ଅଗ୍ନିଶମ ସେବା ପୋର୍ଟାଲ ଓ ଫାୟାର୍‌ ପାର୍କ ଉଦ୍‌ଘାଟିତ, ପ୍ରତି ଶନିବାର ଜନସାଧାରଣଙ୍କ ପାଇଁ ଖୋଲା ରହିବ ପାର୍କ

Advertisment

କରୋନା ସମୟରେ ଉଲ୍ଲେଖନୀୟ ସେବାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

କରୋନା ସମୟରେ ଉଲ୍ଲେଖନୀୟ ସେବାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଅଗ୍ନିଶମ ସେବା ପୋର୍ଟାଲ ଓ ଫାୟାର୍‌ ପାର୍କ ଉଦ୍‌ଘାଟିତ, ପ୍ରତି ଶନିବାର ଜନସାଧାରଣଙ୍କ ପାଇଁ ଖୋଲା ରହିବ ପାର୍କ

ଭୁବନେଶ୍ବର: ଅଗ୍ନିଶମ ବିଭାଗର ସେବା ପୋର୍ଟାଲକୁ ଆଜି ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଲୋକାର୍ପିତ କରିଛନ୍ତି। ୫-ଟି ଅଧୀନରେ ଏହି ପୋର୍ଟାଲ ଜରିଆରେ ଜନସାଧାରଣ ୧୬ଟି ସେବା ପାଇ ପାରିବେ। ଏହି ଅବସରରେ ବରମୁଣ୍ଡାସ୍ଥିତ ଅଗ୍ନିଶମ ଓ ବିପର୍ଯ୍ୟୟ ଏକାଡେମିରେ ଏକ ଫାୟାର ପାର୍କର ମଧ୍ୟ ଉଦ୍‌ଘାଟନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଲେ, ଅଗ୍ନିଶମ ସେବା ପୋର୍ଟାଲ ମାଧ୍ୟମରେ ଲୋକ ଅଧିକ ଉପକୃତ ହୋଇପାରିବେ। ଏହାଦ୍ବାରା ଲୋକଙ୍କ ବହୁମୂଲ୍ୟ ସମୟ ବଞ୍ଚିବା ସହ ସହଜରେ ସୁବିଧା ପାଇପାରିବେ। ସେହିପରି ପ୍ରତି ଶନିବାର ଫାୟାର ପାର୍କ ଜନସାଧାରଣଙ୍କ ପାଇଁ ଖୋଲା ରହିବ। ଏହି ପାର୍କରୁ ଅଗ୍ନି ନିରାପତ୍ତା ଓ ମୁକାବିଲା ସମ୍ପର୍କରେ ଲୋକେ ସଚେତନ ହୋଇପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଗ୍ନିକମାନଙ୍କୁ ପ୍ରଶଂସା କରିଥିଲେ। ଆସନ୍ତାକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ପାର୍କ ବୁଲି ଦେଖିବେ ବୋଲି ଜଣାଯାଇଛି।

ପରେ ଫାୟାର ପାର୍କରେ ଅଗ୍ନିଶମ କର୍ମଚାରୀମାନଙ୍କ ଦ୍ବାରା ଏକ ମକଡ୍ରିଲ୍‌ କରାଯାଇଥିଲା। ଉଚ୍ଚ ଅଟ୍ଟାଳିକାରେ ନିଆଁ ଲାଗିଲେ କିମ୍ବା କୌଣସି ଦୁର୍ଘଟଣା ଘଟିଲେ, ଲୋକଙ୍କୁ କେମିତି ଉଦ୍ଧାର କରାଯାଇ ପାରିବ, ତୈଳ କିମ୍ବା ଗ୍ୟାସ୍‌ରେ ନିଆଁ ଲାଗିଲେ କେମିତି ଆୟତ୍ତ କରାଯିବ, ପାଣିରେ ବୁଡ଼ି ଯାଉଥିବା ଲୋକଙ୍କୁ କେମିତି ଉଦ୍ଧାର କରାଯିବ; ତାହାର ପ୍ରଦର୍ଶନ କରାଯାଇଥିଲା। ସୂଚନାଯୋଗ୍ୟ, ଏହି ଫାୟାର ପାର୍କ ଶନିବାର ଅପରାହ୍‌ଣ ୩ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। କାର୍ଯ୍ୟକ୍ରମରେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe