ଦୀପାବଳି ପୂର୍ବରୁ ବାଣ ବିସ୍ଫୋରଣ: ସ୍ବାମୀର ଜୀବନ ଗଲା; ସ୍ତ୍ରୀ ଗୁରୁତର

ରାତି ଦୁଇଟା ଘଟିଲା ଅଘଟଣ, ଲୁଚାଇଦେଲେ ଶବ, ଟେର୍‌ ପାଇଲାନି ପୁଲିସ

ଦୀପାବଳି ପୂର୍ବରୁ ବାଣ ବିସ୍ଫୋରଣ: ସ୍ବାମୀର ଜୀବନ ଗଲା; ସ୍ତ୍ରୀ ଗୁରୁତର

ଅନୁଗୁଳ : ଦୀପାବଳି ପୂର୍ବରୁ ବାଣ ଘଟିଛି ଅଘଟଣ। ବିସ୍ଫୋରଣରେ ଛିନ୍‌ଛତ୍ର ହୋଇଯାଇଛି ଟାଇଲି ଛପର ଘର। ଘଟଣାରେ ସ୍ବାମୀଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଥିବା କୁହାଯାଉଛି। ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ୍ ପଞ୍ଚାୟତ ସାଆନ୍ଦା ଗାଁରେ ଗୁରୁବାର ରାତିରେ ଘଟିଥିବା ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ରାତି ଅଧରେ ଘଟିଥିବା ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଯାଇଛି। ଶବକୁ କେଉଁଆଡ଼େ ଗାଏବ କରିଦିଆଯାଇଥିବା ବେଳେ ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ କେଉଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ତାହାର କୌଣସି ସୂଚନା ପୁଲିସକୁ ମିଳିପାରି ନାହିଁ। ଖମାର ଥାନା ପୁଲିସ ଦୁଇ ଦୁଇ ଥର ଗାଁରେ ଖୋଳତାଡ଼ କରିଥିଲେ ମଧ୍ୟ ନିରାଶ ହୋଇଛି।

ସୂଚନା ମୁତାବକ, ଏ ଘଟଣା ରାତି ପ୍ରାୟ ୨ଟା ବେଳେ ଘଟିଥିଲା। ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ହଠାତ୍‌ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ବିସ୍ଫୋରଣରେ ଟାଇଲି ଛପର ଛିନଛତ୍ର ହୋଇ ଯାଇଥିଲା। ପୁଲିସ ପାଖରେ ଏ ଖବର ସକାଳେ ପହଞ୍ଚିଥିଲା। ପୁଲିସ ସାହିକୁ ଯାଇ ତନାଘନା କଲା ବେଳକୁ ବିସ୍ଫୋରଣରେ ଘରର ଛପର ଉଡ଼ି ଯାଇଥିବା ଦେଖିଥିଲା। କିନ୍ତୁ ଘରକୁ ପୂରା ସଫାସୁତୁରା କରାଯାଇଥିବାରୁ ପୁଲିସକୁ କୌଣସି ସୁରାକ୍‌ ବି ମିଳି ପାରିନାହିଁ। ଘରେ କୌଣସି ବ୍ୟକ୍ତି ନ ଥିଲେ କି ତାଙ୍କର ପଡ଼ୋଶୀ ଘର ଲୋକେ ବି ଘରେ ତାଲା ପକାଇ କୁଆଡ଼େ ପଳାଇଥିଲେ। ତେଣୁ, ପୁଲିସ ଦୁଇ ଦୁଇ ଥର ଗାଁକୁ ଯାଇ ନିରାଶ ହୋଇଛି।

ଘଟଣାକୁ ଲୁଚାଇବା ପାଇଁ ସ୍ଥାନୀୟ ଲୋକ ଉଦ୍ୟମ କରୁଛନ୍ତି ବୋଲି ଖମାର ଥାନା ଅଧିକାରୀ ପ୍ରଶାନ୍ତ ପଢ଼ିହାରୀ ପ୍ରକାଶ କରିଛନ୍ତି। ମୃତାହତଙ୍କ ସମ୍ପର୍କରେ ଯଦିଓ କିଛି ସ୍ପଷ୍ଟ ହୋଇନାହିଁ, ତଥାପି ଏ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ବୋଲି ଆମେ ଖବର ପାଇଛୁ। ଗୁରୁତର ଆହତ ମହିଳାଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନାହିଁ। ଘଟଣାର ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ସବୁ କିଛି ଜଣାପଡ଼ିଯିବ ବୋଲି ଥାନା ଅଧିକାରୀ ଶ୍ରୀ ପଢ଼ିଆରି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe