ଭୁବନେଶ୍ବର : ୨୭୫୦ ବର୍ଗ କିଲୋମିଟରର ବିଶାଳ ଶିମିଳିପାଳ ଅଭୟାରଣ୍ୟ ଆଡକୁ ଦ୍ରୁତ ବେଗରେ ନିଆଁ ମାଡି ଆସୁଛି । ଅଭୟାରଣ୍ୟର ଆଖପାଖ ଜଙ୍ଗଲରେ ସାଙ୍ଘାତିକ ନିଆଁ ଲାଗିଲାଣି । ମୟୂରଭଂଜର ରାଜ ପରିବାର ଏହି ଘଟଣାକୁ ଆଗକୁ ଆଣିଛନ୍ତି ଓ ଉଦବେଗ ପ୍ରକାଶ କରିଛନ୍ତି । ରାଜକୁମାରୀ ଅକ୍ଷିତା ମଂଜରୀ ଭଂଜଦେଓ ଟ୍ୱିଟ୍ କରି କହିଛନ୍ତି, ଶିମିଳିପାଳର ସୌନ୍ଦର୍ଯ୍ୟ ନଷ୍ଟ କରିବା ପାଇଁ ଏବଂ ଜୀବଜନ୍ତୁଙ୍କୁ କ୍ଷତି ପହଞ୍ଚାଇବା ପାଇଁ, କିଛି ବ୍ୟକ୍ତି ଏଭଳି କାମ କରୁଛନ୍ତି । ତେଣୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଛନ୍ତି ।ତାଙ୍କର ଟ୍ବିଟକୁ ରିଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏହି ଘଟଣାକୁ ନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ଚିନ୍ତା ପ୍ରକଟ କରିଛନ୍ତି । ଶିମିଳିପାଳରୁ ଆସୁଥିବା ଖବର ବେଶ ବେଦନାଦାୟକ । ନିଆଁର ଆକାର ବେଶ ପ୍ରଚଣ୍ଡ ରହିଛି । ସରକାର ତୁରନ୍ତ ହସ୍ତକ୍ଷେପ ନ କଲେ ଓଡ଼ିଶାର ଜଙ୍ଗଲ ସଂପଦ ଆଉ ପୂର୍ବପରି ରହିବ ନାହିଁ ।
ହୁ ହୁ ହୋଇ ଜଳୁଛି ଜଙ୍ଗଲ । ଦିନେ କି ଦୁଇଦିନ ନୁହେଁ ପ୍ରାୟ ଗୋଟିଏ ସପ୍ତାହ ହେଲାଣି, ଜଙ୍ଗଲ ଭିତରେ ହିଁ ଜଳିଯାଉଛି ଗଛପତ୍ର । ମନ୍ଦ ଉଦ୍ଦେଶ୍ୟ ରଖି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏତେ ବଡ଼ ଅଂଚଳରେ ନିଆଁ ଲାଗିଛି ଯେ, ଏହାକୁ କାବୁ କରିବା ପାଇଁ ବନ ବିଭାଗ ନୟାନ୍ତ ହୋଇ ସାରିଲାଣି ।
Follow Us