ଘୁ.ଉଦୟଗିରି ବନାଞ୍ଚଳରେ ନିଆଁ

ଘୁ.ଉଦୟଗିରି ବନାଞ୍ଚଳରେ ନିଆଁ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଏବେ ନିଆଁ ଲାଗିଛି। ଗ୍ରୀଷ୍ମ ଆରମ୍ଭ ରୁ ସ୍ଥିତି ଅଣାୟତ୍ତ ହୋଇପଡିଛି। ବନବିଭାଗ ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଛି। ପ୍ରତ୍ୟକ ବର୍ଷ କୋଟି କୋଟି ବ୍ୟୟ କରି ବୃକ୍ଷ ରୋପଣ ହେଉଥିବା ବେଳେ ପୁରୁଣା ଜଙ୍ଗଲକୁ ସୁରକ୍ଷା ଦେବାରେ ଜଙ୍ଗଲ ବିଭାଗର ଅପରାଗତା ପଦାରେ ପଡିଛି।

ଗ୍ରୀଷ୍ମ ଋତୁ ଆରମ୍ଭରୁ ଅଣାୟତ ହେଲାଣି ଜଙ୍ଗଲ ନିଆଁ। ନିଆଁର ଆଁ ଭିତରେ ଘୁ.ଉଦୟଗିରି ବନାଞ୍ଚଳ ର ସମସ୍ତ ଜଙ୍ଗଲ।ହୁତୁ ହୁତୁ ହୋଇ ଦିବାରାତ୍ର ଜଙ୍ଗଲ ଜଳୁଛି।ସବୁଜ ସୁନ୍ଦର ଘଞ୍ଚ ଜଙ୍ଗଲ ଜଳି ପୋଡ଼ି ପାଉଁଶ ହେବାରେ ଲାଗିଛି।ଜଙ୍ଗଲ ସାରା ନିଆଁ ଏବଂ ଧୂଆଁ।ଜଙ୍ଗଲ ନିଆଁ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।ଗତକାଲି ସ୍ଥାନୀୟ ସହରର ତାପମାତ୍ରା୩୨.୬ଡିଗ୍ରୀ ଥିବା ବେଳେ ଆଜି ୩୩.୮ଡିଗ୍ରି ରେକର୍ଡ କରାଯାଇଛି।ଘୁ.ଉଦୟଗିରି ବନାଞ୍ଚଳ ଅଧୀନରେ ତିନି ଗୋଟି ସେକ୍ସନ ଯଥା ଘୁ.ଉଦୟଗିରି, ପାବୁରିଆ ଏବଂ କଳିଙ୍ଗା ରହିଥିବା ବେଳେ ଗତ ୪ଦିନ ହେଲା କଳିଙ୍ଗା ଘାଟି ସମେତ ପାଖାପାଖି ଭାଲିଆପଟା ଠାରୁ ଆରମ୍ଭ କରି କଳିଙ୍ଗା ଘାଟିର ପାଖାପାଖି ୬କିମି ପରିଧିରେ ଥିବା ବିଶାଳ ଜଙ୍ଗଲ ପାହାଡ଼ ସବୁ ଜଳୁଛି।କଳିଙ୍ଗା ଘାଟି ମୁଖ୍ୟ ସଡକ କଡ଼ ରେ ହୁ ହୁ ହୋଇ ଜଙ୍ଗଲ ଜଳୁଛି।୧୦କିମି ପରିବ୍ୟାପ୍ତ କଳିଙ୍ଗା ଘାଟି ଟି ୭କିମି ଭଞ୍ଜନଗର ବନଖଣ୍ଡ ଅଧୀନରେ ଥିବା ମୁଜାଗଡ଼ ରେଞ୍ଜ ଅଧୀନରେ ଥିବା ବେଳେ ସେଇ ପଟରୁ ନିଆଁ କନ୍ଧମାଳ ଜିଲ୍ଲା ସୀମାକୁ ବ୍ୟାପୁଥିବା ସ୍ଥାନୀୟ ବନବିଭାଗ କର୍ମଚାରୀମାନେ ପ୍ରକାଶ କରିଛନ୍ତି।

ସେଇଭଳି ଲିଙ୍ଗାଗଡ଼ ବିଟ ଅଧୀନରେ ଥିବା ବେଟିକଲା ଜଙ୍ଗଲ ରେ ମଧ୍ୟ ଗଂଜାମ ଜିଲ୍ଲାର ସୀମାନ୍ତ ରୁ ନିଆଁ ବ୍ୟାପିବାରେ ଲାଗିଛି।ସେଇଭଳି ଦିଣ୍ଡାବାଲି ନିକଟ ଜଙ୍ଗଲ ମଧ୍ୟ ଜଳୁଛି।ବିଭାଗୀୟ ଅଧିକାରୀ କିଛି କର୍ମଚାରୀ ଙ୍କୁ ନିୟୋଜିତ କରିଦେଇ ନିଜ କାର୍ଯ୍ୟ ସରିଗଲା ବୋଲି ଭାବୁଛନ୍ତି।ସେଟଲାଇଟ ରୁ ଖବର ସଂଗ୍ରହ କରି କର୍ମଚାରୀଙ୍କୁ ସେଇ ଜଙ୍ଗଲକୁ ନିଆଁ ଲିଭେଇବା ନିମନ୍ତେ ପଠାଯାଉଥିବା ସୂଚନା ମିଳିଛି।କିମି କିମି ବ୍ୟାପି ଘଞ୍ଚ ଜଙ୍ଗଲ ଜଙ୍ଗଲ ନିଆଁ ଲିଭାଇବା ପାଇଁ ମାତ୍ର କିଛି ହାତ ଗଣତି ଲୋକଙ୍କୁ ନିୟୋଜିତ କରାଯାଉଥିବା ଯୋଗୁଁ ସମୁଦ୍ର କୁ ଶଙ୍ଖେ ଭଳି ହେଉଛି।ନିଆଁ ଲିଭେଇ ଆସିଲା ବେଳକୁ ପୁଣି ଥରେ ନିଆଁ ଲାଗିବା ଆରମ୍ଭ ହୋଇଯାଉଛି।ବିଭାଗୀୟ ଅଧିକାରୀଙ୍କ କହିବାରେ ଗାଁ ଗହଳିରେ ଲୋକଙ୍କୁ ସଚେତନ କରାଯାଉଛି ଏହା ସତ୍ତ୍ୱେ ଜଙ୍ଗଲରେ ନିଆଁ ଲାଗୁଛି।ଜଙ୍ଗଲରେ ନିଆଁ ବ୍ୟାପିବା ଯୋଗୁଁ ବହୁ ମୂଲ୍ୟବାନ ବୃକ୍ଷ ନଷ୍ଟ ହେବା ସହ ନିରୀହ ଜୀବଜନ୍ତୁ,ଓ ପକ୍ଷୀଙ୍କ ଜୀବନ ହାନି ଘଟୁଛି।ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ପ୍ରତ୍ୟକ ବର୍ଷ ଜଙ୍ଗଲ ସୃଷ୍ଟି କରିବା ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟରେ ବୃକ୍ଷ ରୋପଣ କରାଯାଉଛି ଅଥଚ ଶହଶହ ବର୍ଷର ଘଞ୍ଚ ଜଙ୍ଗଲକୁ ସୁରକ୍ଷା ଦେବାରେ ଜଙ୍ଗଲ ବିଭାଗ ବିଫଳ ହୋଇଛି।ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ବନବିଭାଗ ଅଧିକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସବୁଜ ସୁନ୍ଦର କନ୍ଧମାଳ ଜିଲ୍ଲାର ଜଙ୍ଗଲ ବର୍ଯ୍ୟମାନ ବିପଦ ମୁଖରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe