ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

Advertisment
ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ବାହାନଗା/ଗୋପାଳପୁର/ନୀଳଗିରି : ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା-ବାହାନଗା ସେକ୍ସନ ମଧ୍ୟରେ ଦିଲ୍ଲୀରୁ ଭୁବନେଶ୍ବର ଫେରୁଥିବା ରାଜଧାନୀ ଏକ୍ସପ୍ରେସ୍‌ରେ ଅଚାନକ ନିଆଁ ଲାଗିଯିବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ତେବେ ସୌଭାଗ୍ୟକୁ ଟ୍ରେନ୍‌ର ଶେଷଭାଗରେ ଥିବା ଏସି ସପ୍ଲାୟ‌ାର ଜେନେରେଟର ବଗିରେ ନିଆଁ ଲାଗିଥିବାରୁ ଏଥିରେ ଯାତ୍ରା କରୁଥିବା ଶହ ଶହ ଯାତ୍ରୀ ଏହି ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦମକଳ ବାହିନୀ ଦୀର୍ଘ ୨ ଘଣ୍ଟାର ଅକ୍ଳାନ୍ତ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ଜଣା ପଡ଼ି ନ ଥିଲେ ବି ସଟ୍‌ ସର୍କିଟ୍‌ ଯୋଗୁଁ ଏଭଳି ଘଟିଥିବାର ଅନୁମାନ କରାଯାଉଛି।

ସୂଚନା ମୁତାବକ, ୨୨୮୧୨ ନମ୍ବର ଅପ୍ ରାଜଧାନୀ ଏକ୍ସପ୍ରେସ୍ ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଆଜି ମଧ୍ୟାହ୍ନରେ ଟ୍ରେନ୍‌ଟି ବାଲେଶ୍ୱର ଷ୍ଟେସନ୍ ଛାଡ଼ିବା ପରେ ଖନ୍ତାପଡ଼ା ଷ୍ଟେସନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ର ଲଗେଜ ବ୍ରେକ୍‌ ଓ ଜେନେରେଟର ବଗିର ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଚିତ୍କାର କରିଥିଲେ। ଟ୍ରେନ୍‌ର ଗାର୍ଡ ତୁରନ୍ତ ଏହା ଦେଖି ଡ୍ରାଇଭରକୁ ସୂଚନା ଦେବାରୁ ତୁରନ୍ତ ଡ୍ରାଇଭର ଟ୍ରେନକୁ ଖନ୍ତାପଡ଼ା-ବାହାନଗା ସେକ୍ସନର ଅତାପୁର ନିକଟରେ ଅଟକାଇଥିଲେ। ଗାଡ଼ି ଅଟକିବା କ୍ଷଣି ଯାତ୍ରୀବାହୀ ବଗିରୁ ନିଆଁ ଲାଗିଥିବା ବଗିକୁ ଅଲଗା କରି ଦିଆଯାଇଥିଲା। ଆଉ ଏହାର କିଛି ସମୟ ମଧ୍ୟରେ ବଗିଟି ହୁତୁହୁତୁ ହୋଇ ଜଳିଥିଲା। ଏଭଳି ଭୟାବହ ଦୃଶ୍ୟ ଦେଖି ଟ୍ରେନରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ତେବେ ଅଗ୍ନିକାଣ୍ଡରୁ ରକ୍ଷା ପାଇ ଯାଇଥିବାରୁ ସେମାନେ ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟପକ୍ଷରେ ନିଆଁ ଲାଗିଥିବା ଖବରପାଇ ସୋର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟା କାଳ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଜେନେରେଟର ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ସବୁକିଛି ସ୍ବାଭାବିକ ହେବା ପରେ ଅପରାହ୍ନ ପ୍ରାୟ ୩ଟାରେ ଟ୍ରେନ୍‌ଟି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲା। ମାତ୍ର ବିନା ଏସିରେ ଶହ ଶହ ଯାତ୍ରୀ ପ୍ରବଳ ଗୁଳୁଗୁଳିରେ ହନ୍ତସନ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe