ଦ୍ୱିତୀୟ ଦିନରେ ଅଗ୍ନିଶମ କର୍ମଚାରୀଙ୍କ ଧାରଣା ଆନ୍ଦୋଳନକାରୀ ନିର୍ଦୟ, ସରକାର ବେଫିକର

Advertisment

ବଳିପଡିଲା ଶିଶୁର ଜୀବନ, ଜଳିଗଲା ଘର ଖବର ପାଇଲେ ମଧ୍ୟ ଯାଉନାହାନ୍ତି

ବଳିପଡିଲା ଶିଶୁର ଜୀବନ, ଜଳିଗଲା ଘର ଖବର ପାଇଲେ ମଧ୍ୟ ଯାଉନାହାନ୍ତି

ଦ୍ୱିତୀୟ ଦିନରେ ଅଗ୍ନିଶମ କର୍ମଚାରୀଙ୍କ ଧାରଣା ଆନ୍ଦୋଳନକାରୀ ନିର୍ଦୟ, ସରକାର ବେଫିକର

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଡାକୋଇ ଗାଁରେ ଜଣେ ଦୁଇ ବର୍ଷର ଶିଶୁପୁତ୍ର ପ୍ରତ୍ୟୁଷ ଘର ପାଖରେ ଖେଳୁଥିବା ବେଳେ କୂଅରେ ପଡ଼ି ଯାଇଥିଲା। ପରିବାର ଲୋକ ଚିତ୍ରଡ଼ା, ବେତନଟୀ, ବାରିପଦା ଅଗ୍ନିଶମ ବିଭାଗକୁ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ କେହି ଫୋନ୍‌ ଉଠାଇ ନ ଥିଲେ। କୁହାଯାଇଥିଲା, ଆନ୍ଦୋଳନ ଚାଲିଛି ଆମେ କେହି ଯାଇ ପାରିବୁ ନାହିଁ। ଦଶପଲ୍ଲା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଅଗ୍ନିକାଣ୍ଡ ଘଟିଲା ବେଳେ ଗ୍ରାମବାସୀମାନେ ଦଶପଲ୍ଲା ଅଗ୍ନିଶମ କେନ୍ଦ୍ରକୁ ବାରମ୍ବାର ଟେଲିଫୋନ୍‌ କରିଥିଲେ। ସ୍ଥାନୀୟ ଲୋକ ଦମକଳ କେନ୍ଦ୍ରକୁ ଯାଇ ନେହୁରା ହୋଇଥିଲେ ମଧ୍ୟ କେହି ସେମାନଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲେ। ଗାଁ ଲୋକଙ୍କ ଆଖି ଆଗରେ ୮ ବଖରା ଘର ଜଳିପୋଡି ପାଉଁଶ ହୋଇଗଲା। କେବଳ ଏହି ଦୁଇଟି ନୁହେଁ, ଗତ ଦୁଇ ଦିନରେ ରାଜ୍ୟରେ ଏମିତି ଅନେକ ଘଟଣା ଘଟିଛି ଓ ଲୋକେ ବିକଳ ହୋଇ ଅଗ୍ନିଶମ ବିଭାଗର ସହାୟତା ଲୋଡିଛନ୍ତି। ହେଲେ ଆନ୍ଦୋଳନରତ ଅଧିକାରୀ ନିଜ ହକ୍‌ ପାଇଁ ଏକ ଛୋଟ ଛୁଆର ଜୀବନକୁ ବି ବାଜି ଲଗାଇ ଦେଇଛନ୍ତି। ସଂପତ୍ତି ପୋଡି ପାଉଁଶ ହୋଇଯାଇଥିଲେ ବି କ୍ଷତିଗ୍ରସ୍ତ ବୁକୁଫଟା କାନ୍ଦ ସେମାନଙ୍କୁ ଆନ୍ଦୋଳନ କରିପାରିନି।

ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଏଭଳି ବେଫିକର ପଣ, ନିର୍ଦୟ ମନୋଭାବକୁ ନେଇ ଆଜି ରାଜ୍ୟର ପ୍ରାୟ ମହଲରେ ନିନ୍ଦା କରାଯାଇଛି। କେବଳ ସେତିକି ନୁହେଁ, ଜରୁରୀକାଳୀନ ସେବା ଠପ୍‌ ହୋଇଯାଇଥିବା ବେଳେ ରାଜ୍ୟ ସରକାର ଯେଭଳି ନିର୍ବିକାର ଭଳି ବସିଛନ୍ତି, ତାହାକୁ ମଧ୍ୟ କେହି ଗ୍ରହଣ କରିପାରୁନାହାନ୍ତି। ପ୍ରଶ୍ନ ଉଠିଛି, ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି ବୋଲି କ’ଣ ସର୍ବସାଧାରଣଙ୍କ ଜୀବନକୁ ବିପନ୍ନ କରାଯାଇ ପାରିବ? ଜରୁରୀକାଳୀନ ସେବାକୁ ସଂପୂର୍ଣ୍ଣ ଠପ୍‌ କରିଦିଆଯାଇ ପାରିବ? ବ୍ୟବସ୍ଥାକୁ ଠପ୍‌ ହୋଇଯିବା ଜାଣି ବି ସରକାର କୌଣସି ବିକଳ୍ପ ବ୍ୟବସ୍ଥାର ଚିନ୍ତା କରିବେନି?

ଉଲ୍ଲେଖଯୋଗ୍ୟ, ଓଡ଼ିଶା ଅଗ୍ନିଶମ କର୍ମଚାରୀମାନଙ୍କୁ ଓଡ଼ିଶା ପୁଲିସ ସହିତ ସମାନ ଦରମା ଓ ଭତ୍ତା ପ୍ରଦାନ, ସଂଘକୁ ତୁରନ୍ତ ପଞ୍ଜୀକରଣଭୁକ୍ତ କରିବା, ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ ଦରମା ଭୁକ୍ତ କରିବା, ନିଜ ଜିଲ୍ଲାରେ ନିଯୁକ୍ତି, ଅବସରପ୍ରାପ୍ତ କର୍ମଚାରୀଙ୍କୁ ତୁରନ୍ତ ପେନ୍‌ସନ୍‌ ଯୋଗାଇ ଦେବା, ଅନ୍ୟ ସରକାରୀ ଚାକିରି ଭଳି ୮ ଘଣ୍ଟା ଡ୍ୟୁଟି କରାଇବା ଆଦି ୬ ଦଫା ଦାବି ନେଇ କର୍ମଚାରୀମାନେ ଗତକାଲିଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିରେ ମୁଖ୍ୟ ଆଗ୍ନିକ, ଆଗ୍ନିକ ଓ ଚାଳକମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି। ଆଜି ଦ୍ୱିତୀୟ ଦିନରେ ଏହି ଆନ୍ଦୋଳନ ପହଞ୍ଚିଛି। ଏହାର ସାଂଘାତିକ ପ୍ରଭାବ ଏବେ ପଡିଲାଣି। ବହୁ ଗୁରୁତ୍ୱପୂର୍ଣ୍ଣ ନମ୍ବର ୧୦୧ ଏବେ ଅଚଳ ପ୍ରାୟ ପଡିଛି। ଖବର ପାଇଲେ ବି କର୍ମଚାରୀ ଇଞ୍ଚେ ବି ଘୁଞ୍ଚୁନାହାନ୍ତି କିମ୍ବା ଲୋକଙ୍କ ବିକଳ କାନ୍ଦ ତାଙ୍କୁ ବିଚଳିତ କରିପାରୁନି। ଏ ସମ୍ପର୍କରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି, ଅନ୍ଦୋଳନରେ ବସିଥିବା କର୍ମଚାରୀମାନେ ଆନ୍ଦୋଳନରୁ ହଟିଯିବା ଲାଗି ଉଦ୍ୟମ ଜାରି ରହିଛି। ଯେଉଁଠୁ ଖବର ଆସୁଛି, ଅଗ୍ନିଶମ କେନ୍ଦ୍ରରେ ଉପସ୍ଥିତ ଥିବା ଅଫିସରମାନଙ୍କୁ ଘଟଣାସ୍ଥଳକୁ ପଠାଯାଉଛି। ତେବେ ଅଫିସରମାନଙ୍କ ସଂଖ୍ୟା କମ୍‌ ଥିବାରୁ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe