ରାଣୀତାଲ: ସୋମବାର ଅପରାହ୍ନରେ ଭଦ୍ରକ ରେଳ ଷ୍ଟେସନ୍ରେ ପୁରୀ-କଲ୍କାତା ସାଲିମାର ଧଉଳି ଏକ୍ସପ୍ରେସ୍ରେ ନିଆଁ ଲାଗି ଯାଇଥିଲା। ରେଳ କର୍ମଚାରୀଙ୍କ ସମୟୋଚିତ ପଦକ୍ଷେପ ଯୋଗୁ ଏକ ବଡ଼ଧରଣର ବିପତ୍ତି ଟଳି ଯାଇଥିବା ବେଳେ ୩୦ ମିନିଟ୍ରୁ ଅଧିକ ସମୟ ଧରି ଷ୍ଟେସନ୍ରେ ଅଟକି ରହିଥିଲା ଧଉଳି।
ସୂଚନା ଅନୁସାରେ, ପୁରୀ-ସାଲିମାର ୧୨୮୨୨ ନମ୍ବର ଧଉଳି ଏକ୍ସପ୍ରେସ ୨ଟା ୪୫ ମିନିଟ୍ରେ ଭଦ୍ରକ ଷ୍ଟେସନ୍ରେ ପହଞ୍ଚିଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଟ୍ରେନ୍ର ଶେଷ ବଗିର ଚକ ପାଖରୁ ଧୂଆଁ ବାହାରିଥିଲା। ଏହା ଦେଖିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲେ। ଟ୍ରେନ୍ ଗାର୍ଡ, ଲୋକୋ ପାଇଲଟ୍ ଓ ଷ୍ଟେସନ୍ କର୍ମଚାରୀ ତୁରନ୍ତ ନିଆଁଲିଭା ଗ୍ୟାସ୍ ପ୍ରୟୋଗ କରିଥିଲେ। ଏଥିସହିତ ଅନ୍ୟ କର୍ମଚାରୀମାନେ ଅନୁରୂପ ଭାବେ ପଦକ୍ଷେପ ନେବାରୁ ଏକ ବଡ଼ ବିପତ୍ତି ଟଳି ଯାଇଥିଲା। ପ୍ରାୟ ଅଧଘଣ୍ଟା ବିଳମ୍ବରେ ଟ୍ରେନ୍ଟି ସାଲିମାର ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି।
Follow Us