ପୁଲିସ ସହ ଯୁକ୍ତିତର୍କ : ବିଧାୟକଙ୍କ ପୁଅ ନାଁ’ରେ ମାମଲା, ମୋବାଇଲ ଓ କାର୍‌ ଜବତ , ଘସିପୁରା ବିଧାୟକଙ୍କ ଘର ଘେରିଲା ପୁଲିସ

ପୁଲିସ ସହ ଯୁକ୍ତିତର୍କ : ବିଧାୟକଙ୍କ ପୁଅ ନାଁ’ରେ ମାମଲା, ମୋବାଇଲ ଓ କାର୍‌ ଜବତ , ଘସିପୁରା ବିଧାୟକଙ୍କ ଘର ଘେରିଲା ପୁଲିସ

ଆନନ୍ଦପୁର : ପୁଣି ବିବାଦରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁ । ଏହି ଯୁବନେତା ତଥା ଘସିପୁରା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନାକୁ ଏତଲା ଦେବାକୁ ଯାଇ ପୁଲିସ ସହିତ ମୁହାଁମୁହିଁ ହୋଇଥିଲେ। ମୋବାଇଲରେ ଭିଡିଓ ରେକର୍ଡିଂ କରିବାକୁ ଜଣେ ପୁଲିସ ଏସ୍‌ଆଇ ବାରଣ କରିବାରୁ ବିବାଦର ସୂତ୍ରପାତ ହୋଇଥିଲା। ଝଗଡ଼ା ବଢ଼ିବାରୁ ଦେବାଶିଷ ସେଠାରୁ ଖସିଯାଇଥିଲେ। ଗଲାବେଳେ ମୋବାଇଲ ଫୋନ ଛାଡ଼ି ଯାଇଥିଲେ। ଏ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତାଙ୍କ କାର୍‌ ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। ତାଙ୍କୁ ଧରିବା ପାଇଁ ରାତିରେ ରାମଚନ୍ଦ୍ରପୁର ପୁଲିସ୍‌ ବିଧାୟକଙ୍କ ଗଡ଼ବାନ୍ଧଗୋଡ଼ାସ୍ଥିତ ବାସଭବନକୁ ଘେରିଥିଲା। ମାତ୍ର ଦେବାଶିଷଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ। କରୋନା ମୁକାବିଲାକୁ ନେଇ ଲକ୍‌ଡାଉନ୍ ଚାଲିଥିବାବେଳେ ବିଧାୟକଙ୍କ ପୁଅଙ୍କ ମାମଲାକୁ ନେଇ ପୁଣି ରାଜନୀତି ସରଗରମ ହୋଇଛି।

ସୂଚନାଯୋଗ୍ୟ ଯେ, ଏକ ଭାଇରାଲ ଭିଡିଓକୁ କେନ୍ଦ୍ରକରି ରାମଚନ୍ଦ୍ରପୁର ଥାନାର ଚର୍ଚ୍ଚିତ ଏସ୍‌ଆଇ ବିଶ୍ବଜିତ ବେହେରାଙ୍କୁ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ନିଲମ୍ବନ କରିଛନ୍ତି। ଏହାକୁ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ କରୁଛନ୍ତି। ବିଶ୍ବଜିତଙ୍କୁ ପୁନଃଅବସ୍ଥାପିତ କରିବାକୁ ଗାଁ ଗାଁରେ ଲୋକମାନେ ମେଳି ବାନ୍ଧୁଛନ୍ତି। ଏଭଳି ପରିସ୍ଥତିରେ ଗତକାଲି ଅପରାହ୍‌ଣ ପ୍ରାୟ ସାଢ଼େ ୫ଟାବେଳେ ବିଧାୟକଙ୍କ ପୁଅ ଦେବାଶିଷ ଏକ କଳାରଙ୍ଗର ବ୍ରେଜା କାର୍‌ରେ ଭାଇରାଲ ଭିଡିଓରେ ଥିବା ମଦନପୁର ଗ୍ରାମର ବାସୁଦେବ ପରିଡ଼ାଙ୍କୁ ନେଇ ଏସ୍‌ଆଇ ବିଶ୍ବଜିତଙ୍କ ବିରୋଧରେ ଏତଲା ଦେବାକୁ ରାମଚନ୍ଦ୍ରପୁର ଥାନାକୁ ଯାଇଥିଲେ। ଏତଲା ଦେବାବେଳେ ଦେବାଶିଷ ତାଙ୍କ ମୋବାଇଲରେ ରେକର୍ଡିଂ କରିବାରୁ କାର୍ଯ୍ୟରତ ଏସ୍‌ଆଇ ପ୍ରତିବାଦ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ତ ହୋଇଥିଲା। ବିବାଦ ବଢ଼ିବାରୁ ଦେବାଶିଷ ତରବରିଆ ଭାବେ ସେଠାରୁ ମୋବାଇଲ ଛାଡ଼ି କାରରେ ଚମ୍ପଟ ମାରିଥିଲେ। ଦେବାଶିଷଙ୍କ ସହିତ କାର୍ଯ୍ୟରତ ଏସ୍‌ଆଇଙ୍କର ହାତାହାତି ହୋଇଥିବାନେଇ ଆଲୋଚନା ହେଉଥିବାବେଳେ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ସ୍ବାଇଁ ଏହାକୁ ଅସ୍ବୀକାର କରିଛନ୍ତି।

ପୁଲିସ୍‌ ପକ୍ଷରୁ ଦେବାଶିଷଙ୍କ ବିରୋଧରେ କେସ ନମ୍ବର ୪୩/୨୦ରେ ଥାନାରେ ଏକ ମାମଲା ରୁଜୁ କରି ତାଙ୍କର ଗିରଫଦାରୀ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ରାତି ୭ଟାରେ ୮ରୁ ଅଧିକ ଗାଡ଼ିରେ ଫୋର୍ସ ସହିତ ଆନନ୍ଦପୁର ଏସ୍‌ଡିପିଓ ଦିଲୀପ ବାଗ୍, ଆଇଆଇସି ରାଜେନ୍ଦ୍ର କୁମାର ସ୍ବାଇଁ ବିଧାୟକଙ୍କ ଗଡ଼ବାନ୍ଧଗୋଡ଼ା ବାସଭବନକୁ ଘେରାଉ କରି ଖାନତଲାସ କରିଥିଲେ। ଦେବାଶିଷଙ୍କୁ ସେଠାରେ ପାଇନଥିଲେ। ବହୁସମୟ ଧରି ନିକଟସ୍ଥ କାଜୁଜଙ୍ଗଲରେ ମଧ୍ୟ ଖୋଜାଖୋଜି କରିଥିଲା। ବିଫଳ ହେବାପରେ ଦେବାଶିଷ ନେଇଥିବା ଓଡି୦୯ଏମ୍–୨୫୫୯ନମ୍ବର କଳାରଙ୍ଗର ବ୍ରେଜା କାର୍‌କୁ ପୁଲିସ ଜବତ କରି ଥାନାକୁ ଆଣିଥିଲା। ଏପଟେ ବାସୁଦେବଙ୍କୁ କିଛି ବ୍ୟକ୍ତି ପ୍ରଲୋଭିତ କରି ନେଇଥିବା ଅଭିଯୋଗ ହୋଇଛି। ଅଦ୍ୟାବଧି ସେ ଘରକୁ ଫେରିନଥିବାରୁ ପରିବାର ଲୋକ ଚିନ୍ତା ପ୍ରକଟ କରିଛନ୍ତି। ଦେବାଶିଷଙ୍କୁ ଧରିବାକୁ ଚଢ଼ଉ ଜାରି ରହିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe