୪ ବନ୍ଧୁକ ସହ ବିପୁଳ ମାରଣାସ୍ତ୍ର ଜବତ, ୩ ଗିରଫ

ଟ୍ରକ୍‌ରୁ ସଶସ୍ତ୍ର ଡକାୟତି ଯୋଜନା ବେଳେ ମାଡ଼ି ବସିଲା ପୁଲିସ

୪ ବନ୍ଧୁକ ସହ ବିପୁଳ ମାରଣାସ୍ତ୍ର ଜବତ, ୩ ଗିରଫ

ଯୋଡ଼ା : ଯୋଡ଼ା ଥାନା ବିଲେଇପଦା ଫାଣ୍ତି ଅନ୍ତର୍ଗତ ଦେଓଝର-ମୁର୍ଗାବେଡ଼ା ଖଣି ରାସ୍ତାରେ ଟ୍ରକ୍‌ରୁ ସଶସ୍ତ୍ର ଡକାୟତି ଯୋଜନା କରୁଥିବା ୩ ଡକାୟତଙ୍କୁ ପୁଲିସ ଆଜି ଗିରଫ କରିଛି। ସେମାନେ ହେଲେ ଯୋଡ଼ାସ୍ଥିତ ବାଚୁହଟିଂର ଯୀଶୁ ତନ୍ତି ଓରଫ ଇସୁ, ସୌରଭ ମହାକୁଡ଼ ଓରଫ ଗୁଡୁ, ଜାଲିନ ଛତର। ସେମାନଙ୍କଠାରୁ ପୁଲିସ ତିନିଟି ପିସ୍ତଲ, ଗୋଟିଏ ରିଭଲଭର, ୬ ରାଉଣ୍ତ ଗୁଳି, ୨ଟି ଛୁରି, ୧୧ଟି ମୋବାଇଲ, ଏକ କାର୍‌ (ଓଡି-୦୯-ଜି-୮୭୩୧), ଏକ ସ୍କୁଟି (ଓଡି-୦୯-ଜି-୮୭୩୧) ଓ ୧୧ ହଜାର ୭୭୦ ଟଙ୍କା ଜବତ କରିଛି।

publive-image

ଯୋଡ଼ା ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସୁଧାଂଶୁ ଭୂଷଣ ବେହେରା ଡକାୟତି ଯୋଜନା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଗତକାଲି ବିଳମ୍ବିତ ରାତିରେ ଡକାୟତମାନେ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ଦେଓଝର ଓ ମୁର୍ଗାବେଡ଼ା ଖଣିକୁ ଲୁହାପଥର ବୋଝେଇ ପାଇଁ ଆସୁଥିବା ଟ୍ରକ୍‌ଗୁଡ଼ିକ‌ରୁ ଡକାୟତି ପାଇଁ ଯୋଜନା‌ କରିଥିଲେ। ରାତି ପ୍ରାୟ ୨ଟା ୨୦ ମିନିଟ ସମୟରେ ସେମାନେ ଦେଓଝର-ମୁର୍ଗାବେଡ଼ା ଗାଁ ରାସ୍ତାରେ ଏକାଠି ହୋଇଥିଲେ। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ପୁଲିସ ଗାଡ଼ି ଦେଖି ଅନ୍ଧାରର ସୁଯୋଗ ନେଇ ୨ଜଣ ଡକାୟତ ଖସିଯିବାକୁ ସକ୍ଷମ ହୋଇଥିଲେ। ପୁଲିସ ୩ଜଣଙ୍କୁ କାବୁ କରିନେଇଥିଲା। ଯାଞ୍ଚ ବେଳେ ସେମାନଙ୍କଠାରୁ ବନ୍ଧୁକ ସହିତ ବିଭିନ୍ନ ମାରଣାସ୍ତ୍ର ମିଳିଥିଲା। ସେମାନେ ବ୍ୟବହାର କରୁଥିବା ଗୋଟିଏ କାର ଓ ସ୍କୁଟିକୁ ପୁଲିସ ନିଜ ହେପାଜତକୁ ନେଇଛି।

ଏନେଇ ଯୋଡ଼ା ଥାନାରେ ଧାରା ୩୯୯, ୪୦୨ ଏବଂ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ ୬୨/୨୦୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ‌ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ଯୀଶୁ ନାମରେ ଯୋଡ଼ା ଥାନାରେ ବିଭିନ୍ନ ଦଫାରେ ପାଞ୍ଚ ପାଞ୍ଚଟି ମାମଲା ରହିଥିବା ବେଳେ ଗୁଡ଼ୁ ନାମରେ ଯୋଡ଼ା ଥାନାରେ ୪ଟି ଏବଂ ଜାଲିନ ନାମରେ ୩ଟି ମାମଲା ରହିଛି। ଏହି ସବୁ ମାମଲା ୨୦୧୯ରୁ ୨୦୨୧ ମଧ୍ୟରେ ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ସେହିପରି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ବିଳନୀରେ ଯୋଡ଼ା ଥାନା ଅଧିକାରୀ ରାଇସେନ ମୁର୍ମୂ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe