ପୂର୍ବତନ ଏସଡିପିଓଙ୍କ ନାଁରେ ମାମଲା

Advertisment
ପୂର୍ବତନ ଏସଡିପିଓଙ୍କ ନାଁରେ ମାମଲା

Kalinga TV

ଧର୍ମଶାଳା: ଯାଜପୁରରୋଡ୍‌ର ପୂର୍ବତନ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକଙ୍କ ନାଁରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଧର୍ମଶାଳା ଥାନା ପୁଲିସ୍‌ କାର୍ଯ୍ୟାନୁଷ୍ଠାନ କରୁନାହିଁ। ଉଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ ପରେ ଗତ ଅଗଷ୍ଟ ୬ ତାରିଖରେ ଧର୍ମଶାଳା ପୁଲିସ୍‌ ଶ୍ରୀ ନାୟକଙ୍କ ନାଁରେ ଏକ କେସ(ନଂ–୪୫୫/୨୨, ଦଫା–୩୪୧, ୨୯୪, ୩୨୩, ୫୦୬ ଓ ୩୪)ରୁଜୁ କରିବାକୁ ବାଧ୍ୟ ହୋଇଥିଲା। ହେଲେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉନଥିବାରୁ ଅଭିଯୋଗକାରୀ ଥାନୁଆଳ ଗ୍ରାମର ସୁଶିଲ କୁମାର ଦୋରା ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ଜେନାପୁର ଥାନାରେ ସମାଜସେବୀ ପୂର୍ଣ୍ଣିମା ସିଂହଦେଓଙ୍କ ନାଁରେ ଚାଲିଥିବା ଏକ ମାମଲାରେ ଥାନୁଆଳ ଗ୍ରାମର ସୁଶିଲ ମୁଖ୍ୟ ସାକ୍ଷୀ ଥିଲେ। ମାମଲାର ଶୁଣାଣି ବେଳେ ସେ କୋର୍ଟରେ ଜେନାପୁରର ତତ୍କାଳୀନ ଆଇଆଇଆସି ସୁଶାନ୍ତ କୁମାର ଦାସଙ୍କ ବିରୋଧରେ ବୟାନ ଦେଇଥିଲେ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଏସ୍‌ଡିପିଓ ଶ୍ରୀ ନାୟକ ଗତ ମେ ମାସ ୬ ତାରିଖରେ ତାଙ୍କୁ ଧର୍ମଶାଳା ଥାନାକୁ ଡକାଇ ଆଇଆଇସିଙ୍କ ବିରୋଧରେ କାହିଁକି ସାକ୍ଷୀ ଦେଲୁବୋଲି କହି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ପ୍ରବଳ ମାଡ଼ ମାରିଥିଲେ। ସେହିପରି ମଦପିଇ ଏସ୍‌ଡିପିଓଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ଥାନାକୁ ଡକାଯାଇଛି ବୋଲି ଏକ କାଗଜରେ ତାଙ୍କ ଠାରୁ ଦସ୍ତଖତ ନିଆଯାଇଥିଲା ବୋଲି ସୁଶିଲ୍ ସମ୍ବାଦକୁ ସୂଚନା ଦେଇଛନ୍ତି। ସୁଶିଲ ଏସ୍‌ଡିପିଓଙ୍କ କବଳରୁ ବର୍ତ୍ତି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହୋଇଥିଲେ। ଏସଂପର୍କରେ ସେ ଏସ୍‌ଡିପିଓଙ୍କ ବିରୋଧରେ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ ହେଁ, ପୁଲିସ୍‌ ଉପରିସ୍ଥ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କଲାନାହିଁ। ଏହାକୁ ଚ୍ୟାଲେଞ୍ଜ୍ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ହସ୍ତକ୍ଷେପ କରିବାରୁ ଘଟଣାର ୩ମାସ ପରେ ଗତ ଅଗଷ୍ଟ ୬ ତାରିଖରେ ଧର୍ମଶାଳା ଥାନାରେ ଏସ୍‌ଡିପିଓଙ୍କ ନାଁରେ ପୁଲିସ୍‌ ମାମଲା ରୁଜୁ କରିଥିଲା। ଏବେ ଶ୍ରୀ ନାୟକଙ୍କର ଭୁବନେଶ୍ବର ବଦଳି ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe