ଭୁବନେଶ୍ବର: ଯେଉଁଠି ଦେଖିବ ସେଇଠି ଗଦାଗଦା ବାଣର ଆବର୍ଜନା । କେଉଁଠି ରକେଟ୍ ଅଧା ଜଳି ପଡିଛି, କେଉଁଠି କୁମ୍ପିରୁ ବାରୁଦ ଢାଳି ହୋଇପଡିଛି । ପୁଣି କେଉଁଠି ସ୍କାଏ ସଟ୍ସର ବଡ ବଡ ଖୋଳପା ପଡିଛି । ସକାଳ ହେବା କ୍ଷଣି ସହର ସାରା ଗଦାଗଦା ବାଣର ଅଂଶ ସବୁ ପଡିଛି । ଗତ ରାତିରେ ବାଣ ଏତେ ମାତ୍ରାରେ ଫୁଟିଛି ଯେ ତାର ପ୍ରମାଣ ଆଜି ସକାଳେ ପଡିଥିବା ବାଣର ଏସବୁ ଆବର୍ଜନା ବୟାନ କରୁଥିଲା । 

Advertisment

ଗତକାଲି ଠାରୁ ଭୁବନେଶ୍ବର, କଟକ ସମେତ ରାଜ୍ୟ ବିଭିନ୍ନ ସ୍ଥାନରେ, ସହରରେ ଏବଂ ଗାଁରେ ବାଣ ଫୁଟା ଚାଲିଥିବା ବେଳେ ବାଣ ଫୁଟା ପରେ ଆଜି ସକାଳେ ଦେଖାଦେଇଛି ଅଭାବନୀୟ ପରିସ୍ଥିତି । ଯେଉଁଠି ଲୋକେ ବାଣ ଫୁଟା ପରେ ନିଜ ଦାୟିତ୍ବ ଭୁଲିଯାଇଛନ୍ତି । ଯଦିଓ ସହରର ବଡ ବଡ ଛକ କିମ୍ବା ଭିଆଇପି ରାସ୍ତାରେ ସକାଳେ ସକାଳେ ସଫେଇ କର୍ମଚାରୀ ପଡିଥିବା ବାଣର ଅଂଶୁ ସଫାକରି ନେଇଛନ୍ତି । ମାତ୍ର ରାଜଧାନୀର ଅନେକ ସ୍ଥାନରେ, ଗଳି କନ୍ଦିରେ ବାଣର ଆବର୍ଜନା ପଡିଛି । ରାସ୍ତା ସାରା ବାଣ ଫୁଟିବା ପରେ କାଗଜ, ଜରି, ଝରଝରି ଖୋଳପା ପଡିଛି ଯାହାକୁ ନା ସଫେଇ କର୍ମଚାରୀ ନା ଯେଉଁମାନେ ଫୁଟାଇଥିଲେ ସେମାନେ ସଫା କରିଥିଲେ । ରାତିରେ ମଜା କଲେ, ସକାଳେ ଭୁଲିଗଲେ । ଏହା ହେଉଛି କିଛି ଲୋକଙ୍କର ଏବଂ ଅମାନିଆଙ୍କର ମାନସିକତା ।

ଆହୁରି ପଢନ୍ତୁ-

Pakistan Air Pollution: ବାଣ ଫୁଟିଲା ଭାରତରେ, ଧୂଆଁ ମାତିଲା ପାକିସ୍ତାନରେ… ସୀମା ଡେଇଁଲା ପ୍ରଦୂଷଣ, ଅଭିଯୋଗ ଆଣିଲା ପାକିସ୍ତାନ

smoky sky  in bhubaneswar
smoky sky in bhubaneswar Photograph: (sambad.in)

ସେପଟେ ଯଦି ଏହି ବାଣର ଆବର୍ଜନାକୁ କେହି ସଫା କରୁଛି ତେବେ ସିଏ ସହରଠୁ ଦୂରରେ ଥିବା କେଉଁ ଅଳିଆ ଗଦାରେ ପକାଇ ଦେଇ ତାର ଦାୟିତ୍ବ ସାରିଦେଉଛି । ସ୍ବଚ୍ଛତା ପାଇଁ ସିଏ ଗଳିକନ୍ଦିର ବାଣ ଆବର୍ଜନା ସଫା କରୁଛି ସତ ମାତ୍ର ଅଳିଆ ଗଦାରେ ପକାଇବା ଦ୍ବାରା ଏହା ପଶୁଙ୍କ ପାଇଁ ବିପଦକୁ ଡାକି ଆଣୁଛି । ଅଳିଆ ଗଦାରେ ଗାଈ, ଗୋରୁ, ଷଣ୍ଢ, କୁରୁର ଆଦି ସବୁ ଖାଦ୍ୟ ଅଣ୍ଡାଳୁଥିବା ବେଳେ କିଛି ଅଫୁଟା ବାଣ ବି ସେମାନଙ୍କ ପାଟିରେ ଫାଟି ଯାଉଛି । ୩ ଦିନ ତଳେ ଏକ ଷଣ୍ଢର ଏମିତି ଅବସ୍ଥା ପରେ ସମସ୍ତଙ୍କୁ ଅନୁରୋଧ ବାଣ ଅଳିଆକୁ ଏମିତି ଏକ ସ୍ଥାନରେ ନେଇ ଫିଙ୍ଗନ୍ତୁ ଯେମିତି କି ଏହା ପଶୁଙ୍କ ପାଇଁ କାଳ ନହେବ । ଏବଂ ବାଣ ଫୁଟାଇବା ପରେ ଅନ୍ୟ ଉପରେ ନିର୍ଭର ନକରି ନିଜ ଦାୟିତ୍ବ ନିଜେ ତୁଲାନ୍ତୁ କାରଣ ବାଣ ଫୁଟାଇ ଆପଣ ଖୁସି କରୁଛନ୍ତି ମାନେ ଖୁସି ପରର ସ୍ବଚ୍ଛତା ବି ଆପଣଙ୍କ ଦାୟିତ୍ବ ହେବା ଦରକାର । 

Diwali | firecracker | Odisha 

ଆହୁରି ପଢନ୍ତୁ-

Air Pollution ୨ ଘଣ୍ଟା ଢୋ ଢାରେ ଅଣନିଶ୍ବାସୀ ରାଜଧାନୀବାସୀ: ଧୂଆଁରେ ଭର୍ତ୍ତି ଭୁବନେଶ୍ବର ଆକାଶ… କାହାରି ପଡୁନି ଫରକ୍