ଲାମ୍ପ୍‌ସ ଦୁର୍ନୀତି ଜଣାପଡ଼ିବା ପରେ ଡିଆର୍‌ସିଏସ୍‌ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

Advertisment
ଲାମ୍ପ୍‌ସ ଦୁର୍ନୀତି ଜଣାପଡ଼ିବା ପରେ ଡିଆର୍‌ସିଏସ୍‌ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଜୟପୁର : ସମବାୟ ଘୋଟାଲାକୁ ନେଇ ଚର୍ଚ୍ଚାରେ ଥିବା ଜୟପୁରସ୍ଥିତ ଉପନିବନ୍ଧକ ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟ ଓ ସମବାୟ ବିଭାଗର ସହକାରୀ ମହାସମୀକ୍ଷକଙ୍କ କାର୍ଯ୍ୟାଳୟର ରେକର୍ଡ ରୁମରେ ଘଟିଛି ଅଗ୍ନିକାଣ୍ଡ। ନିଆଁ ଲାଗି ଅବିଭକ୍ତ କୋରାପୁଟ ଜିଲ୍ଲାର ସମବାୟ ବିଭାଗର ଦୀର୍ଘ ୩୦ ବର୍ଷର ରେକର୍ଡ ପାଉଁଶ ହୋଇଯାଇଛି। ଗତକାଲି ଜିଲ୍ଲାର ସମବାୟ ଦୁର୍ନୀତି ନେଇ ‘ସମ୍ବାଦ’ରେ ବିସ୍ତତ ବିବରଣୀ ପ୍ରକାଶ ପାଇଥିବା ବେଳେ ଏହି ରେକର୍ଡ ରୁମ୍‌ରେ ନିଆଁ ଲାଗିଗଲା ନା କିଏ ଜାଣିଶୁଣି ଲଗାଇ ଦେଲା ବୋଲି ପ୍ରଶ୍ନ ଉଠିଛି। ଏହି ରେକର୍ଡ ରୁମରେ ୪ଟି ଜିଲ୍ଲାର ପ୍ରାୟ ୩୦ବର୍ଷର ରେକର୍ଡ ମହଜୁଦ ରହିଥିଲା। ଏହିସବୁ ଦରକାରୀ କାଗଜପତ୍ର ଅନଲାଇନ କରାଯିବାକୁ ରଖାଯାଇଥିଲା। ଭୁବନେଶ୍ୱରରୁ ନିର୍ଦ୍ଦେଶ ଆସିବା ପରେ ଏହାକୁ ହାତକୁ ନିଆଯାଇଥାନ୍ତା। କିନ୍ତୁ ଏହି ଦରକାରୀ କାଗଜପତ୍ରରେ ପ୍ରାୟ ଅଢେଇ ଘଣ୍ଟା ଧରି ଜଳିଥିବା ବେଳେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇ ନ ଥିଲା। ଫଳରେ ନିଆଁରେ ସବୁ ରେକର୍ଡ ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡ଼ିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ସମବାୟ ବିଭାଗରେ ଚଞ୍ଚକତା, ମଣ୍ଡି ଓ ଲାମ୍ପସରେ ଅର୍ଥ ହେରଫେର, ଭୂତ ଚାଷୀଙ୍କୁ ଋଣ ପ୍ରଦାନ, ମଣ୍ଡି ହ୍ୟାଣ୍ଡଲିଂ ଚାର୍ଜ ବାବଦରେ ଦୁର୍ନୀତି ପରି ବହୁ ଅଭିଯୋଗର ତଦନ୍ତ ଏହି କାର୍ଯ୍ୟଳୟ ମାଧ୍ୟମରେ ଚାଲିଥିଲା। ଏଠାରେ ନିଆଁ ଲାଗିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe