ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ସଜାଗ: ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ୮ହଜାର ଗର୍ଭବତୀ ଚିହ୍ନଟ

Advertisment

ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ଦିଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଘନ ଘନ ବୈଠକ ସହ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ପଠାଯାଇଛି।

ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ଦିଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଘନ ଘନ ବୈଠକ ସହ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ପଠାଯାଇଛି।

hghdghf

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ଦିଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଘନ ଘନ ବୈଠକ ସହ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ପଠାଯାଇଛି। ବିପଦରେ ଥିବା ସମ୍ବେଦନଶୀଳ ବସ୍ତି ଓ ଲୋକଙ୍କୁ ଚିହ୍ନଟ କରିବା ଏବଂ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାଗୁଡ଼ିକୁ କୁହାଯାଇଛି। ୨୦ଟି ଏନ୍‌ଡିଆର୍‌ଏଫ୍‌(୧୯ଟି ନିୟୋଜିତ ଓ ଗୋଟିଏ ରିଜର୍ଭ), ୫୧ଟି ଓଡ୍ରାଫ୍‌ ଓ ୧୭୮ଟି ଅଗ୍ନିଶମ ଟିମ୍‌ ମୁତୟନ କରିବାକୁ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ୪୦ଟି ଅଗ୍ନିଶମ ସେବା ଟିମ୍‌ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହୋଇଛନ୍ତି। ଭଟିଣ୍ଡାରୁ ୫ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ହେଲିକପ୍ଟର ଯୋଗେ ଆଜି ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।  ଜିଲ୍ଲାପାଳମାନେ ନିୟୋଜିତ ଏନଡିଆରଏଫ ଟିମ୍ ପାଇଁ ରହିବାର ବ୍ୟବସ୍ଥା କରିବେ। ସମ୍ବେଦନଶୀଳ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ/ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ସୁରକ୍ଷିତ କୋଠା ଘର ଚିହ୍ନଟ ହୋଇଛି। ଲୋକଙ୍କୁ ଏଭଳି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ସହ ଖାଦ୍ୟ, ପାନୀୟ ଜଳ, ଆଲୋକ, ପରିମଳ ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ଦିଗରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବାତ୍ୟା ପରେ ରାସ୍ତା ଓ ଯାତାୟାତ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆବଶ୍ୟକ ଆଗୁଆ ବ୍ୟବସ୍ଥା କରିବାକୁ କୁହାଯାଇଛି। ଓଡ଼ିଶା ଉପକୂଳରେ ଚଳାଚଳ କରୁଥିବା ସମସ୍ତ ମାଛଧରା ଡଙ୍ଗାକୁ ସୁରକ୍ଷିତ ଭାବେ କୂଳକୁ ଫେରାଇ ଅଣାଯିବା ସହ ୨୬ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ମାଛଧରା ଡଙ୍ଗା ସମୁଦ୍ର ଭିତରକୁ ଯିବ ନାହିଁ ବୋଲି ସୁନିଶ୍ଚିତ କରାଯାଇଛି। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେବାକୁ ଥିବା ଗୋଟିଏ ହେଲିକପ୍ଟର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି। ୧୪ଟି ଜିଲ୍ଲାର ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ତିନି ବନ୍ଦର ଯଥା ଗୋପାଳପୁର, ପାରାଦୀପ ଓ ଧାମରା କର୍ତ୍ତୃପକ୍ଷକୁ ସତର୍କତାମୂଳକ ସୂଚନା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦ ଏନ୍‌ଡିଆର୍‌ଏଫ୍‌, ୫୧ ଓଡ୍ରାଫ୍‌, ୧୭୮ ଅଗ୍ନିଶମ ଟିମ୍‌ ମୁତୟନ
୬ହଜାର ଆଶ୍ରୟସ୍ଥଳୀ ପ୍ରସ୍ତୁତ, ୩ହଜାର ସମ୍ବେଦନଶୀଳ ସ୍ଥାନ ଚିହ୍ନଟ

ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଠିକ୍ ସମୟରେ ସ୍ଥାନାନ୍ତର ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ କୁହାଯାଇଛି। ଘରୋଇ ଓ ସରକାରୀ କୋଠାରେ ଓଭରହେଡ୍ ପାଣି ଟାଙ୍କି ଭର୍ତ୍ତି ରଖିବା, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୬ ହଜାରରୁ ଅଧିକ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ସହ ୩ ହଜାରରୁ ଅଧିକ ସମ୍ବେଦନଶୀଳ ସ୍ଥାନଗୁଡ଼ିକରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ଚିହ୍ନଟ କରାଯାଇଛି। ଆବଶ୍ୟକ ସ୍ଥଳେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ। ୮ ହଜାରରୁ ଅଧିକ ଗର୍ଭବତୀ ମହିଳାମାନଙ୍କୁ ନିରାପଦ ପ୍ରସବ ପାଇଁ ଡାକ୍ତାରଖାନାକୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ ହୋଇଛନ୍ତି। ୭୦୦ରୁ ଅଧିକ ବିଦ୍ୟୁତ୍ ଗ୍ୟାଙ୍ଗମ୍ୟାନଙ୍କୁ ବାତ୍ୟା ପରବର୍ତ୍ତୀ ପୁନଃବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟରେ ନିୟୋଜିତ କରିବାକୁ ପ୍ରସ୍ତୁତ ରଖାଯାଇଛି। ବାତ୍ୟା ପରବର୍ତ୍ତୀ ସମୟରେ ଲୋକମାନଙ୍କୁ ୫ ହଜାରରୁ ଅଧିକ ପ୍ୟାକେଟ୍‌ ପଲିଥିନ୍ ଯୋଗାଇ ଦେବାକୁ ମହଜୁଦ୍ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ଓ ସ୍ୱତନ୍ତ୍ର ରିଲିଫ୍ କମିସନର ଦେଓରଞ୍ଜନ କୁମାର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୁରୀରୁ ଫେରୁଛନ୍ତି ପର୍ଯ୍ୟଟକ 
ପୁରୀ: ବାତ୍ୟା ‘ଦାନା’ ଭୟରେ ପୁରୀରେ ହୋଟେଲ୍‌ ବୁକିଂ ବାତିଲ ହେଉଛି। ପୁରୀ ଛାଡ଼ିବା ଲାଗି ପ୍ରାଶାସନିକ ସ୍ତରରେ ନିର୍ଦ୍ଦେଶ ଦିଆଯିବା ପରେ ୨୬ ତାରିଖ ଯାଏ ବୁକିଂ କରିଥିବା ପର୍ଯ୍ୟଟକମାନେ ହୋଟେଲ୍‌ ବୁକିଂ ବାତିଲ କରୁଛନ୍ତି। ଏଥିସହ ହୋଟେଲ‌ରେ ରହୁଥିବା ପର୍ଯ୍ୟଟକମାନେ ମଧ୍ୟ ଅଧାରୁ ସେମାନଙ୍କ ରହଣି ବାତିଲ୍‌ କରି ଫେରିଯାଉଛନ୍ତି। ଫଳରେ ପର୍ଯ୍ୟଟନ ସହ ଜଡ଼ିତ ଟୁର୍‌ ବ୍ୟବସାୟ ପ୍ରଭାବିତ ହୋଇଛି। ଆସନ୍ତାକାଲି ବୁଧବାର ପର୍ଯ୍ୟଟନ ବିଭାଗ ପକ୍ଷରୁ ହୋଟେଲ କର୍ମକର୍ତ୍ତାଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ। ଏଥିରେ ହୋଟେଲରେ ରହିଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ହୋଟେଲ୍‌ ରୁମ୍‌ ବୁକିଂ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ପୁରୀ ହୋଟେଲ ଶିଳ୍ପ ସଂଘ ତଥା ହଲିଡେ ରିସର୍ଟର ସ୍ବତ୍ବଧିକାରୀ ରାଜକିଶୋର ପାତ୍ର କହିଛନ୍ତି, ହୋଟେଲ୍‌ରେ ରୁମ୍‌ ବୁକିଂ ବାତିଲ ନେଇ ପ୍ରଶାସନ ପକ୍ଷରୁ ଏଯାଏ କୌଣସି ନିର୍ଦ୍ଦେଶ ଆସିନାହିଁ। ତେବେ କିଛି ପର୍ଯ୍ୟଟକ ବାତ୍ୟା ଆଶଙ୍କାରେ ସ୍ବତଃ ହୋଟେଲ୍‌ ଛାଡ଼ୁଥିବାବେଳେ ଆଉ କିଛି ବୁକିଂ ବାତିଲ କରୁଛନ୍ତି। ତେବେ ଆମ ପକ୍ଷରୁ ବୁକିଂ ବାତିଲ ନେଇ ପର୍ଯ୍ୟଟକଙ୍କୁ କୌଣସି ସୂଚନା ଦିଆଯାଇନାହିଁ ବୋଲି ସେ କହିଛନ୍ତି। 

କୋଣାର୍କ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ 
କୋଣାର୍କ: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସମଗ୍ର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ୨୩ ତାରିଖ ସକାଳ ସୁଦ୍ଧା ସମସ୍ତ ପର୍ଯ୍ୟଟକଙ୍କୁ କୋଣାର୍କ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଏନେଇ ପ୍ରଶାସନ ପକ୍ଷରୁ ପ୍ରଚାର ଗାଡ଼ି ମାଧ୍ୟମରେ ସଚେତନ କରାଯାଇଛି। ଏହାସହ ସମସ୍ତ ଲଜ୍‌ ଓ ଧର୍ମଶାଳା ମାଲିକମାନଙ୍କୁ ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକଙ୍କୁ ଲଜ୍‌ କିମ୍ୱା ଧର୍ମଶାଳାରେ ନ ରଖିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅବମାନନା କଲେ  କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କୋଣାର୍କ ଛାଡ଼ି ଚାଲିଯିବାରେ ସହଯୋଗ କରିବାକୁ ଲଜ୍‌ ମାଲିକମାନଙ୍କୁ ପରାମର୍ଶ ଦେଇଛନ୍ତି।

ହବିଷିଆଳିଙ୍କ ସୁରକ୍ଷାକୁ ଗୁରୁତ୍ବ

ପୁରୀ: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ହବିଷିଆଳିଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ଓ ୨୫ ତାରିଖରେ ହବିଷିଆଳି ମା’ମାନଙ୍କର ଶ୍ରୀମନ୍ଦିର ଯିବା ଓ ମହାପ୍ରଭୁଙ୍କ ଦର୍ଶନ କରିବା ବ୍ୟବସ୍ଥା ବନ୍ଦ ରଖାଯିବ।ହବିଷିଆଳି ମା’ମାନଙ୍କ ପାଇଁ ପ୍ରତିଦିନ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି। ଯଦି ବାତ୍ୟା ଅବା ବର୍ଷା କାରଣରୁ ମହାପ୍ରସାଦ ବ୍ୟବସ୍ଥା ହୋଇନପାରେ, ତେବେ ଡ୍ରାଏଫ୍ରୁଟ୍‌ସ ଖାଇବାକୁ ଦିଆଯିବ। ପିଇବା ପାଣି, ବିଜୁଳି ଆଦିର ବି ବ୍ୟବସ୍ଥା କରାଯାଇଛି। ୨୪ ଘଣ୍ଟିଆ ବିଜୁଳି ପାଇଁ ଡିଜି ବ୍ୟବସ୍ଥା ଓ ପାନୀୟ ଜଳ ପାଇଁ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯଦି ବାହାରେ ମା’ ବୃନ୍ଦାବତୀଙ୍କୁ ପୂଜାର୍ଚ୍ଚନା କରି ନ ପାରନ୍ତି, ତେବେ ହବିଷିଆଳି ଶିବିର ଭିତରେ ମା’ମାନେ ବୃନ୍ଦାବତୀଙ୍କୁ ପୂଜନ କରିବେ। ବାତ୍ୟା ଓ ବର୍ଷା ସମୟରେ କୌଣସି ହବିଷିଆଳିଙ୍କୁ ବାହାରକୁ ଛଡ଼ାଯିବନି।  ଏଥିପାଇଁ ସ୍ବତନ୍ତ୍ର ଭାବେ ସରକାରୀ ଅଧିକାରୀମାନେ ନିୟୋଜିତ ହୋଇଛନ୍ତି।  ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି, ହବିଷିଆଳି ମା’ମାନଙ୍କ ସୁରକ୍ଷା ଆମର ପ୍ରାଥମିକତା। କେହି ବି କିଛି ଅସୁବିଧାର ସମ୍ମୁଖୀନ ହେବେନି। ସୂଚନାଯୋଗ୍ୟ, ଚଳିତବର୍ଷ ପୁରୀରେ ହବିଷିଆଳି ଯୋଜନାରେ ବୃନ୍ଦାବତୀନିବାସ, ବଗଲା ଧର୍ମଶାଳା, ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଓ ମୋଚିସାହି କଲ୍ୟାଣମଣ୍ଡପରେ ହବିଷିଆଳି ମା’ମାନଙ୍କ ରହିବା ବ୍ୟବସ୍ଥା କରାଯାଇଛି। ପରବର୍ତ୍ତୀ ସମୟରେ ଅଣପଞ୍ଜୀକୃତ ହବିଷିଆଳିଙ୍କୁ ଡୁଡୁୱାଲା ଧର୍ମଶାଳାରେ ରଖାଯାଇଛି। ପ୍ରାୟ ୩ ହଜାର ହବିଷିଆଳି ବିଭିନ୍ନ ଶିବିରରେ ରହିଛନ୍ତି। ପ୍ରତିଦିନ ସ୍ବତନ୍ତ୍ର ଗାଡ଼ି ଯୋଗେ ହବିଷିଆଳି ମା’ମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe