Image Courtesy of Deccan Herald
ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେନାରବାହାଲ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। କୌଣସି ବଡ଼ ଅଘଟଣ ପୂର୍ବରୁ କେନ୍ଦ୍ର ଭିତରେ ଥିବା ୫ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି। ଗ୍ୟାସ୍ଚୁଲା ପାଇପ୍, ରେଗୁଲେଟର୍ ନିମ୍ନମାନର ଥିବା ଅଭିଯୋଗ ହୋଇଛି। ଛୋଟଛୋଟ ପିଲା ଥିଲାବେଳେ ଏହିଭଳି ଖାମଖିଆଲକୁ ନେଇ ବି ପ୍ରଶ୍ନ ଉଠିଛି।
ସୂଚନା ଅନୁସାରେ, ବେନାରବାହାଲ ଅଙ୍ଗନବାଡ଼ି କେନ୍ଦ୍ରରେ ସବୁଦିନ ପରି ଆଜି ମଧ୍ୟ ଶିଶୁଙ୍କ ପାଇଁ ରୋଷେଇ ଚାଲିଥିଲା। ଆଜି କେନ୍ଦ୍ରକୁ ୫ ଜଣ ଶିଶୁ ଆସିଥିଲେ। ଅଙ୍ଗନବାଡ଼ି କର୍ମୀ ସଂଯୁକ୍ତା ଲେଙ୍କା ଶିଶୁଙ୍କୁ ରୋଷେଇ ଦାୟିତ୍ବରେ ଥିବା ହେଲ୍ପର୍ ଲଳିତା ବେହେରଦଳାଇ ଜିମା ଛାଡ଼ି ବାହାରକୁ ଯାଇଥିବା ସମୟରେ ଗ୍ୟାସ୍ ପାଇପ୍ରେ ଲିକ୍ ଯୋଗୁ ହଠାତ୍ ନିଆଁ ଧରି ନିମିଷକ ମଧ୍ୟରେ ବ୍ୟାପି ଯାଇଥିଲା। ପ୍ରାଣବିକଳରେ ଅଙ୍ଗନବାଡ଼ି ହେଲ୍ପର ଜଣକ ବାହାରକୁ ଦୌଡ଼ି ପଳାଇ ସ୍ଥାନୀୟ ଲୋକଙ୍କୁ ପାଟି କରି ଡାକ ପକାଇଥିଲେ। ନିକଟରେ କାମ କରୁଥିବା କିଛି ଯୁବକ ପହଞ୍ଚି ତୁରନ୍ତ ଫସି ରହିଥିବା ପାଞ୍ଚ ଜଣ ଶିଶୁଙ୍କୁ ଉଦ୍ଧାର କରି ବାହାରକୁ ନେଇ ଆସିଥିଲେ। ଏହାସହ ଗ୍ୟାସ୍ ନିଆଁକୁ ଆୟତ୍ତ କରିବାରେ ସମର୍ଥ ହୋଇଥିଲେ।
Follow Us