଟି ଲେଖାଏ ପରୀକ୍ଷା କେନ୍ଦ୍ର ହୋଇଛି। ଓଡ଼ିଶାର ଅନ୍ୟ ସମସ୍ତ ସହର ସମେତ ରାଜ୍ୟ ବାହାରେ କଲିକତା, ପାଟଣା ଓ ରାଞ୍ଚିରେ ଗୋଟିଏ ଲେଖାଏ ପରୀକ୍ଷା କେନ୍ଦ୍ର ହୋଇଛି।

ମୋଟ ୬୫ହଜାର ୭୪୨ଜଣ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ନାମ ପଞ୍ଜିକରଣ କରିଛନ୍ତି। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷାର ଲାଟେରାଲ ଏଣ୍ଟ୍ରି(ଏଲ୍‌ଟି) ଟେକ୍‌(ଡିପ୍ଲୋମା)ରେ ସର୍ବାଧିକ ୨୧ହଜାର ୭୧୦ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ବି.ଫାର୍ମା ପାଠ୍ୟକ୍ରମରେ ୧୫ହଜାର ୬୬୩, ଏମ୍‌ବିଏରେ ୧୧ ହଜାର ୩୯୯, ଏମ୍‌ସିଏ/ଏମ୍‌.ଏସ୍‌ସି କମ୍ପ୍ୟୁଟର ସାଇନ୍ସରେ ୮,୮୯୧, ଏମ୍‌.ଟେକ୍‌ରେ ୨୧୪୫, ଇଣ୍ଟ୍ରିଗେଟେଡ୍‌ ଏମ୍‌ବିଏରେ ୧୮୮୦, ଏମ୍‌.ଫାର୍ମାରେ ୧୫୨୪ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ସକାଳ ୮ଟା ୩୦ରୁ ୧୦ଟା ୩୦ ମଧ୍ୟରେ ପ୍ରଥମ ସିଫ୍ଟରେ ପରୀକ୍ଷା ହେବାକୁ ଥିବା ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୨ଟା ୩୦ ମଧ୍ୟରେ ଦ୍ବିତୀୟ ଓ ଅପରାହ୍ଣ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ମଧ୍ୟରେ ତୃତୀୟ ସିଫ୍ଟରେ ପରୀକ୍ଷା ହେବ। ମେ’ ୬ରେ କେବଳ ଲାଟେରାଲ ଏଣ୍ଟ୍ରି(ଏଲ୍‌ଇ) ଟେକ୍ନୋଲୋଜି(ଡିପ୍ଲୋମା) ପାଇଁ ପରୀକ୍ଷା ହେବାକୁ ଥିବା ବେଳେ ୭ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍‌ଇ-ଟେକ୍ନୋଲୋଜି(ଡିପ୍ଲୋମା), ଦ୍ବିତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ତୃତୀୟ ସିଫ୍ଟରେ ଏଲ୍‌ଇ-ଟେକ୍ନୋଲୋଜି ବିଏସ୍‌ସି, ୮ ତାରିଖ ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ଏମ୍‌ବିଏ ଏବଂ ତୃତୀୟ ସିଫ୍ଟରେ ବି-କାଟ୍‌(ସିନେମାଟୋଗ୍ରାଫି/ସାଉଣ୍ଡ ରେକଡିଂ ଓ ଡିଜାଇନ୍‌), ୯ ତାରିଖରେ କେବଳ ବି.ଫାର୍ମା ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ହେବ। ୧୦ ତାରିଖର ପ୍ରଥମ ଦୁଇଟି ସିଫ୍ଟରେ ଏମ୍‌ସିଏ ଓ ତୃତୀୟ ସିଫ୍ଟରେ ବି.କାଟ୍‌(ଫିଲ୍ମ ଏଡିଟିଂ) ପାଠ୍ୟକ୍ରମରେ ନାମଲେଖା ପାଇଁ ପରୀକ୍ଷା ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe