ବିକ୍ରି ପୂର୍ବରୁ ଜବତ ହେଲା ବିପୁଳ ପରିମାଣର ବାଣ, ୨ ଅଭିଯୁକ୍ତ ଗିରଫ

ବିକ୍ରି ପୂର୍ବରୁ ଜବତ ହେଲା ବିପୁଳ ପରିମାଣର ବାଣ, ୨ ଅଭିଯୁକ୍ତ ଗିରଫ

ଜଟଣୀ: ଆସନ୍ତା ନଭେମ୍ବର ୧୨ ତାରିଖରେ ଦୀପୋତ୍ସବ ‘ଦୀପାବଳି’ ପାଳନ ହେବ। ଆଲୋକମାଳାରେ ଘରଗୁଡ଼ିକ ସଜେଇ ହେବ। ସେହିପରି ବାଣ ଓ ଫୋଟକା ଫୁଟାଇ ପିଲାମାନଙ୍କ ଠାରୁ ଯୁବପିଢ଼ି ପର୍ଯ୍ୟନ୍ତ ମଉଜ କରିବେ। ଅନ୍ୟପଟରେ ବାଣ କାରିଗର ଓ ବ୍ୟବସାୟୀ ବାଣ ବିକ୍ରି କରିବାକୁ ପ୍ରସ୍ତୁତ ହୋଇସାରିଛନ୍ତି। କମିସନରେଟ୍‌ ପୁଲିସ ଅଧୀନ ଜଟଣୀର କୁସୁମାଟି ଗାଁରୁ ସୋମବାର ପୂର୍ବାହ୍‌ଣରେ ବିପୁଳ ପରିମାଣର ବାଣ ଜବତ ହୋଇଛି। ଗାଁ ଭିତରେ ଏକ ଘରେ ରଖାଯାଇଥିବା ବାଣ ସଂପର୍କରେ ସୂଚନା ମିଳିଲା ପରେ ପୁଲିସ ଅତର୍କିତ ଚଢ଼ଉ କରି ଏହାକୁ ଜବତ କରିଛି। ଜନବସତି ସ୍ଥାନରେ ବାଣ ଷ୍ଟକ୍ ରଖାଯିବା ଅଭିଯୋଗରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଛବିନ୍ଦ୍ର କୁମାର ସୁବୁଦ୍ଧି (୪୯) ଓ ପବିତ୍ର ସୁବୁଦ୍ଧୁ (୪୬)।

publive-image

ଜଟଣୀ ଥାନା ଅଧୀନ କୁସୁମାଟି ଗାଁର ମାଝୀସାହି ନିବାସୀ ଛବିନ୍ଦ୍ର କୁମାର ସୁବୁଦ୍ଧି ଓ ପବିତ୍ର ସୁବୁଦ୍ଧି ଦୀପାବଳିରେ ବିକିବା ପାଇଁ ବିପୁଳ ପରିମାଣର ବାଣ ଓ ଫୋଟକା ରଖିଥିଲେ। କମିସନରେଟ ପୁଲିସ କୌଣସି ସୂତ୍ରରୁ ସୂଚନା ପାଇଁ ଆଜି ପୂର୍ବାହ୍‌ଣରେ ଅତର୍କିତ ଭା‌ବେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସକୁ ବିପୁଳ ପରିମାଣ ବାଣ ମିଳିଥିଲା। ଜନବସତି ଅଞ୍ଚଳରେ ମହଜୁଦ୍‌ ବାଣ ରଖିଥିବା ଅଭିଯୋଗରେ ଛବିନ୍ଦ୍ର ଓ ପବିତ୍ରଙ୍କୁ ପୁଲିସ ଗିରଫ କରିଛି।

publive-image

ସାମ୍ବାଦିକ ସମ୍ମିଳନୀରେ ପୁଲିସ କହିଛି, ଘଟଣାସ୍ଥଳରୁ ବିପୁଳ ପରିମାଣର ବାଣ ଜବତ କରାଯାଇଛି। ଜବତ ବାଣ ପୁଲିସ ହେପାଜତରେ ରଖାଯାଇଛି। ଜବତ ବାଣର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ବେଆଇନ ଭାବେ ବାଣ କାରବାର ନେଇ ଆଗାମୀ ଦିନରେ ପୁଲିସ ଚଢ଼ଉ ଜାରି ରଖିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe