ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ: +୨ ଖାତାଦେଖା ବେଳେ ଲାଗିଲା ନିଆଁ

Advertisment

ଗୋଟିଏ ଦିନ ପାଇଁ ମୂଲ୍ୟାଙ୍କନ ବାତିଲ କଲେ ଅଧ୍ୟକ୍ଷ

ଗୋଟିଏ ଦିନ ପାଇଁ ମୂଲ୍ୟାଙ୍କନ ବାତିଲ କଲେ ଅଧ୍ୟକ୍ଷ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ: +୨ ଖାତାଦେଖା ବେଳେ ଲାଗିଲା ନିଆଁ

ବଲାଙ୍ଗୀର; ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବ୍ଲକରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ ସମୟରେ ଏହି ଘଟଣା ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ରେକ, ନୋଟିସ ବୋର୍ଡ ସହ କିଛି କାଗଜପତ୍ର ଜଳିଯାଇଛି। କେତେ କ୍ଷୟକ୍ଷତି ହୋଇଛି ଆକଳନ ହୋଇନଥିବା ବେଳେ ଖାତା ମୂଲ୍ୟାଙ୍କନ କରୁଥିବା ଅଧ୍ୟାପକ, ଅଧ୍ୟାପିକା ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ପାଇଛନ୍ତି। ସେପଟର ପରୀକ୍ଷା ଖାତାମାନ ମଧ୍ୟ ସବୁ ସୁରକ୍ଷିତ ଥିବା ଜଣାଯାଇଛି। ବିଦ୍ୟୁତ ସଟସର୍କିଟ ହୋଇ ନିଆଁ ଲାଗିଥିବା ଅଧ୍ୟାପକମାନେ କହିଛନ୍ତି। ଘଟଣାରୁ ପ୍ରକାଶ ଯେ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବ୍ଲକରେ ଯୁକ୍ତ ଦୁଇ କଳା ବିଷୟର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନର ଚାଲିଥିଲା। ମେନୁଏଲ ମୂଲ୍ୟାଙ୍କନ ଓ ଇ-ମୂଲ୍ୟାଙ୍କନ ପାଇଁ ବଲାଙ୍ଗୀର ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାରୁ ପ୍ରାୟ ଦେଢ଼ଶହ ଅଧ୍ୟାପକ ଅଧ୍ୟାପିକା ମୂଲ୍ୟାଙ୍କନ ପ୍ରକିୟାରେ ସାମିଲ ହୋଇଥିଲେ। ମୂଲ୍ୟାଙ୍କନ ସ୍ୱାଭାବିକ ଭାବରେ ଚାଲିଥିବା ବେଳେ ପୂର୍ବାହ୍ନ ଏଗାରଟାରେ ମେନ ସ୍ୱିଚ ନିକଟରେ ହଠାତ ଠୋ ଠା ଶବ୍ଦ ହୋଇ ମୂଲ୍ୟାଙ୍କନ ହେଉଥିବା ହଲ ଧୂଆଁରେ ଭରି ଯାଇଥିଲା। ହଲ ମଧ୍ୟରେ ଥିବା ଅଧ୍ୟାପକ ଅଧ୍ୟାପିକାମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଏପଟେ ପ୍ରାଣ ଭୟ, ସେପଟେ ମୂଲ୍ୟାଙ୍କନ ପାଇଁ ଥିବା ଖାତା ଜଳି ଗଲେ ଛାତ୍ରଛାତ୍ରୀଙ୍କ ଜୀବନ ନେଇ ଖେଳ ହେବ। କିଛି ଅଧ୍ୟାପକ ଖାତା ଛାଡ଼ି ତଳ ମହଲାକୁ ଧାଇଁ ଥିଲେ। ହେଲେ ପରେ ଥିବା ଅଧ୍ୟାପକ ଅଧ୍ୟାପିକାମାନେ ସମସ୍ତ ପରୀକ୍ଷା ଖାତା ନେଇ ତଳକୁ ଆସିବାକୁ ଉଦ୍ୟମ କରିଥିଲେ। ସବୁ ପରୀକ୍ଷା ଖାତା ସଂଗ୍ରହରେ ଡେରି ହେବାରୁ ପ୍ରାୟ ୧୦ ଜଣ ଅଧ୍ୟାପକ ଅଧ୍ୟାପିକା ଧୂଆଁ ଯୋଗୁଁ ରାସ୍ତା ନପାଇ ବାହାରକୁ ବାହାରି ପାରି ନଥିଲେ। ପ୍ରାୟ ୧୦ ଜଣ ୧୫ ମିନିଟ ଧରି ଧୂଆଁର ବଳୟରେ ରହିଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଶାବଳରେ ବାହାର ପଟ ଝରକା ଗ୍ରୀଲ ତାଡ଼ି ଭିତରକୁ ପଶି ଭିତରେ ଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଉଦ୍ଧାର କରିଥିଲେ। ମୂଲ୍ୟାଙ୍କନ କରୁଥିବା ସମସ୍ତଙ୍କ ସହ ପରୀକ୍ଷା ଖାତା ସୁରକ୍ଷିତ ଥିବା ଜଣାଯାଇଛି। ଏହି ଘଟଣା ପରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ବିନୟ ଜେନା ମୂଲ୍ୟାଙ୍କନ ବାତିଲ ଘୋଷଣା କରିଛନ୍ତି। ବୁଧବାର ଅବସ୍ଥାରେ ସୁଧାର ହେବା ପରେ ଗୁରୁବାରରୁ ମୂଲ୍ୟାଙ୍କନ ଆରମ୍ଭ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe