ସୂଚନା ଅଧିକାର କର୍ମୀଙ୍କୁ ଧମକ, ଗାଳିଗୁଲଜ ଘଟଣା: ଜଗତସିଂହପୁର ବିଡିଓଙ୍କ ନାଁରେ ମାମଲା

Advertisment
ସୂଚନା ଅଧିକାର କର୍ମୀଙ୍କୁ ଧମକ, ଗାଳିଗୁଲଜ ଘଟଣା: ଜଗତସିଂହପୁର ବିଡିଓଙ୍କ ନାଁରେ ମାମଲା

OrissaPOST

ଜଗତସିଂହପୁର ଟାଉନ୍: ଜଣେ ସୂଚନା ଅଧିକାରୀ କର୍ମୀଙ୍କୁ ଗାଳିଗୁଲଜ, ଧମକ, ଜାତିଆଣ ଆକ୍ଷେପ ଅଭିଯୋଗ ଘଟଣାରେ ଜଗତସିଂହପୁର ବିଡିଓ ସାଗର କୁମାର ନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରିଛି ଜଗତସିଂହପୁର ଥାନା ପୁଲିସ। ଆଇପିସି ଦଫା-୨୯୪, ୫୦୬ ଏବଂ ଏସ୍‌ସି/ଏସ୍‌ଟି ଆଇନରେ କେସ୍ ନଂ-୨୮୦ରେ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ପିସିଆର୍‌ ସେଲ୍ ଦାୟିତ୍ବରେ ଥିବା ଡିଏସ୍‌ପି କରିବେ ବୋଲି ଜଣାପଡ଼ିଛି। ଏହାପରେ ବିଡିଓଙ୍କ ଶ୍ରୀ ନନ୍ଦଙ୍କ ପାଇଁ ଅଡ଼ୁଆ ବଢ଼ିଥିବା କୁହାଯାଉଛି। ପୁଲିସ ବିଡିଓ ଶ୍ରୀ ନନ୍ଦଙ୍କର ମଧ୍ୟ ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି।

ଅଭିଯୋଗରୁ ଜଣାପଡ଼ିଛି, ମଣ୍ଡାସାହି ଟିଟିଙ୍ଗା ଅଞ୍ଚଳର ଅଭିଯୋଗକାରୀ ଦେବେନ୍ଦ୍ର ଦାସ ଏକ କାମ ଉପରେ ଗତ ଜାନୁଆରି ୯ ତାରିଖରେ ସୂଚନା ମାଗିଥିଲେ। ସୂଚନା ନ ମିଳିବାରୁ ସେ ପ୍ରଥମ ଅପିଲ୍ ଆବେଦନ କରିବାରୁ ଆଂଶିକ ସୂଚନା ମିଳିଥିଲା। ଏହାପରେ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ ତଥା ବିଡିଓଙ୍କ ନିକଟରେ (ଚିଠି ସଂଖ୍ୟା-୮୩୬ ତାରିଖ ୨୮-୦୩-୨୦୨୩) ଆବେଦନ କରିଥିଲେ। ଗତ ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ହାଜର ହେବା ପାଇଁ ଦେବେନ୍ଦ୍ରଙ୍କୁ ଚିଠି ମିଳିଥିଲା। ଓକିଲ ଶକ୍ତିଧର ମିଶ୍ରଙ୍କ ସହ ଦେବେନ୍ଦ୍ର ହାଜର ହୋଇଥିଲେ। ପ୍ରାୟ ଅଧ ଘଣ୍ଟାଏ ଧରି ଅପେକ୍ଷା କରିବା ପରେ ଭିତରକୁ ଯାଇଥିଲେ। ସେଠାରେ କେତେକ ସରପଞ୍ଚ ଓ ଲୋକ ବସିଥିବା ବେଳେ ଆଉ କେତେ ସମୟ ଅପେକ୍ଷା କରିବୁ ବୋଲି ଦେବେନ୍ଦ୍ର ପଚାରିଥିଲେ।

ଏହାପରେ ସମସ୍ତଙ୍କ ଉପସ୍ଥିତିରେ ବିଡିଓ ଗାଳିଗୁଲଜ ସହ ଜାତିଆଣ ଆକ୍ଷେପ, ଦୁର୍ବ୍ୟବହାର କରିଥିବା ଦେବେନ୍ଦ୍ର ଅଭିଯୋଗ ଆଣି ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏପରିକି ଓକିଲ ଶ୍ରୀ ମିଶ୍ରଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଚାମ୍ବରରୁ ବାହାରିଯିବା ପାଇଁ କହିଥିବା ଅଭିଯୋଗ କରିଥିଲେ ଦେବେନ୍ଦ୍ର। କଥା କଟାକଟି, ଗାଳିଗୁଲଜ ନେଇ ବିଡିଓଙ୍କର ଏକ ଅଡିଓ ମଧ୍ୟ ଭାଇରାଲ୍ ହୋଇଥିଲା। ଯାହାକୁ ନେଇ ବିଡିଓ ସାଧାରଣରେ ବିବାଦୀୟ ହୋଇ ପଡ଼ିଥିଲେ। ଦେବେନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାଙ୍କ ବୟାନ ରେକର୍ଡ କରିବା ସହ ପ୍ରାଥମିକ ଅନୁସନ୍ଧାନ କରିଥିଲା। ଉକ୍ତ ଅଡିଓକୁ ମଧ୍ୟ ଦେବେନ୍ଦ୍ର ପୁଲିସ ନିକଟରେ ଦାଖଲ କରିଥିବା ଜଣାପଡ଼ିଛି। ଅଭିଯୋଗକୁ ପୂର୍ବରୁ ବିଡିଓ ଖଣ୍ଡନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe