ସମ୍ବଲପୁର: ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାୟକଙ୍କ ନାଁରେ ମାମଲା ରୁଜୁ

ସମ୍ବଲପୁର: ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାୟକଙ୍କ ନାଁରେ ମାମଲା ରୁଜୁ

ସମ୍ବଲପୁର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ନାଁରେ ମଙ୍ଗଳବାର ଟାଉନ ଥାନାରେ ଏତଲା ହୋଇଛି। ଉଭୟ ବିଧାୟକଙ୍କ ସମେତ ୧୨ ଜଣ ସମର୍ଥକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଏତଲାରେ କୋଭିଡ ମାର୍ଗଦର୍ଶିକା ଉଲ୍ଲଂଘନ ସହ ପୁଲିସ ଅଧିକାରୀଙ୍କ ଧସ୍ତାଧସ୍ତି ହୋଇଥିବା ଅଭିଯୋଗ ହୋଇଛି।

publive-image

ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ବିଜେପିର ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲା। କୋଭିଡ୍ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବାରୁ ପୁଲିସ୍‌ ବିଧାୟକ ଓ ତାଙ୍କ ସହଯୋଗୀଙ୍କୁ ଅଟକାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଗେଟ୍‌ ନିକଟକୁ ଆସି ଦାବିପତ୍ର ଗ୍ରହଣ କରିବେ ବୋଲି ପୁଲିସ୍‌ କହିଥିଲା।

publive-image

ଏହି ଘଟଣାକୁ ନେଇ ପୁଲିସ ଓ ବିଧାୟକ ‌ମୁହାଁମୁହିଁ ‌ହୋଇଥିଲେ। ଉଚ୍ଚବାଚ ଓ ଯୁକ୍ତିତର୍କ ସହ କଥା ଠେଲାପେଲା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଶେଷରେ ବିଧାୟକ ଶ୍ରୀ ମିଶ୍ର ମୁଖ୍ୟ ଫାଟକ ଠେଲି ଜବରଦସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ପଶିଥିଲେ। ତାଙ୍କ ସହିତ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ ସମେତ ୨୦ରୁ ଅଧିକ ନେତା ଓ କର୍ମୀ ମଧ୍ୟ ତାଙ୍କ ସହ ଥିଲେ। ତେବେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସେମାନେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ୍‌ଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ପାଟିତୁଣ୍ଡ କରିଥିଲେ। ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କୋଭିଡ୍‌ ସମୟରେ ଜିଲ୍ଲା ପ୍ରଶାସନ ନିଜର ଦାୟିତ୍ବ ଠିକ୍‌ ଭାବେ ନିର୍ବାହ କରୁନଥିବା ନେଇ ଅଭିଯୋଗ କରିବା ସହ ବିଧାୟକ ଶ୍ରୀ ମିଶ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ସମୟରେ ଜନପ୍ରତିନିଧିଙ୍କୁ ରୋକାଯିବା କେତେଦୂର ଯଥାର୍ଥ ବୋଲି ଶ୍ରୀ ମିଶ୍ର ଏହାପରେ ଗଣମାଧ୍ୟମ ସମ୍ମୁଖରେ ପ୍ରଶ୍ନ ରଖିଥିଲେ।

ବିଜେପିର ଅଭିଯୋଗ ଅନୁସାରେ, ନୀତିଗତ ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ବର୍ତ୍ତମାନ ଜିଲ୍ଲାର ସ୍ୱାସ୍ଥ୍ୟସେବା କୋମାକୁ ଚାଲିଗଲାଣି। ସର୍ବନିମ୍ନ ଚିକିତ୍ସା ପାଇବାରୁ ମଧ୍ୟ ଜିଲ୍ଲାବାସୀ ବଞ୍ଚିତ ରହୁଛନ୍ତି। ଚିକିତ୍ସା ସୁବିଧା ନପାଇ ଅନେକ ସ୍ଥାନରେ ଅଣକୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟୁଥିବାର ଦେଖିବାକୁ ମିଳୁଛି। କୋଭିଡ୍‌ ଭଳି ସଙ୍ଗିନ ପରିସ୍ଥିତିରେ ଯେତେବେଳେ ଅଧିକ ଚିକିତ୍ସକଙ୍କ ଆବଶ୍ୟକତା ରହୁଛି, ସେତେବେଳେ ଅଧିକ ଡାକ୍ତର ନିଯୁକ୍ତି କରିବା ବଦଳରେ ଭିମ୍‌ସାର ସମେତ ଜିଲ୍ଲାର ଅଧିକାଂଶ ଚିକିତ୍ସାଳୟରୁ ଡାକ୍ତରଙ୍କୁ ବଦଳି କରାଇ ନେବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଜେପି ପ୍ରଶ୍ନ କରିଛି।

ଭିମ୍‌ସାରରେ ଜ୍ୱର, ଝାଡ଼ାବାନ୍ତିରେ ଆକ୍ରାନ୍ତ ତଥା ଦୁର୍ଘଟଣାରେ ଆହତ ଲୋକେ ସର୍ବନିମ୍ନ ଚିକିତ୍ସା ସେବା ପାଇ ପାରୁନାହାନ୍ତି। ଜିଲ୍ଲାର ଯେଉଁ ଅଞ୍ଚଳରେ କରୋନା ସଂକ୍ରମିତ ରୋଗୀ ଠାବ ହେଉଛନ୍ତି ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଉଛି କିନ୍ତୁ ତା ପରବର୍ତ୍ତୀ ପଦକ୍ଷେପ ଗୁଡିକ ଠିକ ଭାବରେ ନିଆଯାଉନଥିବା ବିଜେପି ଅଭିଯୋଗ କରିଛି। ଉପଯୁକ୍ତ ବିଶୋଧନ, ଘର ଘର ବୁଲି ସର୍ଭେ, ‌ଲୋକଙ୍କୁ ମାସ୍କ ବଣ୍ଟନ କରାଯାଉନାହିଁ। ଜିଲ୍ଲାର ଶିଳ୍ପାନୁଷ୍ଠାନଗୁଡ଼ିକୁ ଜିଲ୍ଲା ଓ ରାଜ୍ୟ ବାହାରୁ ମାଲ ପରିବହନ ପାଇଁ ଯାନବାହାନ ଆସୁଛି ଓ ଶ୍ରମିକ ମାନେ ଆସୁଛନ୍ତି। କିନ୍ତୁ ଶିଳ୍ପାନୁଷ୍ଠାନ ମାନଙ୍କରେ ଯେତିକି ସତର୍କତା ଅବଲମ୍ବନ କରିବା କଥା କରାଯାଉ ନାହିଁ ବୋଲି ବିଜେପି ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe