ଜଳିଗଲା ବାଲୁଖଣ୍ଡ ଅଭୟାରଣ୍ୟର ୮ ଏକର: ଏବେ ବି ମାଟି ତଳେ ନିଆଁ ! ନିଆଁ ଲାଗିଛି ନା ଲଗାଯାଇଛି?

Advertisment
ଜଳିଗଲା ବାଲୁଖଣ୍ଡ ଅଭୟାରଣ୍ୟର ୮ ଏକର: ଏବେ ବି ମାଟି ତଳେ ନିଆଁ ! ନିଆଁ ଲାଗିଛି ନା ଲଗାଯାଇଛି?

ପୁରୀ : ଜଳି ପୋଡ଼ି ଛାରଖାର ହୋଇଯାଇଛି ବାଲୁଖଣ୍ଡ ଅଭୟାରଣ୍ୟର ୮ ଏକର ପରିମିତ ଜଙ୍ଗଲ। ଶହଶହ ଝାଉଁ, କାଜୁ ଓ ଆକାଶିଆ ଗଛ ସାଙ୍ଗକୁ ଫନି ପରଠୁ ଭାଙ୍ଗିରୁଜି ପଡ଼ି ରହିଥିବା କାଠ ଗଣ୍ଡିଗୁଡ଼ିକ ଜଳି ପାଉଁଶ ଯାଇଛି। ନିଆଁକୁ ଆୟତ୍ତ କରାଯାଇଛି ସତ, କିନ୍ତୁ ନିଆର ଧାସ ୨୪ ଘଣ୍ଟା ପରେ ବି କମି ନାହିଁ। ମାଟି ତଳେ ଯାଇଥିବା ଚେରରେ ନିଆଁ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ଆଜି ମଧ୍ୟ ସେଠାରେ ବନ କର୍ମଚାରୀ ମୁତୟନ ହୋଇଛନ୍ତି। ଶହଶହ ଗ୍ରାମବାସୀ ମଧ୍ୟ ଜଗି ରହିଛନ୍ତି। ତେବେ ନିଆଁ କେମିତି ଲାଗିଲା, ତା ଉପରୁ ଏଯାଏ ପରଦା ହଟି ନାହିଁ। ‌ତିନି ଶହ ମିଟର ବ୍ୟବଧାନରେ ଦୁଇଟି ଜାଗାରେ ନିଆଁ ଲାଗିବା ହିଁ ଏ ଘଟଣାକୁ ସନ୍ଦେହ ଘେରକୁ ଟାଣିଛି।

ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଜଙ୍ଗଲ ମଧ୍ୟରେ ଧୂଆଁ ଉଠୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଜଣେ ଜଗୁଆଳି ଏହା ଦେଖିବା ପରେ ଗାଁ’କୁ ଆସି ତତ୍‌କ୍ଷଣାତ ଏ ସମ୍ପର୍କ‌ରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ଘଣ୍ଟ ବାଡ଼େଇ ଗ୍ରାମବାସୀଙ୍କୁ ଉଜାଗର କରାଯାଇଥିଲା। ଯିଏ ଯୋଉଠି ଥିଲେ ଜଙ୍ଗଲରେ ନିଆଁ ଲାଗିବା କଥା ଶୁଣି ନିଜ ଘରୁ କିଏ ଗରା ତ କିଏ ବାଲ୍‌ଟି ପୁଣି କିଏ ହାଣ୍ଡି ତ କିଏ ଡ୍ରମ୍‌ ଧରି ଘରୁ ବାହାରି ଆସିଥିଲେ। ଟ୍ରାକ୍ଟରରେ ବସି ଜଙ୍ଗଲ ଅଭିମୁଖେ ଛୁଟି ଯାଇଥିଲେ। ବେଲଦଳ ଓ ବେଲେଶ୍ବର ପାଟଣାର ପ୍ରାୟ ୩ଶହରୁ ଅଧିକ ଗ୍ରାମବାସୀ ଟ୍ରାକ୍ଟରରେ ଘଟଣାସ୍ଥଳକୁ ଯାଇଥିଲେ। ନିଆଁ ଲାଗିଥିବା ସ୍ଥାନରୁ କିଛି ଦୂରରେ ଥିବା ଏକ ପୋଖରୀରୁ ପାଣି ‌ବୋହିବାକୁ ଲାଗିଲେ। କିଛି ବ୍ୟକ୍ତି ଟ୍ରାକ୍ଟର ଡାଲାରେ ଜରି ପଲିଥିନ୍‌ ପକାଇ ଏହା ମଧ୍ୟରେ ପାଣି ଲୋଡ୍‌ କରି ଆଣି ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ବିଳମ୍ବିତ ରାତିରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା। କିନ୍ତୁ ନିଆଁ ବ୍ୟାପିଯିବାର ଆଶଙ୍କା ରହିଥିବାରୁ, ଘଟଣାସ୍ଥଳରେ ଗ୍ରାମବାସୀମାନେ ରାତିରେ ଉଜାଗର ହୋଇ ଜଗି ରହିଥିଲେ। ଏନେଇ ରେଞ୍ଜର ବେଣୁଧର ବେହେରା କହିଛନ୍ତି, ନିଆଁ ଲାଗିବାର କାରଣ ଜଣା ପଡ଼ିନାହିଁ। ତେବେ ଦୁଇଟି ଜାଗାରେ ନିଆଁ ଲାଗିଥିବାରୁ ଏନେଇ ତଦନ୍ତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe