ଗଙ୍ଗାବାଡ଼ରେ ଆନ୍ଧ୍ର ମନ୍ତ୍ରୀଙ୍କ ଦାଦାଗିରି ଘଟଣା: ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ଏତଲା

ଏତଲା ଦେଲା ଓଡ଼ିଶା ନାଗରିକ ମହାମଞ୍ଚ, ସୀମାରେ ପତାକା ପୋତିଲେ

ଗଙ୍ଗାବାଡ଼ରେ ଆନ୍ଧ୍ର ମନ୍ତ୍ରୀଙ୍କ ଦାଦାଗିରି ଘଟଣା: ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ଏତଲା

ପାରଳାଖେମୁଣ୍ଡି : ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତରେ ଜବରଦସ୍ତି ଅନୁପ୍ରବେଶ କରି ପଲାସା ବିଧାୟକ ତଥା ଆନ୍ଧ୍ର ମନ୍ତ୍ରୀ ଏସ୍‌. ଆପ୍ପାଲାରାଜୁଙ୍କ ଦାଦାଗିରି, ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଅଶାଳୀନ ବ୍ୟବହାର, ଅପମାନସୂଚକ ମନ୍ତବ୍ୟ ଓ ନିଜ ସମର୍ଥକଙ୍କ ସହ ପୁଲିସ ବଳ ଲଗାଇ ଓଡ଼ିଶା ପ୍ରଶାସନ ଆନ୍ଧ୍ରର ବେଆଇନ ଅଙ୍ଗନବାଡ଼ି କେନ୍ଦ୍ରରେ ପକାଇଥିବା ତାଲା ଭାଙ୍ଗିବା ଘଟଣାରେ ଶନିବାର ଦିନ ଓଡ଼ିଶା ନାଗରିକ ମହାମଞ୍ଚ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଗଜପତି ଏସ୍‌ପିଙ୍କୁ ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଶନିବାର ଦିନ ଶ୍ରୀ ଶତପଥୀଙ୍କ ନେତୃତ୍ବରେ ମହାମଞ୍ଚର ପ୍ରତିନିଧି ଦଳ ଗଙ୍ଗାବାଡ଼ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରୁ ଫେରି ଗଜପତି ଏସ୍‌ପି ଜୟରାମ ଶତପଥୀଙ୍କୁ ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଶତପଥୀ ନିବେଦନ କରିଛନ୍ତି। ଏହାସହ ଗଙ୍ଗାବାଡ଼ ପଞ୍ଚାୟତରେ ପହଞ୍ଚି ସୀମା ବିଦାଦ ଉପୁଜିଥିବା ମାଣିକପାଟଣା ଓ ଗୁଡୁଖୁଡ଼ି ଗ୍ରାମକୁ ଯାଇ ସେଠାରେ ଓଡ଼ିଶାର ହକ୍‌ ଜାହିର କରିବା ଉଦ୍ଦେଶ୍ୟରେ ମହାମଞ୍ଚ ପକ୍ଷରୁ ପତକା ପୋତାଯିବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇଥିଲା।

ଶନିବାର ଓଡ଼ିଶା ନାଗରିକ ମହାମଞ୍ଚ ଅଧ୍ୟକ୍ଷ ଶ୍ରୀ ଶତପଥୀ ଏବଂ ଉତ୍କଳ ସମ୍ମିଳନୀ ଗଜପତି ଶାଖା ସଦସ୍ୟ ବିନୋଦ ଜେନା ଓ ଜଗଦୀଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଗଙ୍ଗାବାଡ଼ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଓଡ଼ିଶା ନାଗରିକ ମହାମଞ୍ଚ, ଉତ୍କଳ ସମ୍ମିଳନୀ ଗ୍ରାମବାସୀଙ୍କ ପଛରେ ଅଛନ୍ତି ବୋଲି ଅଭୟବାଣୀ ଦେଇଥିଲେ। ମହାମଞ୍ଚର ସଦସ୍ୟମାନେ କଳିଙ୍ଗନାଳ ଓ ଗୁଡୁଖୁଡ଼ି ଗ୍ରାମ ପରିଦର୍ଶନ କରିବା ସହ ଅଞ୍ଚଳବାସୀ ଓଡ଼ିଶା ସରକାରଙ୍କ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ପଚାରିଥିଲେ। ପାରଳାଖେମୁଣ୍ଡି ଫେରି ଏସ୍‌ପିଙ୍କୁ ଆନ୍ଧ୍ର ମନ୍ତ୍ରୀ ତଥା ପଲାସା ବିଧାୟକ ଏସ୍‌. ଆପ୍ପାଲାରାଜୁଙ୍କ ବିରୋଧରେ ଏତଲା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe