ଚଢ଼ଉ ପରେ ପଦାକୁ ଆସିଲା ସାଂଘାତିକ ସତ : ଅଗ୍ନିକାଣ୍ଡ ପ୍ରତିହତ ପାଇଁ ସବୁ କୋଚିଂ ସେଣ୍ଟର ଅଯୋଗ୍ୟ

Advertisment
ଚଢ଼ଉ ପରେ ପଦାକୁ ଆସିଲା ସାଂଘାତିକ ସତ : ଅଗ୍ନିକାଣ୍ଡ ପ୍ରତିହତ ପାଇଁ ସବୁ କୋଚିଂ ସେଣ୍ଟର ଅଯୋଗ୍ୟ

ଭୁବନେଶ୍ୱର : ଲକ୍ଷ ଲକ୍ଷ ଟଙ୍କା ଦେଇ କୋଚିଂ ସେଣ୍ଟରରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଜୀବନ ପ୍ରତିଦିନ ବାଜିରେ ଲାଗୁଛି। କାରଣ ଅଗ୍ନିକାଣ୍ଡକୁ ପ୍ରତିହତ କରିବା ପାଇଁ ରାଜ୍ୟର ସବୁ କୋଚିଂ ସେଣ୍ଟର୍‌ ଅଯୋଗ୍ୟ। ରାଜ୍ୟର ବଲାଙ୍ଗୀର, ଭବାନୀପାଟଣା, ଅନୁଗୁଳ, ଝାରସୁଗୁଡ଼ା, ଭଦ୍ରକ ଓ ଜୟପୁର ଭଳି ଅଧିକାଂଶ ସହରର ବିଭିନ୍ନ କୋଚିଂ ସେଣ୍ଟରରେ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ହୋଇଥିବା ଚଢ଼ଉରୁ ଏହି ସାଂଘାତିକ ତଥ୍ୟ ପଦାକୁ ଆସିଛି।

ବିଭାଗ ପକ୍ଷରୁ ଆଜି ବଲାଙ୍ଗୀର, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୧୦ଟି ଲେଖାଏଁ ବଛା ବଛା କୋଚିଂ ସେଣ୍ଟରରେ ଚଢ଼ଉ କରାଯାଇଥିଲା। କିନ୍ତୁ ସବୁଠାରେ ସ୍ଥିତି ସଂଗିନ୍‌ ଥିବା ଦେଖାଯାଇଥିଲା। ସେହିଭଳି ଅନୁଗୁଳର ୮ଟି, ଭଦ୍ରକର ୫ଟି, ଜୟପୁରର ୬ଟି ଜାଗାରେ ହୋଇଥିବା ଚଢ଼ଉରେ ମଧ୍ୟ ତଦ୍ରୂପ ଅବସ୍ଥା ସାମ୍ନାକୁ ଆସିଥିଲା। ଏହି କୋଚିଂ ସେଣ୍ଟରଗୁଡ଼ିକରେ ଆବଶ୍ୟକ ମୁତାବକ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ଯେଉଁ ଶିଡ଼ି କରାଯାଇଛି, ତାହା ପ୍ରସ୍ଥାନ ପାଇଁ ପର୍ଯ୍ୟାପ୍ତ ନୁହେଁ। ଶିଡ଼ି ତଳେ ବୈଦ୍ୟୁତିକ ପ୍ୟାନେଲ ରଖାଯାଇଥିବାରୁ ଏହା ଆହୁରି ବିପଦପୂର୍ଣ୍ଣ। କୌଣସି କୋଚିଂ ସେଣ୍ଟର୍‌‌ରେ ବିପଦ ସମୟରେ ନିରାପଦ ସ୍ଥାନକୁ ଯିବା ପାଇଁ ସତର୍କ ସୂଚନା ଫଳକ ଲଗା ଯାଇନାହିଁ।

ଏଭଳି ଅବ୍ୟବସ୍ଥା ଦେଖିବା ପରେ କୋଚିଂ ସେଣ୍ଟରଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଇବା ପାଇଁ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ନୋଟିସ୍‌ କରାଯିବ ବୋଲି ବିଭାଗ କହିଛି। ଚଢ଼ଉ ବେଳେ ଅଗ୍ନିକାଣ୍ଡରୁ କିଭଳି ନିଜକୁ ବଞ୍ଚାଇ ହେବ, ସେ ନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବା ସହ ଅଗ୍ନି ନିର୍ବାପକ ଯନ୍ତ୍ର ଚଳାଇବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା।

ସୂଚନାଯୋଗ୍ୟ, ସୁରଟ‌‌ର ଏକ କୋଚିଂ ସେଣ୍ଟର ନିଆଁ ଲାଗି ବଡ଼ଧରଣର ଅଘଟଣ ଘଟିବା ପରେ ଭୁବନେଶ୍ବରରେ ୧୫ଟି ଓ କଟକରେ ୮ଟି ସେଣ୍ଟର୍‌ରେ ଚଢ଼ାଉ କରାଯାଇଥଇଲା। ରାଉରକେଲାର ୧୩ଟି ଏବଂ ବାଲେଶ୍ବର, ସମ୍ବଲପୁର, ବ୍ରହ୍ମପୁରରେ ୧୦ଟି ଲେଖାଏଁ କୋଚିଂ ସେଣ୍ଟରରେ ଚଢ଼ଉ ହୋଇଥିଲା। ସବୁଠାରେ ସ୍ଥିତି ସଙ୍ଗିନ୍‌ ଥିବା ଦେଖାଯାଇଥିଲା। ଅଦ୍ୟାବଧି ରାଜ୍ୟରେ ୧୧୫ଟି କୋଚିଂ ସେଣ୍ଟର ଉପରେ ଚଢ଼ଉ କରାଯାଇଛି। ହେଲେ କୌଣସିଟି ଶତପ୍ରତିଶତ ଅଗ୍ନି ପ୍ରତିରୋଧକ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଏକ ଧାର୍ଯ୍ୟ ତାରିଖ ମଧ୍ୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସମସ୍ତ ସେଣ୍ଟରକୁ କେବଳ ନୋଟିସ୍‌ କରାଯାଉଛି।

ପୂର୍ବରୁ ଏକ ମଲ୍‌ରେ ଅଗ୍ନିକାଣ୍ଡ ପ୍ରାଣଘାତକ ହେବାରୁ ବିଭିନ୍ନ ମଲ୍‌ରେ ଚଢ଼ଉ କରାଯାଇଥିଲା। ମଲ୍‌ରେ ମଧ୍ୟ ଅନୁରୂପ ଅବସ୍ଥା ରହିଥିଲା। ଚଢ଼ଉ ପରେ ବିଭାଗ ପକ୍ଷରୁ ନୋଟିସ୍‌ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏହି ନୋଟିସ୍‌କୁ କେହି ମାନୁ ନାହାନ୍ତି। ଫଳରେ ଅଘଟଣ ଘଟିଲେ ଯାଇ ବିଭାଗର ନିଦ ପୁଣି ଭାଙ୍ଗୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe