Advertisment

ଆକାଶରୁ ଖସୁଛି ନିଆଁ ଝୁଲ: ଝାରସୁଗୁଡ଼ା ତାପମାତ୍ରା ୪୭ଂ ଛୁଇଁଲା

Advertisment
୧୯୯୮କୁ ମନେପକାଇଲା ଚଳିତବର୍ଷର ଅସ୍ବାଭାବିକ ମୃତ୍ୟୁ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି। ଆକାଶରୁ ନିଆଁ ଝୁଲ ଖସୁଛି। ରାତି ପାହିଲା ବେଳକୁ ପାରଦ ୪୦ ଡିଗ୍ରି ମୁହାଁ। ଝାରସୁଗୁଡ଼ାରେ ସତେ ଯେମିତି ଅଗ୍ନିବର୍ଷା ହେଉଛି। ସକାଳ ସାଢ଼େ ୮ଟା ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୩୬.୬ ଡିଗ୍ରିରେ ପହଞ୍ଚିଥିବା ବେଳେ ସାଢ଼େ ୧୧ଟା ବେଳକୁ ୪୩.୮ ଡିଗ୍ରି ଛୁଇଁଥିଲା। ସେତେବେଳକୁ ସମ୍ବଲପୁରରେ ୪୧.୮, ରାଉରକେଲାରେ ୪୧.୬, ହୀରାକୁଦରେ ୪୧.୧ ଡିଗ୍ରିରେ ଥିଲା। ପରବର୍ତ୍ତୀ ସମୟରେ ପାରଦ ହୁହୁ ହୋଇ ବଢ଼ିବା ସହ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଥିଲା। ଅପରାହ୍ଣ ୨ଟା ୩୦ ପରେ ଝାରସୁଗୁଡ଼ାର ପାରଦ ୪୭ ଡିଗ୍ରି ଛୁଇଁ ସର୍ବକାଳୀନ ରେକର୍ଡ କରିଥିଲା। ଚଳିତ ସିଜିନ୍‌ର ସର୍ବୋଚ୍ଚ ଦିନ ତାପମାତ୍ରା ଝାରସୁଗୁଡ଼ାରେ ୪୭ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ଝାରସୁଗୁଡ଼ାରେ ମେ’ ମାସର ସର୍ବକାଳୀନ ରେକର୍ଡ ହୋଇଛି। ଆଜିର ତାପମାତ୍ରା ଝାରସୁଗୁଡା ଇତିହାସରେ ୬ଷ୍ଠ ଯୁଗ୍ମ ସର୍ବାଧିକ ତାପମାତ୍ରା। ପୂର୍ବରୁ ୧୯୯୮ ମସିହା ମେ’ ୨୮ ତାରିଖରେ ୪୮ ଡିଗ୍ରି ରହିଥିଲା। ୧୯୯୮ ମେ’ ୨୪ରେ ୪୭.୬ ଡିଗ୍ରି ଥିବା ବେଳେ ୧୯୭୮ ମେ’ ୨୦ରେ ୪୭.୫, ୧୯୭୫ ମେ’୧୧ରେ ୪୭.୪, ୧୯୯୮ ମେ’ ୨୭ରେ ୪୭.୨, ୨୦୦୫ ମେ’ ୨୪ରେ ୪୭ ଡିଗ୍ରି ରେକର୍ଡ କରାଯାଇଥିଲା।କେବଳ ଝାରସୁଗୁଡ଼ା ନୁହେଁ, ସମ୍ବଲପୁରଠାରୁ ଆରମ୍ଭ କରି ମାଲକାନଗିରି ପର୍ଯ୍ୟନ୍ତ କୌଣସି ଜିଲ୍ଲାରେ ନିସ୍ତାର ନାହିଁ। ୧୯ଟି ସହରର ପାରଦ ୪୦ ଡିଗ୍ରିରୁ ଅଧିକ ରହିଥିଲା। ସେଥିମଧ୍ୟରୁ ୯ଟି ସହରର ତାପମାତ୍ରା ୪୫ ଡିଗ୍ରି ଡେଇଁଯାଇଛି। ଝାରସୁଗୁଡ଼ା ବ୍ୟତୀତ ଟିଟିଲାଗଡ଼ରେ ୪୬.୫, ବରଗଡ଼ରେ ୪୬.୩, ସମ୍ବଲପୁରରେ ୪୬.୨, ସୋନପୁର ଓ ମାଲକାନଗିରିରେ ୪୫.୬, ଭବାନୀପାଟଣାରେ ୪୫.୫, ବଲାଙ୍ଗୀରରେ ୪୫.୩, ହୀରାକୁଦରେ ୪୫.୨ ଡିଗ୍ରି ରେକର୍ଡ କରାଯାଇଛି। ଏପଟେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି। ତାପମାତ୍ରା ସିନା କମ୍‌ ରହୁଛି, ହେଲେ ଆର୍ଦ୍ରତା ଏତେ ବଢ଼ିଯାଉଛି ଯେ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି। ଆଗାମୀ ଦୁଇ ଦିନ ମଧ୍ୟ ଏଭଳି ସ୍ଥିତି ଲାଗିରହିବ। ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସେପଟେ ଦିନକୁ ଦିନ ରାତି ଉଷ୍ମ ହେବାରେ ଲାଗିଛି। ଗତକାଲି ରାତିରେ ରାଜ୍ୟର ୧୦ଟି ସହରର ସର୍ବନିମ୍ନ ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ଆଜିର ଦିନରେ ବଲାଙ୍ଗୀରର ସର୍ବନିମ୍ନ ତାପମାତ୍ରା ୨୨.୧ ଡିଗ୍ରି ରହିବା କଥା। ମାତ୍ର ଗତକାଲି ରାତିରେ ସ୍ବାଭାବିକଠାରୁ ୭.୪ ଡିଗ୍ରି ଅର୍ଥାତ୍‌ ୨୯.୫ ଡିଗ୍ରି ରହିଥିଲା। ଅନୁରୂପ ଭାବେ ଟିଟିଲାଗଡ଼ ତାପମାତ୍ରା ୨୬ ଡିଗ୍ରି ରହିବା ବଦଳରେ ୩୧.୬ ଡିଗ୍ରି ଥିଲା। ଭବାନୀପାଟଣାରେ ୩୧.୫, ରାଉରକେଲାରେ ୩୧.୩, ହୀରାକୁଦରେ ୩୦.୭, ସମ୍ବଲପୁରରେ ୩୦.୬, ପୁରୀରେ ୩୦.୪, ଭୁବନେଶ୍ବରରେ ୩୦.୧, ପାରାଦୀପରେ ୩୦.୧, ବାରିପଦା ଓ ଝାରସୁଗୁଡ଼ାରେ ୩୦ ଡିଗ୍ରି ଲେଖାଏ ରେକର୍ଡ ହୋଇଛି। ସବୁଠି ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୬ ଡିଗ୍ରି ଅଧିକ ରହିଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ ଆଜି ଝାରସୁଗୁଡ଼ା, ହୀରାକୁଦ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର, କନ୍ଧମାଳ, ଝାରସୁଗୁଡ଼ାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିଲା। ଶୁକ୍ରବାର ମଧ୍ୟ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁରରେ ଗ୍ରୀଷ୍ମ ପ୍ରବାହ କିମ୍ବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ ଓ ଗୁଳୁଗୁଳି ଲାଗିରହିବ। ମାଲକାନଗିରିରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ରହିବ। ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ରାତି ରହିବାକୁ ଥିବାରୁ ସତର୍କ କରାଯାଇଛି। ତେବେ ଆଗାମୀ ୫ ତାରିଖ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୩ ତାରିଖ‌ରେ ବର୍ଷା ପରିମାଣ ବଢ଼ିପାରେ। ୪ ତାରିଖରେ ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe